Berhampur Jail: କଏଦୀଙ୍କୁ ସ୍ବାବଲମ୍ବୀ କରୁଛି ବ୍ରହ୍ମପୁର ଜେଲ୍: ଅନ୍ତେବାସୀଙ୍କ ଦ୍ବାରା ବର୍ଷକୁ ୪୫ ଲକ୍ଷର ବେପାର
ବ୍ରହ୍ମପୁର: କଏଦୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସ୍ବାବଲମ୍ବୀ କରିବା ଦିଗରେ ବ୍ରହ୍ମପୁର ମଣ୍ଡଳ କାରାଗାରର ପଦକ୍ଷେପ ଚର୍ଚ୍ଚାର ବିଷୟ ପାଲଟିଛି। କଏଦୀମାନଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଘରୋଇ ଉପକରଣର ଚାହିଦା ବଜାରରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ବାର୍ଷିକ ପ୍ରାୟ ୪୫ ଲକ୍ଷ ଟଙ୍କାର ବ୍ୟବସାୟ ହେଉଛି। ଆଗାମୀ ଦିନରେ ୟୁନିଟ୍ ସଂଖ୍ୟାକୁ ବୃଦ୍ଧି କରି ଉତ୍ପାଦନ ବଢ଼ାଇବା ଏବଂ ପ୍ରସ୍ତୁତ ସାମଗ୍ରୀର ବ୍ରାଣ୍ଡିଂ କରିବାକୁ ଲକ୍ଷ୍ୟ ରହିଥିବା ଜେଲ୍ ଅଧୀକ୍ଷକ ଧୀରେନ୍ଦ୍ରନାଥ ବାରିକ ‘ସମ୍ବାଦ’କୁ କହିଛନ୍ତି।
Pakistan School: ପାକିସ୍ତାନରେ ଘରୋଇ ସ୍କୁଲ ଛାତ ଭୁଶୁଡ଼ି ୩୪ ମୃତ: ସ୍କୁଲ ମାଲିକ ଗିରଫ
ବ୍ରହ୍ମପୁର ଜେଲ୍ରେ ଅଟାକଳଠାରୁ ଆରମ୍ଭ କରି ବେସନ, ମାଣ୍ଡିଆଚୂନା, ବିରି, ଚାଉଳ ଚୂନା ଏବଂ ସୋରିଷ ତେଲ ପେଡ଼ା ୟୁନିଟ୍ ରହିଛି। ଏହାସହ କପଡ଼ା ୟୁନିଟ୍ ଓ ଖତ ପ୍ରସ୍ତୁତକାରୀ ୟୁନିଟ୍ ବି ଜେଲ୍ରେ ଅଛି। ୨୦୨୧ରୁ ସମସ୍ତ ୟୁନିଟ୍ ମାଧ୍ୟମରେ ସମୁଦାୟ ୩୭ ପ୍ରକାର ଉତ୍ପାଦ କଏଦୀମାନେ ପ୍ରସ୍ତୁତ କରିଆସୁଛନ୍ତି। ବିଶେଷକରି ବେଡସିଟ୍, ଗାମୁଛା, ସାର୍ଟ କପଡ଼ା, ମଫଲର ସହିତ ପାଣିକୁଣ୍ଡ, ଚାଉଳଟ୍ରେ, ବାଲ୍ଟି ଓ ମଗ୍ ପରି ସାମଗ୍ରୀ ସହ ଅଟା, ବେସନ, ହଳଦୀଗୁଣ୍ଡ, ରାଶିଗୁଣ୍ଡ, ଛତୁଆ ଓ ସୋରିଷ ତେଲ ଭଳି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ଗୁଣବତ୍ତା ଓ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରୁଥିବାରୁ ସମସ୍ତ ସାମଗ୍ରୀକୁ ଏଫ୍ଏସ୍ଏସ୍ଏଆଇ ପ୍ରମାଣପତ୍ର ମଧ୍ୟ ମିଳିଛି। ୨୦୨୪ରୁ ସ୍ବତନ୍ତ୍ର କକ୍ଷ ସହ ଲାଞ୍ଜିପଲ୍ଲୀ ଓ ଆଙ୍କୁଲି ଯିବା ରାସ୍ତାପାର୍ଶ୍ବରେ ଏକ କାଉଣ୍ଟର ମଧ୍ୟ ଖୋଲାଯାଇଛି।
ଅନ୍ତେବାସୀଙ୍କ ଦ୍ବାରା ବର୍ଷକୁ ୪୫ ଲକ୍ଷର ବେପାର
