Praveen Hooda: କ୍ରୀଡ଼ା ଏକ ତପସ୍ୟା: ପ୍ରବୀଣ ହୁଡ଼ା
ନୂଆଦିଲ୍ଲୀ: ‘କ୍ରୀଡ଼ା ଏକ ତପସ୍ୟା’ ଏଭଳି କହିଛନ୍ତି ନିଜ କ୍ରୀଡ଼ା ଜୀବନରେ ଅନେକ ସଂଘର୍ଷ କରି ସଫଳ ହୋଇଥିବା ମହିଳା ମୁଷ୍ଟିଯୋଦ୍ଧା ପ୍ରବୀଣ ହୁଡ଼ା। ନିଜ ଅବସ୍ଥିତି ସୂଚନା ଗୋପନ ରଖିଥିବାରୁ ସେ ୨୨ ମାସ ନିଲମ୍ବିତ ହୋଇଥିଲେ। ଏହି କାରଣରୁ ପ୍ରବୀଣଙ୍କ ବର୍ଷ ବର୍ଷର ପରିଶ୍ରମ ବେକାର ଯାଇଥିଲା। ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ସତ୍ତ୍ବେ ସେ ବଞ୍ଚିତ ହୋଇଥିଲେ। ୨୦୨୨ରେ ଜିତିଥିବା ଏସୀୟ କ୍ରୀଡ଼ା କାଂସ୍ୟ ପଦକ ବି ପ୍ରତ୍ୟାହାର କରି ନିଆଯାଇଥିଲା। ତାଙ୍କ ପିତା କର୍କଟ ରୋଗ ସହ ଲଢ଼ିବା ମଧ୍ୟ ପ୍ରବୀଣଙ୍କ ପଥରୋଧ କରିଥିଲା। ତଥାପି ସେ ହାରିଯାଇ ନଥିଲେ। ଏବେ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତିବା ପରେ ପ୍ରବୀଣଙ୍କ ଚର୍ଚ୍ଚା ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି।
Election: ୨୬ରୁ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଘରକୁ ଘର ସର୍ଭେ; ଜାନୁଆରି ୧ରେ ଚିଠା
ଏକଦା ପ୍ରବୀଣଙ୍କ ପିତା ଲଖପତ ହୁଡ଼ାଙ୍କ ହୃଦ୍ ସମସ୍ୟା ଓ ଗଳା କର୍କଟ (ଷ୍ଟେଜ୍-୩) ଚିନ୍ତାର କାରଣ ହୋଇଥିଲା। ଏହା ପରବର୍ତ୍ତୀ ଆର୍ଥିକ ସଂକଟ ବି ପରିବାରକୁ ଦୋହଲାଇ ଦେଇଥିଲା। ଦୁଇଟି ମଇଁଷି ରଖି ମା’ ନୀଲମ ଦେବୀ କ୍ଷୀର ବିକ୍ରୀ କରିବା ସହ ପ୍ରବୀଣଙ୍କୁ ବଢ଼ାଇଥିଲେ। ତେବେ କୌଣସି ପ୍ରତିକୂଳ ପରିସ୍ଥିତି ପ୍ରବୀଣଙ୍କୁ ଖେଳ ଜୀବନକୁ ପ୍ରଭାବିତ କରିବାକୁ ଦେଇନଥିଲା। ‘ମୁଁ ଯେତେବେଳେ ସେସବୁ ଦିନସବୁକୁ ଫେରି ଦେଖେ, ନିଜକୁ ଗର୍ବିତ ମନେକରେ। କାରଣ ମୁଁ ଖେଳ ଛାଡି ଦେଇନଥିଲି, ତାଲିମ ଜାରି ରଖିଥିଲି। ମୋ ଯାତ୍ରାରେ ରହିଥିବା ପ୍ରତିଟି ବ୍ୟକ୍ତିଙ୍କ ନିକଟରେ ମୁଁ ଚିରକୃତଜ୍ଞ’ ବୋଲି ପ୍ରବୀଣ କହିଛନ୍ତି। ଏସୀୟ କ୍ରୀଡ଼ା ଫାଇନାଲ୍ ଜିତିବା ପରେ ପ୍ରବୀଣ ପ୍ରଥମେ ସୀମାହୀନ ଆକାଶ ଆଡକୁ ଦେଖିଥିଲେ, ପ୍ରଶିକ୍ଷକଙ୍କ ନିକଟକୁ ଦୌଡ଼ିଥିଲେ, ଭାରତୀୟ ପତାକା ଆଣି ନିଜ କାନ୍ଧରେ ଆଚ୍ଛାଦିତ କରି ନେଇଥିଲେ। ‘ସବୁ କିଛିକୁ ପଛରେ ପକାଇ ମୁଁ କେବଳ ଫାଇନାଲ୍ ବାଉଟ୍ ଉପରେ ନଜର ରଖିଥିଲି’ ବୋଲି କହିଥିଲେ ପ୍ରବୀଣ।
ଏସୀୟ କ୍ରୀଡ଼ା ପଦକକୁ ବେକରେ ପକାଇ ପ୍ରବୀଣ ଘର ବାହୁଡ଼ିବା ବେଳେ ତାଙ୍କ ମା’ ଭାବ ବିହ୍ବଳ ହୋଇପଡ଼ିଥିଲେ। ସେ ରାତିରେ ଅନେକ କାନ୍ଦିଥିଲେ। ବାପାଙ୍କୁ ଯେତେବେଳେ କହିଲି ‘ମୁଁ ସ୍ବର୍ଣ୍ଣ ଜିତିଛି’ ସେ କହିଥିଲେ ‘ଆଛା ଠିକ୍ ହୋଇଗଲା ବେଟା’। ସେ ଖୁସି ହୋଇଥିଲେ କିନ୍ତୁ ଭାବନାକୁ ପ୍ରକାଶ କରି ନଥିଲେ। ଅନେକ ଯନ୍ତ୍ରଣା ଓ ପରିଶ୍ରମ ଭିତରେ ସଫଳତା ପାଇଥିବା ପ୍ରବୀଣଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଲସ୍ଏଞ୍ଜେଲ୍ସ ୨୦୨୮ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ଏବଂ ପଦକ ଜିତିବା। ‘କଷ୍ଟକର ସମୟ ସବୁ ମୋତେ ଶାରୀରିକ ଓ ମାନସିକ ଭାବେ ଦୃଢ଼ କରିଛି। ହନୁମାନ ଚାଳିଶା ଶୁଣିବା, ପୂଜା କରିବା, ମନ୍ତ୍ର ପଢ଼ିବା ଓ ଧ୍ୟାନ କରିବା ମୋତେ ବଡ଼ ସହାୟକ ହୋଇଛି। ମୁଁ ନିଶ୍ଚିତ ଯେ, ଈଶ୍ବରଙ୍କ ଆଶୀର୍ବାଦରୁ ଲସ୍ଏଞ୍ଜେଲ୍ସ ମୋର ହେବ’ ବୋଲି ପ୍ରବୀଣ ପ୍ରକାଶ କରିଛନ୍ତି। ଲୋକମାନେ କୁହନ୍ତି ଖେଳ ଏକ ତପସ୍ୟା। ମୁଁ ମୋ ପ୍ରଥମ ଗୁରୁମାନଙ୍କଠାରୁ ବି ଏହା ଶୁଣିଛି। ଏବେ ଅନୁଭବ କରୁଛି ବାସ୍ତବରେ ଖେଳ ଏକ ତପସ୍ୟା।।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।