BJP: ବିଜେପି ହାତରୁ ଗଲା ବାରାଣସୀ ଏବଂ ନାଗପୁର ଆସନ

Oct 29, 2026 - 13:19
BJP: ବିଜେପି ହାତରୁ ଗଲା ବାରାଣସୀ ଏବଂ ନାଗପୁର ଆସନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ , ମହାରାଷ୍ଟ୍ର ,ବିହାର ଏବଂ କର୍ଣ୍ଣାଟକର ଆଦି ଚାରି ରାଜ୍ୟର ୨୮ଟି ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ ଫଳାଫଳ ନେଇ ଶାସକ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।

ବାରାଣସୀ ଏବଂ ନାଗପୁର ଆସନ ଶାସକ ଦଳ ହାତରୁ ଖସିବା ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।

ଶିକ୍ଷକ ଏବଂ ସ୍ନାତକ ନିର୍ବାଚନ ମଣ୍ଡଳୀର ୧୧ଟି ଉତ୍ତର ପ୍ରଦେଶ ବିଧାନ ପରିଷଦ ଆସନ ମଧ୍ୟରୁ ବିଜେପି ଛଅଟି ଆସନ ଜିତିଛି।

ଯେତେବେଳେ ସମାଜବାଦୀ ପାର୍ଟି ପାଞ୍ଚଟିରେ ବିଜୟୀ ହୋଇଛି।

ବାରାଣସୀରେ ସମାଜବାଦୀ ପାର୍ଟି ଶିକ୍ଷକ ଏବଂ ସ୍ନାତକ ଉଭୟ ନିର୍ବାଚନ ମଣ୍ଡଳୀରେ ବିଜେପି ପରାସ୍ତ ହୋଇଛି।

ବାରାଣସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ।

ତେଣୁ ଏହି ଫଳାଫଳକୁ ନେଇ ରାଜନୈତିକ ବାକ୍ ଯୁଦ୍ଧ ତୀବ୍ର ହେବାରେ ଲାଗିଛି ।

ମହାରାଷ୍ଟ୍ରର ନାଗପୁରରେ କଂଗ୍ରେସ ମଧ୍ୟ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟଠାରୁ ଆସନ ଛଡ଼ାଇ ନେଇଛି।

ନାଗପୁର ହେଉଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟାଳୟ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଗୃହକ୍ଷେତ୍ର।

ମାତ୍ର ଦଳ ସେଠାରେ ବିଜୟ ଧାରାରୁ ବିଚ୍ଛିନ୍ନ ହୋଇଯାଇଛି।

Advertisment ପ୍ରଧାନମନ୍ତ୍ରୀ ଆତ୍ମସମୀକ୍ଷା କରନ୍ତୁ ପ୍ରଧାନମନ୍ତ୍ରୀ ୨୮ ଅକ୍ଟୋବରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଥିଲେ, ଚାରୋଟି ବଡ଼ ରାଜ୍ୟ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ବିହାର ଏବଂ କର୍ଣ୍ଣାଟକର ୨୮ଟି ଆସନ ପାଇଁ ଏମଏଲସି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ନିର୍ବାଚନ ବାଲଟ୍ ପେପର ମାଧ୍ୟମରେ କରାଯାଇଥିଲା।

ତେବେ କଂଗ୍ରେସ ବିଫଳ ରହିଛି।

ନିର୍ବାଚନରେ ​​ଇଭିଏମ୍ ବଦଳରେ ବାଲଟ୍ ପେପର୍ ବ୍ୟବହାର କରିବାକୁ କଂଗ୍ରେସ ଦଳର ଦାବିକୁ ନେଇ ମୋଦୀଙ୍କ ପୋଷ୍ଟକୁ ଏକ କଟାକ୍ଷ ଭାବରେ ଦେଖାଯାଇଥିଲା।

ତେବେ ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନାର ଜବାବ କଂଗ୍ରେସ ଦେଇଛି।

ବାରାଣସୀ ଏବଂ ନାଗପୁରରେ ବିଜେପିର ପରାଜୟକୁ ଉଲ୍ଲେଖ କରି କଂଗ୍ରେସ ନେତା ଜୟରାମ ରମେଶ ଏବଂ ସୁପ୍ରିୟା ଶ୍ରୀନେତ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି।

ଜୟରାମ ରମେଶ ମୋଦୀଙ୍କୁ ଆତ୍ମସମୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି।

ସେହିପରି ସୁପ୍ରିୟା ଶ୍ରୀନେତ ବିଜେପିକୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ଯଦି ବାଲଟ୍ ପେପର ଉପରେ ଦଳର ଏତେ ଭରସା ଅଛି, ତେବେ ଏହାକୁ ବ୍ୟବହାର କରି ସମସ୍ତ ଲୋକସଭା ଏବଂ ବିଧାନସଭା ନିର୍ବାଚନ କରିବା ଉଚିତ୍।