ଖାଦ୍ୟ ଓ ଘରୋଇ ଉପକରଣର ଚାହିଦା ବୃଦ୍ଧି
ଆଗାମୀ ଦିନରେ ୟୁନିଟ୍ ସଂଖ୍ୟା ବୃଦ୍ଧି ଲକ୍ଷ୍ୟ: ଜେଲ୍ ଅଧୀକ୍ଷକ
୨୦୨୨-୨୩ ଆର୍ଥିକବର୍ଷରେ କପଡ଼ାରେ ୧୪ଲକ୍ଷ ୫ହଜାର ୩୬୯ ଟଙ୍କା ଏବଂ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରୁ ୮ ଲକ୍ଷ ୩୭ ହଜାର ୩୬୦ ଟଙ୍କାର ବ୍ୟବସାୟ ହୋଇଥିଲା। କାଳକ୍ରମେ ଉତ୍ପାଦର ଗୁଣବତ୍ତା ଓ ଶୁଦ୍ଧତା କାରଣରୁ ଏହା ଗ୍ରାହକଙ୍କ ମନକୁ ଛୁଇଁଥିଲା। ୨୦୨୩-୨୪ରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରୁ ୧୩ ଲକ୍ଷ ୪୪ ହଜାର ୯୧୭ ଓ କପଡ଼ାରେ ୧୩ ଲକ୍ଷ ୧୩ ହଜାର ୫୫୦, ୨୦୨୪-୨୫ରେ ଖାଦ୍ୟ ସାମଗ୍ରୀରୁ ୧୫ ଲକ୍ଷ ୭୯ ହଜାର ୪୫୫ ଓ କପଡ଼ାରେ ୨୦ ଲକ୍ଷ ୭୦ ହଜାର ୪୯୩ ଟଙ୍କା ବେପାର ହୋଇଛି। ଗତବର୍ଷ ୨୦୨୫-୨୬ରେ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରୁ ୨୧ ଲକ୍ଷ ୪୬ ହଜାର ୭୫୧ ଟଙ୍କା ଓ କପଡ଼ାରୁ ୨୧ ଲକ୍ଷ ୪୬ ହଜାର ୯୧୦ ଟଙ୍କା ବ୍ୟବସାୟ ହୋଇଛି। ବର୍ତ୍ତମାନ ବିଭିନ୍ନ ୟୁନିଟ୍ରେ ୧୫୦ ଜଣ କଏଦୀ କାମ କରୁଛନ୍ତି। ଅଣକୁଶଳୀଙ୍କୁ ଦୈନିକ ୯୫ଟଙ୍କା ପାରିଶ୍ରମିକ ଦିଆଯାଉଥିବା ବେଳେ ଅର୍ଦ୍ଧକୁଶଳୀଙ୍କୁ ୧୧୫ ଟଙ୍କା ଓ କୁଶଳୀ ଶ୍ରମିକଙ୍କୁ ୧୪୫ ଟଙ୍କା ପାରିଶ୍ରମିକ ଦିଆଯାଉଛି ବୋଲି ଜେଲ୍ ଅଧୀକ୍ଷକ ଶ୍ରୀ ବାରିକ ସୂଚନା ଦେଇଛନ୍ତି।
Gyanesh Kumar: ନିଜ ନାଗରିକଙ୍କ ବିରୋଧରେ ମୋଦୀ, ଶାହ ଯୁଦ୍ଧ ଆରମ୍ଭ କରିଛନ୍ତି:ଅଭିଜିତ୍ ଦୀପକେ
ଅନ୍ୟପକ୍ଷରେ ଆଗାମୀ ଦିନରେ ବାରମଜା, ଧୂପକାଠି, ବେକେରି ଓ ପାମ୍ପଡ଼ ପ୍ରସ୍ତୁତ କରାଯିବାକୁ ଯୋଜନା ରହିଛି। ଏନେଇ ବିଦ୍ୟୁତ୍ ଭିତ୍ତିଭୂମି ସଜଡ଼ା ହେଉଛି। ଅନ୍ତେବାସୀମାନଙ୍କୁ ଏଥିପାଇଁ ତାଲିମ ଦିଆଯାଉଛି। ଏଠାରୁ ଶିଖିଥିବା ବିଭିନ୍ନ କୌଶଳ ସହାୟତାରେ ସେମାନେ ଜେଲରୁ ମୁକୁଳିବା ପରେ ବିଭିନ୍ନ ସଂସ୍ଥା ଖୋଲି ପରିବାର ପ୍ରତିପୋଷଣ କରୁଛନ୍ତି। ଆଉ ଅପରାଧରୁ ଦୂରରେ ରହୁଛନ୍ତି ବୋଲି ଜେଲ୍ ଅଧୀକ୍ଷକ କହିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।