Will Financial Hardship Crush Sushant’s Dream: ପୁଅର ଡାକ୍ତରୀ ପଢ଼ା ପାଇଁ ଜମି ବିକିଲେ, ଭତ୍ତା କାର୍ଡ ବି ବନ୍ଧା ରଖିଲେ

Oct 20, 2026 - 21:11
Will Financial Hardship Crush Sushant’s Dream: ପୁଅର ଡାକ୍ତରୀ ପଢ଼ା ପାଇଁ ଜମି ବିକିଲେ, ଭତ୍ତା କାର୍ଡ ବି ବନ୍ଧା ରଖିଲେ

ଦେହରେ ଆଉ ବଳ ନାହିଁ କି ବୟସ। ମନରେ କିନ୍ତୁ ଅଦମ୍ୟ ସାହସ, ଆଖିରେ ଆଖିଏ ସ୍ବପ୍ନ। ପଙ୍କରୁ ପଦ୍ମ ଫୁଟିଥିବା ପୁଅ ପାଇଁ ଏ ପରିଣତ ବୟସରେ ଏ ବାପା ମାଆ ଯାହା କରିଛନ୍ତି, ତାହା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଧୂସାରୀ ଗାଁର କେପାଙ୍ଗା ସୁନାମାଝୀ ଓ ତାଙ୍କ ପତ୍ନୀ ନାଗାଟାଲୁ ସୁନାମାଝୀ। ଉଭୟଙ୍କ ବୟସ ଏବେ ପ୍ରାୟ ୭୦ ଉପରେ। ହେଲେ ଏ ପତ୍ରଝଡ଼ା ବୟସରେ ବି ସେମାନଙ୍କ ଖୁସିର କାରଣ ସାଜିଛି ପୁଅ ସୁଶାନ୍ତ ସୁନା ମାଝୀ। ଚଳିତ ବର୍ଷ ନିଟ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଯାଜପୁରର ମହାରାଜା ଯଯାତି କେଶରୀ ସରକାରୀ ମେଡ଼ିକାଲ କଲେଜରେ ନାମ ଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କିନ୍ତୁ ଏ ଅଭାବୀ ପରିବାରର ପୁଅର ସେ ଖୁସି ପାଇଁ ନିଜ ଜୀବନର ସବୁ ବଡ଼ ସମ୍ପତ୍ତିକୁ ବନ୍ଧା ଦେଇଛନ୍ତି ଏ ବାପା ମାଆ। ବଞ୍ଚିବାର ଗୋଟିଏ ବୋଲି ସାହାରା ଥିବା ନିଜ ବାର୍ଦ୍ଧକ୍ୟ ଭତ୍ତା କାର୍ଡକୁ ସାହୁକାର ପାଖରେ ବନ୍ଧା ପକାଇ ଦେଇଛନ୍ତି। କେବଳ ଗୋଟିଏ ଆଶାରେ...ପୁଅ ଆମର ଡାକ୍ତର ହେବ, ଦୁନିଆର ଦୁଃଖିଙ୍କ ସେବା କରିବ।

ବାପା ମାଆ ନିଜେ କେବେ ପାଠ ପଢି ନାହାନ୍ତି କି ଡାକ୍ତରୀ ପାଠ କଣ ତାହା ବି ବୁଝନ୍ତିନି। କିନ୍ତୁ ପୁଅର ଡାକ୍ତରୀ ପଢା ସ୍ବପ୍ନକୁ ସାକାର କରିବାକୁ ଶେଷରେ ନିଜକୁ ବି ବିକ୍ରି କରିଦେବାକୁ ପଛାଇ ନାହାନ୍ତି। କଲେଜରେ ନାମଲେଖା ପାଇଁ ଟଙ୍କା ଆବଶ୍ୟକ ପଡ଼ିବାରୁ ଗୋଟିଏ କାର୍ଡ ଗାଁର ସାହୁକାର ପାଖରେ ୧୨ ହଜାର ଟଙ୍କାରେ ଏବଂ ଅନ୍ୟ ଏକ କାର୍ଡକୁ ୧୨ ହଜାର ଟଙ୍କାରେ ଏକ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ନିକଟରେ ବନ୍ଧା ରଖିଛନ୍ତି। ଉଧାର ଟଙ୍କା ସୁଝିବା ଯାଏଁ ଦୁଇଟି ଯାକ କାର୍ଡରେ ଆସୁଥିବା ଟଙ୍କା ନେଇଯିବେ ସେଇ ସାହୁକାର ଆଉ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା। ଆଉ ଏପଟେ ପୁଅ ପାଇଁ ଧାର, କରଜ, ହାତ ଉଧାରିର ବି ହିସାବ ନାହିଁ। ପୂର୍ବରୁ ସାଇତି ରଖିଥିବା କିଛି ଜମିକୁ ବି ସେମାନେ ବିକି ଦେଇଛନ୍ତି। ଏଭଳି ସ୍ଥିତିରେ ଡାକ୍ତରୀ ପାଠ ପଢ଼ିବାକୁ ସାହସ ବାନ୍ଧୁଥିବା ସୁଶାନ୍ତଙ୍କ ସ୍ବପ୍ନ ଆଗକୁ କେମିତି ପୂରଣ ହେବ, ସେଇ ଚିନ୍ତାରେ ବାପା ମାଓ ଓ ମେଧାବୀ ପୁଅ।

ଯେଉଁ ବାପା ମାଆ ପୁଅର ଭବିଷ୍ୟତ ପାଇଁ ନିଜ ବର୍ତ୍ତମାନକୁ ବନ୍ଧା ପକାଇ ଦେଇଛନ୍ତି, ସେହି ପୁଅର ସ୍ୱପ୍ନ ଅର୍ଥ ଅଭାବରୁ ଅଧାରେ ଅଟକି ଯିବନି ତ ? ଏବେ ସୁଶାନ୍ତଙ୍କୁ ଦରକାର ସହଯୋଗର ହାତ। ଯାହା ତାଙ୍କୁ ଡାକ୍ତର ହେବାର ବାଟ ଦେଖାଇବ। ଆଉ ତାଙ୍କ ବାପା ମାଆଙ୍କ ଆଖିରେ ଥିବା ସ୍ୱପ୍ନକୁ ସତ କରିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।