Bigg Boss 20: ପୋଲିସ ଗାଡ଼ି ଅଟକାଇଥିଲେ, ବିଗ୍ ବସ୍‌ରେ ମିଳିଲା ଏଣ୍ଟ୍ରି

Aug 26, 2026 - 10:08
Bigg Boss 20:  ପୋଲିସ ଗାଡ଼ି ଅଟକାଇଥିଲେ, ବିଗ୍ ବସ୍‌ରେ ମିଳିଲା ଏଣ୍ଟ୍ରି

ଟିଭିର ସବୁଠାରୁ ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍ ବସ୍ 20’କୁ ନେଇ ଦର୍ଶକଙ୍କ ଉତ୍ସାହ ଏବେ ଶୀର୍ଷରେ। ଶୋ’ ଆରମ୍ଭ ହେବା ପୂର୍ବରୁ ହିଁ କିଏ କିଏ ବିଗ୍ ବସ୍ ଘରକୁ ପ୍ରବେଶ କରିବେ, ସେନେଇ ଚର୍ଚ୍ଚା ଜୋର ଧରିଛି। ଏହି ଚର୍ଚ୍ଚା ମଧ୍ୟରେ NEET ପ୍ରତିବାଦ ସମୟରେ ପୋଲିସ ଭ୍ୟାନ୍‌କୁ ଅଟକାଇ ହଠାତ୍‌ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଥିବା ରିଆ ଅହୀର ନାମ ସାମ୍ନାକୁ ଆସିବା ପରେ ଫ୍ୟାନ୍ସଙ୍କ ଉତ୍ସାହ ଆହୁରି ବଢ଼ିଛି।

ଦୁଇ ପ୍ରତିଯୋଗୀଙ୍କ ମଧ୍ୟରୁ ଜଣଙ୍କୁ ବାଛିବେ ଫ୍ୟାନ୍ସ

ନିକଟରେ ଶୋ’ର ହୋଷ୍ଟ ସଲମାନ ଖାନ୍ ଏକ ନୂଆ ପ୍ରୋମୋରେ ଦୁଇଜଣ ସମ୍ଭାବ୍ୟ ପ୍ରତିଯୋଗୀଙ୍କ ନାମ ରିଭିଲ୍ କରିଛନ୍ତି। ଏହାରି ମଧ୍ୟରେ ‘ଫ୍ୟାନ୍ସଙ୍କ ନିଷ୍ପତ୍ତି’ ନାମକ ଏକ ପ୍ରତିଯୋଗିତା ମାଧ୍ୟମରେ ରିଆ ଅହୀର ଏବଂ ଲଭ୍ ଗିଲ୍‌ଙ୍କ ନାମ ସାମ୍ନାକୁ ଆସିଛି। ଦୁଇଜଣଙ୍କ ମଧ୍ୟରୁ କେବଳ ଜଣେ ବିଗ୍ ବସ୍ ଘରେ ପ୍ରବେଶ କରିବେ। ତେଣୁ କିଏ ଘରର ସଦସ୍ୟ ହେବେ, ତାହା ଫ୍ୟାନ୍ସଙ୍କ ଭୋଟ୍‌ ଉପରେ ନିର୍ଭର କରିବ।

କିଏ ଏହି ରିଆ ଅହୀର?

୨୭ ବର୍ଷୀୟ ରିଆ ଅହୀର ଜଣେ ମଡେଲ୍, ଅଭିନେତ୍ରୀ ଓ ଉଦ୍ୟୋଗୀ। ଏହା ସହିତ ମୁମ୍ବାଇରେ ହୋଇଥିବା ଛାତ୍ର ପ୍ରତିବାଦ ସମୟରେ ପୋଲିସ ଭ୍ୟାନ୍‌ ସାମ୍ନାରେ ଏକୁଟିଆ ଠିଆ ହୋଇଥିବା ତାଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା। ବିଶେଷକରି ବର୍ଷାରେ ପୋଲିସ ଭ୍ୟାନ୍‌କୁ ଅଟକାଇଥିବା ରିଆଙ୍କ ଫଟୋ ତାଙ୍କୁ ରାତାରାତି ଇଣ୍ଟରନେଟ୍‌ର ସେନ୍‌ସେସନ କରିଥିଲା।

