Bold last-minute call Change Everything: ଗୋଟିଏ ନିଷ୍ପତ୍ତି ବଦଳାଇଦେଲା ସବୁକିଛି, ଭାରତକୁ ଶୁଟିଂରେ ମିଳିଲା ପ୍ରଥମ ସ୍ୱର୍ଣ୍ଣ

Sep 25, 2026 - 15:11
Bold last-minute call Change Everything: ଗୋଟିଏ ନିଷ୍ପତ୍ତି ବଦଳାଇଦେଲା ସବୁକିଛି, ଭାରତକୁ ଶୁଟିଂରେ ମିଳିଲା ପ୍ରଥମ ସ୍ୱର୍ଣ୍ଣ

ଶେଷ ମୁହୂର୍ତ୍ତର ନିଷ୍ପତ୍ତି ଆଣିଲା ସ୍ୱର୍ଣ୍ଣ । ଏସିଆନ୍ ଗେମ୍ସ ୨୦୨୬ରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି ଭାରତର କମଲଜିତ ଓ ସୁରୁଚି ସିଂହ । ଏହା ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ ।

ଏହି ଇଭେଣ୍ଟ ପାଇଁ ପ୍ରଥମେ ସୁରୁଚିଙ୍କ ସହ କେଦାରଲିଙ୍ଗ ବାଳକୃଷ୍ଣ ଉଚାଗାନଭେଙ୍କୁ ରଖାଯାଇଥିଲା । କିନ୍ତୁ ଗୁରୁବାର ପୁରୁଷ ୧୦ ମିଟର ଏୟାର ପିସ୍ତଲ କ୍ୱାଲିଫିକେସନରେ କମଲଜିତ ୫୮୦ ପଏଣ୍ଟ ସହ ଭାରତୀୟଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ମାତ୍ର ଗୋଟିଏ ପଏଣ୍ଟ ପାଇଁ ସେ ବ୍ୟକ୍ତିଗତ ଫାଇନାଲରୁ ବଞ୍ଚିତ ହୋଇଥିଲେ ।

ଅନ୍ୟପଟେ କେଦାରଲିଙ୍ଗ ୫୬୮ ପଏଣ୍ଟ ସହ ୩୫ତମ ସ୍ଥାନରେ ରହିଥିଲେ । ଏହାପରେ ଭାରତୀୟ ଦଳ ଶେଷ ମୁହୂର୍ତ୍ତରେ ଯୋଡ଼ି ବଦଳାଇ କମଲଜିତଙ୍କୁ ସୁରୁଚିଙ୍କ ସହ ମଇଦାନକୁ ଓହ୍ଲାଇଥିଲା।

ନୂଆ ଯୋଡ଼ି ଆରମ୍ଭରୁ ହିଁ ଦମଦାର ପ୍ରଦର୍ଶନ କରିଥିଲା । କ୍ୱାଲିଫିକେସନରେ ୫୮୭ ପଏଣ୍ଟ ହାସଲ କରି କମଲଜିତ-ସୁରୁଚି ଯୋଡ଼ି ଶୀର୍ଷରେ ରହିଥିଲା । ଏଥିରେ ଥିଲା ୨୯ଟି ଇନର୍-୧୦ ।

ଫାଇନାଲରେ ମଧ୍ୟ ଭାରତୀୟ ଯୋଡ଼ିର ଦବଦବା ଜାରି ରହିଥିଲା । ୪୮୪.୬ ପଏଣ୍ଟ ସହ ସ୍ୱର୍ଣ୍ଣ ଜିତିଥିଲେ ଦୁହେଁ । ଦ୍ୱିତୀୟ ସ୍ଥାନରେ ଥିବା ଦକ୍ଷିଣ କୋରିଆଠାରୁ ଭାରତ ୬.୬ ପଏଣ୍ଟ ଆଗରେ ରହିଥିଲା । ଇରାନ୍ ଜିତିଥିଲା ବ୍ରୋଞ୍ଜ ।

ଗୁରୁବାର ଦୁହେଁଙ୍କ ବ୍ୟକ୍ତିଗତ ଅଭିଯାନ ନିରାଶାଜନକ ଥିଲା । କମଲଜିତ ମାତ୍ର ଗୋଟିଏ ପଏଣ୍ଟ ପାଇଁ ବ୍ୟକ୍ତିଗତ ଫାଇନାଲରୁ ବାଦ ପଡ଼ିଥିଲେ । ସୁରୁଚି ମହିଳା କ୍ୱାଲିଫିକେସନରେ ୨୬ତମ ସ୍ଥାନରେ ରହିଥିଲେ ।

କିନ୍ତୁ ପରଦିନ ଦୁହେଁ ମିଶି ଲେଖିଥିଲେ ନୂଆ କାହାଣୀ । ଶେଷ ମୁହୂର୍ତ୍ତରେ ଗଠିତ ଯୋଡ଼ି ଦେଶକୁ ଦେଲା ଶୁଟିଂର ପ୍ରଥମ ସ୍ୱର୍ଣ୍ଣ । ଏହା ସହ ଏସିଆନ୍ ଗେମ୍ସରେ ଭାରତର ସ୍ୱର୍ଣ୍ଣ ସଂଖ୍ୟା ଦୁଇରେ ପହଞ୍ଚିଛି । ପ୍ରଥମ ସ୍ୱର୍ଣ୍ଣ ମହିଳା କ୍ରିକେଟ୍ ଦଳ ଜିତିଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।