Bihar Newlywed Death: ପ୍ରେମ ବିବାହର କିଛି ମାସ ପରେ ନବବଧୂଙ୍କ ମୃତ୍ୟୁ, ନ୍ୟାୟ ପାଇଁ ଶାଶୂଘର ଦୁଆରେ ଶବ ସତ୍କାର

Oct 16, 2026 - 15:35
Bihar Newlywed Death: ପ୍ରେମ ବିବାହର କିଛି ମାସ ପରେ ନବବଧୂଙ୍କ ମୃତ୍ୟୁ, ନ୍ୟାୟ ପାଇଁ ଶାଶୂଘର ଦୁଆରେ ଶବ ସତ୍କାର

ପ୍ରେମ କରି ବିବାହ କରିଥିଲେ। ହାତରୁ ମେହେନ୍ଦି ଲିଭିବା ପୂର୍ବରୁ ଜୀବନରେ ଘୋଟି ଆସିଲା ଅନ୍ଧାର। ମାତ୍ର ୧୯ ବର୍ଷ ବୟସରେ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବିହାରର ମୁଜାଫରପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି। ଝିଅର ମୃତ୍ୟୁ ପାଇଁ ଶାଶୂଘର ଲୋକଙ୍କୁ ଦାୟୀ କରି ନ୍ୟାୟ ଦାବିରେ ତାଙ୍କ ବାପା-ମାଆ ଶାଶୂଘରର ମୁଖ୍ୟ ଫାଟକ ଆଗରେ ହିଁ ଶବ ସତ୍କାର କରିଛନ୍ତି। ମୃତ ମହିଳାଙ୍କ ବେକରେ ଗଭୀର ଦାଗ ମିଳିଥିବା ବେଳେ ସ୍ୱାମୀଙ୍କ ସମେତ ଚାରି ଜଣଙ୍କ ବିରୋଧରେ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ ହୋଇଛି।

ବେଡ୍‌ ଉପରୁ ମିଳିଲା ନବବଧୂଙ୍କ ମୃତଦେହ

ଘଟଣାଟି ମୁଜାଫରପୁର ଜିଲ୍ଲାର ମୁଶହରୀ ଥାନା ଅନ୍ତର୍ଗତ ରଜୱାଡ଼ା ଡିହ ଗାଁର। ମୃତ ନବବଧୂଙ୍କ ନାଁ ଗୁଞ୍ଜା କୁମାରୀ। ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା। ଘରର ଏକ କୋଠରୀରେ ବେଡ୍‌ ଉପରୁ ତାଙ୍କ ମୃତଦେହ ମିଳିଥିଲା। ତେବେ ତାଙ୍କ ବେକରେ ଗଭୀର ଆଘାତର ଚିହ୍ନ ଥିବାରୁ ଘଟଣାକୁ ନେଇ ସନ୍ଦେହ ବଢ଼ିଛି।

ଗୁଞ୍ଜାଙ୍କ ମୃତ୍ୟୁ ପରେ ଶାଶୂଘର ପକ୍ଷର ଲୋକେ ଘର ଛାଡ଼ି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ, ଝିଅକୁ ହରାଇ ଭାଙ୍ଗିପଡ଼ିଥିବା ବାପଘର ଲୋକେ ନ୍ୟାୟ ପାଇଁ ଶାଶୂଘର ଦୁଆରେ ଶବ ସତ୍କାର କରିଥିବା କହିଛନ୍ତି।

ପ୍ରେମ ସମ୍ପର୍କରୁ ବିବାହ, ଯୌତୁକ ନିର୍ଯାତନା ଅଭିଯୋଗ

ଗୁଞ୍ଜା କୁମାରୀ କାଣ୍ଟି ଅଞ୍ଚଳର ରଣଜିତ ପାସୱାନଙ୍କ ଝିଅ। ଚଳିତ ବର୍ଷ ଜାନୁଆରୀ ୨୩ ତାରିଖରେ ପଲଟନ ପାସୱାନଙ୍କ ପୁଅ କୁନ୍ଦନ କୁମାରଙ୍କ ସହ ତାଙ୍କ ବିବାହ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପରେ ବିବାହ ହୋଇଥିବା ଜଣାପଡ଼ିଛି।

ହେଲେ ଏହି ବିବାହର କିଛି ମାସ ପରେ ଗୁଞ୍ଜାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମାଆ ମଞ୍ଜୁ ଦେବୀ ଓ ମାମୁଁ ଛୋଟୁ କୁମାର ଶାଶୂଘର ଲୋକଙ୍କ ବିରୋଧରେ ଯୌତୁକ ପାଇଁ ନିର୍ଯାତନା ଦେବାର ଅଭିଯୋଗ ଆଣିଛନ୍ତି। 

ସ୍ୱାମୀଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା

ମୁଶହରୀ ଥାନା ଅଧିକାରୀ ସୁବୋଧ ମେହତାଙ୍କ ସୂଚନା ଅନୁସାରେ, ମୃତ ମହିଳାଙ୍କ ବାପା ରଣଜିତ ପାସୱାନଙ୍କ ଲିଖିତ ଅଭିଯୋଗ ଆଧାରରେ ସ୍ୱାମୀ କୁନ୍ଦନ କୁମାର, ତାଙ୍କ ଭାଇ ଚନ୍ଦନ ପାସୱାନ, ଭଉଣୀ ପ୍ରିୟଙ୍କା ଓ ଭାଉଜ ସୁଲେଖାଙ୍କ ବିରୋଧରେ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ ହୋଇଛି।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଏସ୍‌କେଏମ୍‌ସିଏଚ୍‌ ପଠାଯାଇଥିଲା। ପୋଷ୍ଟମର୍ଟମ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା। 

ନ୍ୟାୟ ଦାବିରେ ପରିବାର ଲୋକେ ଶାଶୂଘରର ମୁଖ୍ୟ ଦ୍ୱାରା ଆଗରେ ହିଁ ଶବ ସତ୍କାର କରିଥିଲେ।

ହତ୍ୟା ନା ଆତ୍ମହତ୍ୟା? ତଦନ୍ତ କରୁଛି ପୋଲିସ

ଘଟଣାର ଗମ୍ଭୀରତାକୁ ଦେଖି ପୋଲିସ ସହ ଏଫ୍‌ଏସ୍‌ଏଲ୍‌ର ସ୍ୱତନ୍ତ୍ର ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି  ପ୍ରମାଣ ସଂଗ୍ରହ କରିଛି। ଗୁଞ୍ଜାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା, ତାହା ପୋଷ୍ଟମର୍ଟମ ରିପୋର୍ଟ ଓ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।