ଫ୍ୟାନ୍ସଙ୍କୁ ଭୋଟ୍ ଦେବାକୁ ଅପିଲ୍ କଲେ ରିଆ

ବିଗ୍ ବସ୍‌ରେ ପ୍ରବେଶ ପାଇଁ ରିଆ ନିଜ ଫ୍ୟାନ୍ସ ଓ ଦର୍ଶକଙ୍କୁ ସମର୍ଥନ କରିବାକୁ ଅପିଲ୍ କରିଛନ୍ତି। ରିଆଙ୍କ ମତରେ, ଲୋକେ ତାଙ୍କୁ ଏକ ପ୍ରତିବାଦ ସମୟରେ ଦେଖିଛନ୍ତି ଏବଂ ଏବେ ତାଙ୍କ ଜୀବନ ଓ ଯାତ୍ରାକୁ ଆହୁରି ନିକଟରୁ ଜାଣିବାର ସୁଯୋଗ ମିଳିପାରେ। ତେବେ ରିଆଙ୍କ ଏହି ଯାତ୍ରା ବିଗ୍ ବସ୍ ଘର ପର୍ଯ୍ୟନ୍ତ ପହଞ୍ଚିବ କି ନାହିଁ, ତାହା ଦର୍ଶକଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ।

ଲଭ୍ ଗିଲ୍‌ଙ୍କ ସହ ହେବ ରିଆଙ୍କ ମୁକାବିଲା

ଅନ୍ୟପକ୍ଷରେ ରିଆଙ୍କ ସହ ଯେଉଁ ଅଭିନେତ୍ରୀଙ୍କ ନାମ ଘୋଷଣା ହୋଇଛି, ସେ ହେଉଛନ୍ତି ଲଭ୍ ଗିଲ୍। ସେ ଜଣେ ପଞ୍ଜାବୀ ଅଭିନେତ୍ରୀ। ‘ତୁ ପତଙ୍ଗ ମୈଁ ଡୋର’ ଭଳି ପଞ୍ଜାବୀ ଟିଭି ଶୋ’ରେ ସେ ଅଭିନୟ କରିଛନ୍ତି। ‘କୁଡ଼ିୟାଁ ଜୱାନ୍ ବାପୁ ପରେଶାନ୍’ ଫିଲ୍ମରୁ ସେ ଫିଲ୍ମୀ ଦୁନିଆରେ ପାଦ ରଖିଥିଲେ। ଏହାଛଡ଼ା ‘ଶକ୍କର ବାରେ’ ଏବଂ ‘ହେଟର୍ସ’ ଭଳି ଫିଲ୍ମରେ ମଧ୍ୟ ନଜର ଆସିଛନ୍ତି।

ସେପ୍ଟେମ୍ବର ୬ରୁ ପରଦାକୁ ଆସିବ ‘ବିଗ୍ ବସ୍ 20’

‘ବିଗ୍ ବସ୍ 20’ ସେପ୍ଟେମ୍ବର ୬ରୁ କଲର୍ସ ଟିଭି ଏବଂ ଓଟିଟି ପ୍ଲାଟଫର୍ମ ଜିଓ ହଟଷ୍ଟାର୍‌ରେ ଆରମ୍ଭ ହେବ। ଏବେ ରିଆ ଅହୀର ଓ ଲଭ୍ ଗିଲ୍‌ଙ୍କ ନାମ ସାମ୍ନାକୁ ଆସିବା ପରେ ଦର୍ଶକଙ୍କ ନଜର ରହିଛି ଅନ୍ୟ ପ୍ରତିଯୋଗୀମାନଙ୍କ ଉପରେ। ତେବେ ସବୁଠାରୁ ବଡ଼ ପ୍ରଶ୍ନ ରିଆଙ୍କ ଭାଇରାଲ୍ ଇମେଜ୍ ତାଙ୍କୁ ବିଗ୍ ବସ୍ ଘର ପର୍ଯ୍ୟନ୍ତ ପହଞ୍ଚାଇବ, ନା ଲଭ୍ ଗିଲ୍ ମାରିବେ ବାଜି? ଏହାର ଉତ୍ତର ଦେବେ ଫ୍ୟାନ୍ସଙ୍କ ଭୋଟ୍।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।