Boiler Blast at Pharma Facility: ଫାର୍ମା କମ୍ପାନୀରେ ଭୟଙ୍କର ବିସ୍ଫୋରଣ; ୪ ମୃତ, ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

Oct 03, 2026 - 12:43
Boiler Blast at Pharma Facility: ଫାର୍ମା କମ୍ପାନୀରେ ଭୟଙ୍କର ବିସ୍ଫୋରଣ; ୪ ମୃତ, ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାରେ ଥିବା ଏକ ଘରୋଇ ଫାର୍ମା କମ୍ପାନୀରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। କମ୍ପାନୀରେ ଥିବା ଏକ ବଏଲର ବିସ୍ଫୋରଣ ହେବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ କେତେକ କର୍ମଚାରୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତଙ୍କ ଚିକିତ୍ସା ଜାରି ରହିଛି। ଶନିବାର ସକାଳ ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ତିରୁପତି ଜିଲ୍ଲାର ସତ୍ୟବେଡୁ ମଣ୍ଡଳ ଅନ୍ତର୍ଗତ ଶ୍ରୀ ସିଟି ସ୍ପେଶାଲ୍ ଇକୋନୋମିକ୍ ଜୋନ୍‌ (SEZ)ରେ ଥିବା ଏକ ଘରୋଇ ଶିଳ୍ପାନୁଷ୍ଠାନରେ ଏହି ବିସ୍ଫୋରଣ ଘଟିଛି। ବଏଲରଟି ହଠାତ୍ ବିସ୍ଫୋରଣ ହେବାରୁ କାରଖାନା ପରିସରରେ ଆତଙ୍କ ଖେଳିଯାଇଥିଲା। ସେହି ସମୟରେ ନାଇଟ୍ ସିଫ୍ଟରେ କାମ କରୁଥିବା ଅନେକ କର୍ମଚାରୀ ଏଥିରେ ଫସି ଯାଇଥିଲେ।

ଅଧିକାରୀଙ୍କ ସୂଚନା ଅନୁସାରେ, ବିସ୍ଫୋରଣ ଘଟିବା ପରେ ଦୁଇ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି। ତେବେ ଦୁର୍ଘଟଣାରେ ମୋଟ କେତେ ଜଣ ଆହତ ହୋଇଛନ୍ତି, ସେ ସମ୍ପର୍କରେ ସବିଶେଷ ତଥ୍ୟ ଏଯାଏଁ ମିଳିନାହିଁ।

ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଜରୁରୀକାଳୀନ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇବା ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବିସ୍ଫୋରଣର ପ୍ରକୃତ କାରଣ କ’ଣ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ତଦନ୍ତ ପରେ ସ୍ପଷ୍ଟ ହେବ।

ଅନ୍ୟପଟେ, ଏହି ଦୁର୍ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଅଧିକାରୀଙ୍କ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାର ପ୍ରତି ସେ ଗଭୀର ସମବେଦନା ଜଣାଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।