Blue Drum Murder: ମିରଟ୍ ବ୍ଲୁ ଡ୍ରମ୍ ହତ୍ୟା ମାମଲା: ମୁସ୍କାନ ଓ ପ୍ରେମିକ ସାହିଲଙ୍କୁ ମୃତ୍ୟୁଦଣ୍ଡ

Oct 14, 2026 - 17:19
Blue Drum Murder: ମିରଟ୍ ବ୍ଲୁ ଡ୍ରମ୍ ହତ୍ୟା ମାମଲା: ମୁସ୍କାନ ଓ ପ୍ରେମିକ ସାହିଲଙ୍କୁ ମୃତ୍ୟୁଦଣ୍ଡ

ଉତ୍ତରପ୍ରଦେଶର ମିରଟ୍‌ର ବହୁଚର୍ଚ୍ଚିତ ‘ବ୍ଲୁ ଡ୍ରମ୍’ ହତ୍ୟା ମାମଲାରେ ମୁସ୍କାନ ରସ୍ତୋଗୀ ଓ ତାଙ୍କ ପ୍ରେମିକ ସାହିଲ ଶୁକ୍ଳାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଅଦାଲତ। ନିଜ ସ୍ୱାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିବା ମାମଲାରେ ସେପ୍ଟେମ୍ବର ୩୦ ତାରିଖରେ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଘର ଭିତରେ ଏକ ବଡ଼ ନୀଳ ଡ୍ରମ୍‌ରୁ ସୌରଭଙ୍କ ମୃତଦେହ ମିଳିବା ପରେ ଏହି ଘଟଣା ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା।

ଏହି ମାମଲାରେ ଅଦାଲତରେ ମୋଟ ୧୨୬ ଥର ଶୁଣାଣି ହୋଇଥିଲା। ୨୨ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ ଉଭୟ ପକ୍ଷ ନିଜ ନିଜ ଯୁକ୍ତି ଉପସ୍ଥାପନ କରିଥିଲେ। ଜିଲ୍ଲା ଜଜ୍ ଅରବିନ୍ଦ କୁମାର ମିଶ୍ରଙ୍କ ଅଦାଲତରେ ମାମଲାର ବିଚାର ହୋଇଥିଲା।

୨୦୨୫ ମାର୍ଚ୍ଚ ୧୭ ତାରିଖରେ ମାମଲାଟି ଅଦାଲତରେ ପହଞ୍ଚିଥିଲା। ମାର୍ଚ୍ଚ ୧୯ରେ ମୁସ୍କାନ ଓ ସାହିଲଙ୍କୁ ମିରଟ୍ ଜେଲ୍‌କୁ ପଠାଯାଇଥିଲା। ପରେ ଜୁଲାଇ ୨୦୨୫ରେ ମାମଲାର ବିଚାର ଜିଲ୍ଲା ଜଜ୍‌ଙ୍କ ଅଦାଲତକୁ ସ୍ଥାନାନ୍ତର ହୋଇଥିଲା। ପ୍ରାୟ ୧୩ ମାସ ଧରି ବିଚାର ପ୍ରକ୍ରିୟା ଚାଲିଥିଲା।

କ’ଣ ଥିଲା ପୂରା ଘଟଣା?

ସୌରଭ ରାଜପୁତ ମିରଟ୍‌ର ଇନ୍ଦିରା ନଗର ଅଞ୍ଚଳର ବାସିନ୍ଦା ଥିଲେ। ସେ ପୂର୍ବରୁ ମର୍ଚ୍ଚାଣ୍ଟ ନେଭିରେ କାମ କରୁଥିଲେ ଏବଂ ଲଣ୍ଡନରେ ରହୁଥିଲେ। ୨୦୨୫ ଫେବ୍ରୁଆରୀ ୨୪ ତାରିଖରେ ସେ ମିରଟ୍‌ସ୍ଥିତ ନିଜ ଘରକୁ ଫେରିଥିଲେ।

ଅଭିଯୋଗ ଅନୁଯାୟୀ, ସୌରଭ ଘରକୁ ଫେରିବା ପରେ ମୁସ୍କାନ ଓ ସାହିଲଙ୍କ ସମ୍ପର୍କରେ ବାଧା ସୃଷ୍ଟି ହୋଇଥିଲା। ଏହାପରେ ଉଭୟ ମିଶି ସୌରଭଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା।
ସୌରଭଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ୨୦୨୫ ମାର୍ଚ୍ଚ ୧୮ ତାରିଖରେ ମାମଲା ରୁଜୁ ହୋଇଥିଲା। ପରେ ପୋଲିସ ମୁସ୍କାନ ଓ ସାହିଲଙ୍କୁ ଗିରଫ କରିଥିଲା।

ନୀଳ ଡ୍ରମ୍‌ରୁ ମିଳିଥିଲା ମୃତଦେହ

ଏହି ହତ୍ୟା ମାମଲାରେ ସବୁଠାରୁ ଚର୍ଚ୍ଚିତ ଦିଗ ଥିଲା ନୀଳ ପ୍ଲାଷ୍ଟିକ୍ ଡ୍ରମ୍। ଅଭିଯୋଗ ଅନୁଯାୟୀ, ସୌରଭଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି ଏକ ବଡ଼ ନୀଳ ଡ୍ରମ୍‌ରେ ରଖାଯାଇଥିଲା ଏବଂ ତାହାକୁ ସିମେଣ୍ଟରେ ସିଲ୍ କରାଯାଇଥିଲା। ମାର୍ଚ୍ଚ ୧୯ ତାରିଖରେ ପୋଲିସ ଘରୁ ସିମେଣ୍ଟରେ ଆବଦ୍ଧ ଡ୍ରମ୍‌ରୁ ମୃତଦେହ ଉଦ୍ଧାର କରିଥିଲା।

ଏହି ମାମଲା ପାରିପାର୍ଶ୍ୱିକ ସ୍ଥିତି, ଅନ୍ୟ ପ୍ରମାଣ, ଡାକ୍ତରୀ ରିପୋର୍ଟ, ଫରେନ୍ସିକ୍ ତଥ୍ୟ ଏବଂ ବୈଜ୍ଞାନିକ ପ୍ରମାଣ ଉପରେ ନିର୍ଭର କରିଥିଲା। କାରଣ େଥିରେ କେହି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନଥିଲେ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।