Big Telecom Change From November 1: ନଭେମ୍ବର ୧ରୁ ଅଜଣା ନମ୍ବରରୁ କଲ୍ ଆସିଲେ ବି ଜାଣିପାରିବେ ନାଁ, ସରକାରଙ୍କ ବଡ଼ ନିଷ୍ପତ୍ତି

Oct 15, 2026 - 11:50
Big Telecom Change From November 1: ନଭେମ୍ବର ୧ରୁ ଅଜଣା ନମ୍ବରରୁ କଲ୍ ଆସିଲେ ବି ଜାଣିପାରିବେ ନାଁ, ସରକାରଙ୍କ ବଡ଼ ନିଷ୍ପତ୍ତି

ମୋବାଇଲ୍‌କୁ ଅଜଣା ନମ୍ବରରୁ କଲ୍ ଆସିଲେ ଆଉ ଚିନ୍ତା କରିବାକୁ ପଡ଼ିବନି। କିଏ କଲ୍ କରୁଛନ୍ତି, ତାହା ଜାଣିବା ପାଇଁ ଆପଣଙ୍କ ଫୋନ୍‌ରେ ନମ୍ବର ସହ ତାଙ୍କ ନାଁ ମଧ୍ୟ ଦେଖାଯିବ। ଏଥିପାଇଁ ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ପକ୍ଷରୁ Calling Name Presentation (CNAP) ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୬ ନଭେମ୍ବର ୧ରୁ ଏହି ବ୍ୟବସ୍ଥା ଲାଗୁ ହେବ।

ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ୪ଜି ଓ ୫ଜି ଭଳି ନେଟୱର୍କ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ CNAP ସୁବିଧା ଡିଫଲ୍ଟ ଭାବେ ଉପଲବ୍ଧ ହେବ। ତେବେ ୨ଜି, ୩ଜି ଓ ଲ୍ୟାଣ୍ଡଲାଇନ୍‌ରେ ଏହା ଲାଗୁ କରିବା ନେଇ ପରେ ବିଚାର କରାଯିବ।

କିପରି କାମ କରିବ ଏହି ବ୍ୟବସ୍ଥା?

ଯଦି କଲ୍ କରୁଥିବା ବ୍ୟକ୍ତିଙ୍କ ନମ୍ବର ଆପଣଙ୍କ ଫୋନ୍‌ରେ ସେଭ୍ ହୋଇନାହିଁ, ତେବେ ଟେଲିକମ୍ କମ୍ପାନୀର ଗ୍ରାହକ ଡାଟାବେସ୍‌ରେ ଥିବା ନାଁ ଆପଣଙ୍କ ମୋବାଇଲ୍ ସ୍କ୍ରିନ୍‌ରେ ଦେଖାଯିବ। ଅନ୍ତର୍ଜାତୀୟ କଲ୍ ଆସିଲେ ସ୍କ୍ରିନ୍‌ରେ ‘International Call’ ଲେଖା ଦେଖାଯିବ।

ଏଥିପାଇଁ ପ୍ରତ୍ୟେକ ଟେଲିକମ୍ କମ୍ପାନୀକୁ ଗ୍ରାହକଙ୍କ ନାଁ ଓ ମୋବାଇଲ୍ ନମ୍ବର ସମ୍ପର୍କିତ ଡାଟାବେସ୍ ପରିଚାଳନା କରିବାକୁ ପଡ଼ିବ। ତେବେ ନିଜ ନମ୍ବର ଲୁଚାଇ କଲ୍ କରିବା ସୁବିଧା (CLIR) ବ୍ୟବହାର କରୁଥିବା ଗ୍ରାହକଙ୍କ ନାଁ ପ୍ରଦର୍ଶିତ ହେବ ନାହିଁ।

ବ୍ୟାବସାୟିକ ଓ ବଲ୍କ୍ କନେକ୍ସନ୍ ପାଇଁ ପଞ୍ଜୀକୃତ ଟ୍ରେଡ୍‌ମାର୍କ କିମ୍ବା GST ପୋର୍ଟାଲ୍‌ରେ ଥିବା ବ୍ୟବସାୟିକ ନାଁ ପ୍ରଦର୍ଶନ କରିବାର ବିକଳ୍ପ ମଧ୍ୟ ରହିବ। ଏହି ବ୍ୟବସ୍ଥା ଦ୍ୱାରା ଅଜଣା କଲ୍‌କୁ ଚିହ୍ନିବା ସହ ଠକେଇ ଓ ଅନାବଶ୍ୟକ କଲ୍‌ରୁ ସତର୍କ ରହିବାରେ ଗ୍ରାହକଙ୍କୁ ସହାୟତା ମିଳିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।