Ranbir Kapoor’s Big Revelation: ‘ମୁଁ ଶ୍ରୀରାମଙ୍କ ଭୂମିକା ପାଇଁ ଯୋଗ୍ୟ ନୁହେଁ’! ‘ରାମାୟଣ’କୁ ନେଇ ରଣବୀର କପୁରଙ୍କ ବଡ଼ ଖୁଲାସା

Oct 16, 2026 - 15:35
Ranbir Kapoor’s Big Revelation: ‘ମୁଁ ଶ୍ରୀରାମଙ୍କ ଭୂମିକା ପାଇଁ ଯୋଗ୍ୟ ନୁହେଁ’! ‘ରାମାୟଣ’କୁ ନେଇ ରଣବୀର କପୁରଙ୍କ ବଡ଼ ଖୁଲାସା

ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’କୁ ନେଇ ଏବେ ସବୁଠି ଚର୍ଚ୍ଚା। ଏହି ଫିଲ୍ମରେ ଭଗବାନ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ ଅଭିନେତା ରଣବୀର କପୁର। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ଚରିତ୍ରକୁ ନେଇ ଏବେ ଏକ ବଡ଼ ଖୁଲାସା କରିଛନ୍ତି ରଣବୀର। ପ୍ରଥମେ ତାଙ୍କୁ ଏହି ଭୂମିକା ମିଳିବା ପରେ ସେ ନିଜକୁ ଏଥିପାଇଁ ଯୋଗ୍ୟ ମନେ କରୁନଥିଲେ ବୋଲି କହିଛନ୍ତି। ତାଙ୍କର ଏହି ବୟାନ ଏବେ ଫିଲ୍ମପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ାଇଛି।

ଶ୍ରୀରାମଙ୍କ ଭୂମିକା ମିଳିବା ପରେ ଦ୍ୱନ୍ଦ୍ୱରେ ଥିଲେ ରଣବୀର

ଅକ୍ଟୋବର ୧୫ ତାରିଖରେ ବେଙ୍ଗାଲୁରୁରେ ଆୟୋଜିତ ହୋଇଥିବା ଫିଲ୍ମ ‘ରାମାୟଣ’ର ଏକ ପ୍ରମୋସନାଲ୍‌ କାର୍ଯ୍ୟକ୍ରମରେ ରଣବୀର ନିଜ ମନର କଥା କହିଥିଲେ। ଏହି ଅବସରରେ ଫିଲ୍ମର ଇଂରାଜୀ ଟ୍ରେଲର ମଧ୍ୟ ରିଲିଜ୍‌ ହୋଇଥିଲା।

ରଣବୀର କହିଥିଲେ, ଯେତେବେଳେ ତାଙ୍କୁ ପ୍ରଭୁ ଶ୍ରୀରାମଙ୍କ ଭୂମିକା ଯଚାଯାଇଥିଲା, ସେତେବେଳେ ସେ ବିଶ୍ୱାସ କରିପାରିନଥିଲେ ଯେ ତାଙ୍କୁ ଏଭଳି ଏକ ବଡ଼ ସୁଯୋଗ ମିଳିଛି।

ତାଙ୍କ କହିବା ଅନୁଯାୟୀ, “ମୋତେ ଲାଗୁନଥିଲା ଯେ ମୁଁ ଏହି ଚରିତ୍ର ପାଇଁ ଯୋଗ୍ୟ। ମୋ ମନରେ ଅନେକ ପ୍ରଶ୍ନ ଥିଲା। ମୁଁ କ’ଣ ଏହି ଭୂମିକାକୁ ଠିକ୍‌ ଭାବେ ତୁଲାଇପାରିବି? କୋଟି କୋଟି ଲୋକଙ୍କ ଆଶା ଓ ବିଶ୍ୱାସ ସହ ଜଡ଼ିତ ଏହି ଦାୟିତ୍ୱକୁ ମୁଁ ନ୍ୟାୟ ଦେଇପାରିବି କି?”

ଏହି କାରଣରୁ ରାମାୟଣ ପାଇଁ ରାଜି ହେଲେ ଅଭିନେତା

ପ୍ରଥମେ ଦ୍ୱନ୍ଦ୍ୱରେ ଥିଲେ ମଧ୍ୟ ପରେ ରଣବୀର ଏହି ଭୂମିକାକୁ ଗ୍ରହଣ କରିଥିଲେ। ଏହା ପଛର କାରଣ ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ରଣବୀରଙ୍କ କହିବା ଅନୁଯାୟୀ, ‘ରାମାୟଣ’ରେ ଅଭିନୟ କରିବା ତାଙ୍କ ଜୀବନରେ ଥରେ ମିଳୁଥିବା ଏକ ବିରଳ ସୁଯୋଗ। ଏହି ଚରିତ୍ର ମାଧ୍ୟମରେ ସେ ନିଜକୁ ପରିବର୍ତ୍ତନ କରିବା ସହ ଭଗବାନ ଶ୍ରୀରାମ, ରାମାୟଣ, ଭାରତୀୟ ସଂସ୍କୃତି ଓ ଇତିହାସକୁ ଆହୁରି ଗଭୀର ଭାବେ ବୁଝିବାର ସୁଯୋଗ ପାଇଛନ୍ତି।

ଏହି ଫିଲ୍ମ ସହ ଜଡ଼ିତ ନିର୍ଦ୍ଦେଶକ ନିତେଶ ତିୱାରୀ, ନମିତ ମାଲହୋତ୍ରା ଏବଂ ସମସ୍ତ କଳାକାର ଓ ଟେକ୍ନିସିଆନ୍‌ଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି। ଦର୍ଶକଙ୍କ ହୃଦୟକୁ ଛୁଇଁବା ଭଳି ଫିଲ୍ମ ନିର୍ମାଣ କରିବା ପାଇଁ ପୂରା ଟିମ୍‌ ଭଲପାଇବା, ନିଷ୍ଠା ଓ ନମ୍ରତାର ସହ କାମ କରିଥିବା ସେ କହିଛନ୍ତି।

ନଭେମ୍ବର ୫ରେ ଆସିବ ‘ରାମାୟଣ’ର ପ୍ରଥମ ଭାଗ

ଖବର ଅନୁଯାୟୀ, ପ୍ରାୟ ୪,୦୦୦ କୋଟି ଟଙ୍କାର ବଜେଟ୍‌ରେ ନିର୍ମିତ ଏହି ମହାକାବ୍ୟ ଆଧାରିତ ଫିଲ୍ମର ପ୍ରଥମ ଭାଗ ୨୦୨୬ ନଭେମ୍ବର ୫ ତାରିଖରେ ସିନେମା ହଲ୍‌ରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ଦ୍ୱିତୀୟ ଭାଗ ଆସନ୍ତା ବର୍ଷ ଦୀପାବଳି ଅବସରରେ ରିଲିଜ୍‌ ହେବାର ସୂଚନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।