Blast: ପାକିସ୍ତାନରେ ଆମ୍ବୁଲାନ୍ସ ଭିତରେ ଅମ୍ଳଜାନ ସିଲିଣ୍ଡର ବିସ୍ଫୋରଣ, ୧୦ ମୃତ

Oct 29, 2026 - 19:22
Blast: ପାକିସ୍ତାନରେ ଆମ୍ବୁଲାନ୍ସ ଭିତରେ ଅମ୍ଳଜାନ ସିଲିଣ୍ଡର ବିସ୍ଫୋରଣ, ୧୦ ମୃତ

ଇସଲାମାବାଦ: ପାକିସ୍ତାନର ଦକ୍ଷିଣାଞ୍ଚଳ ସିନ୍ଧ୍‌ ପ୍ରଦେଶର ଥରପାରକର ଜିଲ୍ଲାରେ ଏକ ଆମ୍ବୁଲାନ୍ସ ଭିତରେ ଅମ୍ଳଜାନ ସିଲିଣ୍ଡର ବିସ୍ଫୋରଣ ହେବାରୁ ଅନ୍ତତଃ ୧୦ ଜଣଙ୍କ ମୃତ୍ୟୁ ଘଟିଛି।

ବୁଧବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ରୋଗୀ, ସ୍ୱାସ୍ଥ୍ୟକର୍ମୀ ଓ ରୋଗୀଙ୍କ ସମ୍ପର୍କୀୟ ପ୍ରାଣ ହରାଇଛନ୍ତି।

ଅନ୍ୟ କେତେକ ଗୁରୁତର ଆହତ ହୋଇଛନ୍ତି।

ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Advertisment ସିନ୍ଧ୍‌ ପ୍ରଦେଶର ଥରପାରକର ଜିଲ୍ଲା ଅନ୍ତର୍ଗତ ନଗରପାରକର ତହସିଲର ଡାନୋ ଧାଣ୍ଡଲ ଗାଁର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଘଟଣା ଘଟିଛି।

ରାତି ପ୍ରାୟ ୧୦ଟା ୪୦ ମିନିଟ୍‌ରେ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ନେବା ପାଇଁ ଆମ୍ବୁଲାନ୍ସରେ ବସାଯାଉଥିଲା।

ଏହି ସମୟରେ କର୍ମଚାରୀମାନେ ଅମ୍ଳଜାନ ସିଲିଣ୍ଡର ସଂଯୋଗ କରୁଥିବା ବେଳେ ହଠାତ୍‌ ଏହା ବିସ୍ଫୋରଣ ହୋଇଥିଲା।

ଫଳରେ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଥିଲା।

ନିଆଁ ଦ୍ରୁତଗତିରେ ବ୍ୟାପିଯିବାରୁ ଭିତରେ ଥିବା ଲୋକମାନେ ବାହାରକୁ ଆସିବାର ସୁଯୋଗ ପାଇ ନ ଥିଲେ।

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା, ଆମ୍ବୁଲାନ୍ସ ଚାଳକ ଇସାକ୍‌ ଥେବୋ ଏବଂ ସ୍ୱାସ୍ଥ୍ୟକେନ୍ଦ୍ରର କେତେକ କର୍ମଚାରୀ ଅଛନ୍ତି।

ଆହତମାନଙ୍କୁ ପ୍ରଥମେ ମିଠି ଓ ନଗରପାରକରର ଡାକ୍ତରଖାନାକୁ ନିଆଯାଇଥିଲା।

ପରେ ଗୁରୁତର ଆହତଙ୍କୁ ଉନ୍ନତ ଚିକିତ୍ସା ପାଇଁ କରାଚୀକୁ ସ୍ଥାନାନ୍ତର କରାଯାଇଥିବା ଖବର ମିଳିଛି।

Fire Cylinder Explosion 23 Death ସିଲିଣ୍ଡର ବିସ୍ଫୋରଣରୁ ଭୟଙ୍କର ଅଗ୍ନିକାଣ୍ଡ: ୩ ମହିଳାଙ୍କ ସମେତ ୨୩ ଜୀବନ୍ତ ଦଗ୍ଧ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ, ପୁଲିସ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପହଞ୍ଚିଥିଲେ।

ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ନିଆଁ ଲାଗିଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି।

ତେବେ ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ବିଶେଷଜ୍ଞ ଦଳକୁ ଡକାଯାଇଛି।

ରାଷ୍ଟ୍ରପତି ଆସିଫ୍‌ ଅଲି ଜର୍ଦାରୀ ଏହି ଦୁର୍ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।