କଂଗ୍ରେସ ମହାସଚିବ ଜୟରାମ ରମେଶ ପ୍ରଧାନମନ୍ତ୍ରୀଙ୍କ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ତାଙ୍କୁ 'ପ୍ରଚାରକ ମନ୍ତ୍ରୀ' କହି କଟାକ୍ଷର ଜବାବ କଟାକ୍ଷରେ ଦେଇଛନ୍ତି।

ସେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଆତ୍ମନିରୀକ୍ଷଣର ଆବଶ୍ୟକତା ଅଛି, କିନ୍ତୁ ସେ ଅନ୍ୟ ପ୍ରତି ଅକ୍ଷେପ କରୁଛନ୍ତି।

କଂଗ୍ରେସ ଆସନ ଗଣନା କରିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଏହା ମଧ୍ୟ ବିଚାର କରିବା ଉଚିତ୍ ଯେ, ବିଜେପି ତାଙ୍କ ନିଜ ସଂସଦୀୟ କ୍ଷେତ୍ର ବାରାଣସୀରେ ଉଭୟ ବିଧାନ ପରିଷଦ ଆସନ କାହିଁକି ହାରିଲା ଏବଂ କଂଗ୍ରେସ କିପରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ଗଡ଼ ନାଗପୁରରେ ବିଜେପିକୁ ପରାସ୍ତ କଲା।

ମୁଦ୍ରାସ୍ଫୀତି, ବେକାରୀ ଏବଂ ଘରୋଇ ନିବେଶ ପ୍ରସଙ୍ଗ ଉଠାଇ ଜୟରାମ ରମେଶ ପ୍ରଧାନମନ୍ତ୍ରୀଙ୍କୁ ଅନ୍ୟକୁ ଟ୍ରୋଲ୍ କରିବା ବନ୍ଦ କରି ଏହି ପ୍ରସଙ୍ଗଗୁଡ଼ିକର ସମାଧାନ କରିବାକୁ ଅନୁରୋଧ କରିଛନ୍ତି।

ତାଙ୍କ ପୋଷ୍ଟରେ ଜୟରାମ ରମେଶ ଲେଖିଛନ୍ତି, କୋଟି କୋଟି ପରିବାର ଅଣ୍ଟା ଭଙ୍ଗା ମହଙ୍ଗା ମାଡ଼ରେ ପୀଡିତ।

ଯୁବବର୍ଗ ବେକାର ଏବଂ ଘରୋଇ ନିବେଶ ଠପ୍ ହୋଇଯାଇଛି।

ସେ ଲକ୍ଷ୍ନୌ, ପ୍ରୟାଗରାଜ ଏବଂ ପାଟନା ସହିତ ବାରାଣସୀ ତଥା ନାଗପୁରର ସ୍ଥିତି ଉଲ୍ଲେଖ କରି ଦାବି କରିଛନ୍ତି, ଏହି ସହରଗୁଡ଼ିକର ଲୋକମାନେ ବିଜେପିର ନୀତି ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ କରିଛନ୍ତି।

କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି ବିଜେପିର ପରାଜୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି,ବାରାଣସୀ ନରେନ୍ଦ୍ର ମୋଦୀଙ୍କ ଲୋକସଭା ନିର୍ବାଚନମଣ୍ଡଳୀ, ପାଟନା ବିଜେପି ସଭାପତି ନୀତିନ ନବୀନଙ୍କ ନିର୍ବାଚନମଣ୍ଡଳୀ ଏବଂ ନାଗପୁର ଦେବେନ୍ଦ୍ର ଫଡନବୀସ ତଥା ଆରଏସଏସର ଗଡ଼।

ବିଜେପି ନିଜ ଗଡ଼ରେ ପରାଜିତ ହୋଇଛି।

ସେଠାରେ ବାଲଟ୍ ପେପର ବ୍ୟବହାର କରି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ସେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି, ବିଜେପିର ଗଡ଼ ଭୁଶୁଡ଼ି ପଡ଼ିଛି।

ଦଳର ହିରୋଗିରି ଏବେ ଜିରୋ ପାଲଟିଛି।

ସୁପ୍ରିୟା ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ, ଯଦି ବାଲଟ୍ ପେପର ମାଧ୍ୟମରେ ନିର୍ବାଚନ କରିବା ଉପରେ ଏତେ ଗୁରୁତ୍ୱ ଦିଆଯାଉଛି, ତେବେ ସମସ୍ତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ବାଲଟ୍ ପେପର ମାଧ୍ୟମରେ କରାଯିବା ଆବଶ୍ୟକ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।