BJP MLA’s Residence Burgled: ରାଜଭବନ ପଛରେ ବି ଚୋରଙ୍କ ଭୟ ନାହିଁ, ବିଜେପି ବିଧାୟକଙ୍କ ଘରୁ ଲୁଟ୍
ରାଜଭବନ ପଛରେ ରହିଛି ଘର।
ଅଞ୍ଚଳଟି ଗଣାଯାଏ ରାଜସ୍ଥାନ ରାଜଧାନୀ ଜୟପୁରର ଅତି ସୁରକ୍ଷିତ ଭିଆଇପି ଅଞ୍ଚଳ ଭାବେ।
ହେଲେ ଏଠାରେ ବି ଚୋରଙ୍କ ଭୟ ନାହିଁ!
ରାତି ଅଧରେ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ସିଂହ ସିଂଘଭୀଙ୍କ ଘରେ ପଶି କଳାକନା ବୁଲାଇଛି ଚୋର।
ଘରୁ ନଗଦ ଟଙ୍କା, ସୁନାଗହଣା ଓ ଲାପଟପ୍ ଚୋରି ହୋଇଥିବା ଜଣାପଡ଼ିଛି।
ଏହି ଘଟଣା ପରେ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ।
Advertisment ସୂଚନା ଅନୁସାରେ, ଛବ୍ରା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରତାପ ସିଂହ ସିଂଘଭୀ ନିଜ ଅଞ୍ଚଳ ଗସ୍ତରେ ଯାଇଥିବା ସମୟରେ ତାଙ୍କ ଜୟପୁରସ୍ଥିତ ଘରକୁ ଟାର୍ଗେଟ୍ କରିଥିଲା ଚୋର।
ରାଜଭବନ ପଛପଟେ ହରି ମାର୍ଗରେ ଥିବା ତାଙ୍କ ଘରେ ରାତି ପ୍ରାୟ ୨ଟା ବେଳେ ଏହି ଚୋରି ହୋଇଥିବା କୁହାଯାଉଛି।
ଘରେ ପଶି ମୂଲ୍ୟବାନ ସାମଗ୍ରୀ ଲୁଟିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି।
ପୁଲିସର ପ୍ରାଥମିକ ଆକଳନ ଅନୁସାରେ, ଘରୁ ପ୍ରାୟ ୧ ଲକ୍ଷ ୨୫ ହଜାର ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି ହୋଇଛି।
ଏଥିରେ ନଗଦ ଟଙ୍କା, ଗହଣା ଓ ଲାପଟପ୍ ରହିଛି।
ଘଟଣା ସମ୍ପର୍କରେ ସୂଚନା ପାଇ ସୋଡାଲା ଥାନା ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା।
ଥାନା ଅଧିକାରୀ ମନୋଜ ବୈରୱାଲଙ୍କ ଅନୁସାରେ, ପୁଲିସ ଘଟଣାସ୍ଥଳରୁ ଆବଶ୍ୟକ ପ୍ରମାଣ ସଂଗ୍ରହ କରିଛି।
Advertisment ସିସିଟିଭିରେ କଏଦ ହେଲା ଚୋରି, ଅଭିଯୁକ୍ତକୁ ଖୋଜୁଛି ପୁଲିସ ଏହି ଚୋରି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଛି।
ଫୁଟେଜ୍କୁ ଆଧାର କରି ସନ୍ଦିଗ୍ଧଙ୍କ ପରିଚୟ ଖୋଜୁଛି ପୁଲିସ।
ଅଭିଯୁକ୍ତକୁ ଚିହ୍ନଟ କରିବା ପରେ ତାକୁ ଧରିବା ପାଇଁ ଉଦ୍ୟମ କରାଯିବ।
ସହରର ଏକ ଭିଆଇପି ଅଞ୍ଚଳରେ, ତାହା ପୁଣି ଜଣେ ବିଧାୟକଙ୍କ ଘରେ ଏଭଳି ଚୋରି ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ବଢ଼ାଇଛି।
ତେବେ ଚୋରି ପଛରେ କିଏ ଅଛି ଏବଂ ଅଭିଯୁକ୍ତ କିପରି ଘରେ ପଶିଲା, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।