BJP President Nitin Nabin Unveils New Team: ନିତିନ ନବୀନଙ୍କ ନୂଆ ଟିମ୍! କାହାକୁ ମିଳିଲା କେଉଁ ଦାୟିତ୍ୱ ?
ଦାୟିତ୍ବ ନେବାର ପ୍ରାୟ ୭ ମାସ ପରେ ନିଜର ନୂଆ ଟିମ୍ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ। ଟିମରେ ବଡ଼ ଚେହେରାଙ୍କୁ ମିଳିଛି ବଡ଼ ଦାୟିତ୍ୱ। କଶ୍ମୀରରେ ବିଜେପିର ପୋଷ୍ଟରବୟ ତଥା ଆରଏସଏସର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ରାମ ମାଧବ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପୁଣି ଦଳର କେନ୍ଦ୍ରୀୟ ସଂଗଠନରେ ସ୍ଥାନ ପାଇଛନ୍ତି। ରାମ ମାଧବଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ଦାୟିତ୍ବ ମିଳିଥିବା ବେଳେ ସ୍ମୃତି ଇରାନୀ ହୋଇଛନ୍ତି ଜାତୀୟ ମହାସଚିବ। ସେହିଭଳି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରୀୟ ନେତୃତ୍ବଙ୍କ ଭରସା ଜିତିଛନ୍ତି। ନିତିନ ନବୀନଙ୍କ ଟିମରେ ବି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ପଦ ବଜାୟ ରଖିଛନ୍ତି ବୈଜୟନ୍ତ। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଓ ତୀରଥ ସିଂହ ରାୱତଙ୍କୁ ନୂଆ ଟିମରେ ପ୍ରମୁଖ ଦାୟିତ୍ୱ ଦିଆଯାଇଛି। ପୀୟୂଷ ଗୋୟଲଙ୍କୁ ଜାତୀୟ କୋଷାଧ୍ୟକ୍ଷ ଓ ବିପ୍ଳବ କୁମାର ଦେବଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ସେହିଭଳି ବିନୋଦ ତାୱଡେ ଓ ସୁନୀଲ ବଂଶଲ ଜାତୀୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିବେ। ସାଂଗଠନିକ ମହାସଚିବ ଭାବେ ବି.ଏଲ୍. ସନ୍ତୋଷ ନିଜ ପଦରେ ଜାରି ରହିବେ।
ନୂଆ ଜାତୀୟ ଟିମରେ ମୋଟ ୧୩ ଜଣ ଜାତୀୟ ଉପସଭାପତି, ୮ ଜଣ ଜାତୀୟ ସାଧାରଣ ସମ୍ପାଦକ ଓ ୧୬ ଜଣ ରାଷ୍ଟ୍ରୀୟ ସଚିବଙ୍କୁ ଦାୟିତ୍ୱ ଦିଆଯାଇଛି। ଯେଉଁଥିରେ ମହିଳା ନେତ୍ରୀଙ୍କୁ ମିଳିଛି ବିଶେଷ ସ୍ଥାନ। ବସୁନ୍ଧରା ରାଜେ ସିନ୍ଧିଆ, ଡି. ପୁରନ୍ଦେଶ୍ୱରୀ, ରେଖା ବର୍ମା, ବର୍ଷାବେନ ନରେନ୍ଦ୍ରଭାଇ , ଡ. ଭାରତୀ ପ୍ରବୀଣ ପୱାର ଓ ଡ. ମଧୁଚନ୍ଦ୍ର କରଙ୍କୁ ଜାତୀୟ ଉପସଭାପତି ଦାୟିତ୍ୱ ମିଳିଛି। ସେହିପରି ସ୍ମୃତି ଇରାନୀଙ୍କୁ ଜାତୀୟ ମହାସଚିବ କରାଯାଇଛି। ଫଳରେ ନୂଆ ସାଙ୍ଗଠନିକ ଟିମ୍ ରେ ମହିଳା ନେତୃତ୍ୱକୁ ଗୁରୁତ୍ୱ ମିଳିଥିବା କୁହାଯାଉଛି। ଅନ୍ୟପଟେ ନିତିନ ନବୀନଙ୍କ ଟିମ୍ ରେ ଅମିତ ମାଲବ୍ୟଙ୍କ ନାମ ନଥିବାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବିଜେପି ଏକ ନୂଆ ସୋସିଆଲ ମିଡିଆ ଟିମ୍ ମଧ୍ୟ ଘୋଷଣା କରିଛି। ଯାହାର ଜାତୀୟ ସୋସିଆଲ୍ ମିଡିଆ କନଭେନର୍ ରହିଛନ୍ତି ଦୀପକ ମହାସ୍କେ। ଏହାଛଡ଼ା ସମ୍ବିତ ପାତ୍ରଙ୍କୁ ଉତ୍ତର-ପୂର୍ବାଞ୍ଚଳର ସଂଯୋଜକ ଏବଂ ତରୁଣ ଚୁଘଙ୍କୁ କେନ୍ଦ୍ରୀୟ କାର୍ଯ୍ୟାଳୟ ଇନ୍-ଚାର୍ଜ ଭାବେ ନିଯୁକ୍ତ କରାଯାଇଛି।
ନୂଆ କର୍ମକର୍ତ୍ତା ଘୋଷଣା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ କହିଛନ୍ତି, ଅଭିଜ୍ଞତା ଓ ପୂରା ଉତ୍ସାହରେ ଭରା ନୂଆ ଟିମ୍ ସଂଗଠନକୁ ଆଗକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିଗଦର୍ଶନରେ କାମ କରିବ। ଏପଟେ ନୂଆ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ୍ କହିଛନ୍ତି, ନୂଆ ଟିମ୍ ପାଖରେ ସାଂଗଠନିକ ଦକ୍ଷତା ଭରି ରହିଛି। ସମସ୍ତ ସଦସ୍ୟ ତୃଣମୂଳ ସ୍ତରରେ ଯୋଡ଼ି ହୋଇ ରହିଛନ୍ତି ଏବଂ ଦଳକୁ ଅଧିକ ସଂଗଠିତ କରିବା ପାଇଁ କାର୍ଯ୍ୟ କରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।