Bhubaneswar Bans DJs During Durga Puja Processions: ଦୁର୍ଗାପୂଜା ଭସାଣରେ ଡିଜେ ମନା, ନିୟମ ଭାଙ୍ଗିଲେ ପୂଜା କମିଟି ନାଁରେ ମାମଲା
ଗଣେଶ ପୂଜା ଭସାଣ ବେଳେ ଜଟଣୀରେ ଦୁଲୁକିଲା ଡିଜେ। ଛାତି ଥରା ଶବ୍ଦରେ ଭୁଶୁଡ଼ି ପଡିଲା ଘରର ତାଜା। ଯେଉଁଥିରେ ଜଣଙ୍କର ମୃତ୍ୟୁ ସହିତ ୭ ଜଣ ଆହତ ହୋଇଥିବା ଆସିଥିଲା ସାଂଘାତିକ ଅଭିଯୋଗ। କେବଳ ଜଟଣୀ ନୁହେଁ, ଡିଜେ ର ବିକଟାଳ ଶବ୍ଦକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ସମୟରେ ଆସିଛି ନକରାତ୍ମକ ଚିତ୍ର। ଏବେ ଦୁର୍ଗାପୂଜାର ମାହୋଲ୍, ଦିନକ ପରେ ଆୟୋଜନ ହେବ ଭସାଣ ଉତ୍ସବ। ସେଥିପାଇଁ କଠୋର ହୋଇଛି କମିଶନରେଟ୍ ପୋଲିସ୍। ଭୁବନେଶ୍ବର ଡିସିପି କହିଛନ୍ତି ଭସାଣ ଉତ୍ସବରେ ପଶିିପାରିବ ନାହିଁ ଡିଜେ। ଡିଜେ ଆଣିଲେ ଗାଡି ଜବତ କରାଯିବ। ପୂଜା କମିଟି ନାମରେ ହେବ କ୍ରିମିନାଲ କେସ୍। କେବଳ ପାରଂପରିକ ବାଜା ଓ ନିର୍ଦ୍ଧାରିତ ଭଲ୍ୟୁମରେ ସାଉଣ୍ଡ ବକ୍ସ ବ୍ୟବହାର କରିହେବ। ରାତି ୧୦ଟା ପରେ ମ୍ୟୁଜିକ୍ ବଜାଇବା ଉପରେ ରହିଛି କଟକଣା। ଏହା ପୂର୍ବରୁ କଟକ ସହରରେ ଡିଜେ ବନ୍ଦ ହୋଇସାରିଛି।
ଏଥର ଡିଜେ ବ୍ୟାନ୍ ପାଇଁ କମିଶନରେଟ୍ ପୋଲିସ୍ ର ନିଷ୍ପତ୍ତିକୁ ପୂଜା କମିଟିଗୁଡ଼ିକ ସ୍ବାଗତ କରି କହିଛନ୍ତି ଭସାଣ ଉତ୍ସବରେ ଡିଜେ ବଦଳରେ ପାରଂପରିକ ବାଦ୍ୟଯନ୍ତ୍ର ବ୍ୟବହାର କରିବେ। ସରକାର ଓ ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ ଭସାଣ କରୁଛୁ। ରାତି ୧୨ଟା ଭିତରେ ଭସାଣ ସାରିବାକୁ ନିଷ୍ପତ୍ତି ହୋଇଛି।
ପ୍ରତ୍ୟେକ ବର୍ଷ ମାତ୍ର ଦୁଇଟି ସାଉଣ୍ଡ ବକ୍ସ ଧରି ଭସାଣ ଉତ୍ସବରେ ସାମିଲ ହେବାକୁ ଅନୁମତି ନେଇଥାନ୍ତି ପୂଜା କମିଟି। କିନ୍ତୁ ଶୋଭାଯାତ୍ରା ଆରମ୍ଭ ହୋଇଗଲେ ଦୁଲୁକି ଉଠେ ସହର। ବିକଟାଳ ଶବ୍ଦରେ ଥରି ଉଠେ କଲିଜା। ଆସନ୍ତୁ ଜାଣିବା ଅତି ଉଚ୍ଚ ଶବ୍ଦ ଦ୍ବାରା କଣ କ୍ଷତି ହୋଇପାରେ।
- ଅଧିକ ସମୟ ଉଚ୍ଚ ଶବ୍ଦ ଶୁଣିଲେ କାନର ଆଭ୍ୟନ୍ତରୀଣ ଭାଗ କ୍ଷତିଗ୍ରସ୍ତ ହୋଇପାରେ। ଏଥିରେ ଅସ୍ଥାୟୀ କିମ୍ବା ସ୍ଥାୟୀ ବଧିରତା ଭଳି ସମସ୍ୟା ହୋଇପାରେ।
- ଶବ୍ଦ ପ୍ରଦୂଷଣ ବଢ଼ିବା ସହିତ ରାତିରେ ଉଚ୍ଚ ଶବ୍ଦ ଯୋଗୁଁ ନିଦରେ ବାଧା ଉପୁଜେ।
- ଛାତ୍ରଛାତ୍ରୀଙ୍କ ପଢ଼ାପଢ଼ି, ବୃଦ୍ଧ ଏବଂ ରୋଗୀଙ୍କ ଉପରେ ବିଶେଷ ପ୍ରଭାବ ପଡ଼େ।
- ମୁଣ୍ଡବଥା, ମାନସିକ ଚାପ, ଉଚ୍ଚ ରକ୍ତଚାପ ଏବଂ ହୃଦ୍ ରୋଗୀଙ୍କ ପାଇଁ ଏହା ଘାତକ ହୋଇପାରେ। ଡିଜେ ଯୋଗୁଁ ରାଜ୍ୟରେ ଅନେକ ଅଘଟଣର ନଜିର ରହିଛି। ଗତ ୨ ବର୍ଷ ଭିତରେ ଡିଜେ ଯୋଗୁଁ ଅଘଟଣରେ ୭ରୁ ଅଧିକ ଲୋକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଉଚ୍ଚ ଶବ୍ଦ ପ୍ରଦୂଷଣ ଓ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶନାମା ପରେ ଡିଜେ ବ୍ୟବହାର ଉପରେ ଲାଗିଛି କଡ଼ା କଟକଣା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।