Bolsonaro Heads to Miami: ଦେଶ ଛାଡିଲେ ରାଷ୍ଟ୍ରପତି ପ୍ରାର୍ଥୀ, ତାଙ୍କ ବିରୋଧରେ ଅଛି ଦୁର୍ନୀତି ଓ ଅର୍ଥ ହେରଫେର ଅଭିଯୋଗ

Oct 29, 2026 - 11:14
Bolsonaro Heads to Miami: ଦେଶ ଛାଡିଲେ ରାଷ୍ଟ୍ରପତି ପ୍ରାର୍ଥୀ, ତାଙ୍କ ବିରୋଧରେ ଅଛି ଦୁର୍ନୀତି ଓ ଅର୍ଥ ହେରଫେର ଅଭିଯୋଗ

ବ୍ରାଜିଲରେ ୨୫ ଅକ୍ଟୋବରରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଲୁଇଜ୍ ଇନାସିଓ ଲୁଲା ଦା ସିଲଭା ବିଜୟୀ ହୋଇଛନ୍ତି।

୮୦ ବର୍ଷୀୟ ଲୁଲା ୫୧.୭୯ ପ୍ରତିଶତ ଭୋଟ୍ ପାଇ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ହେବାର ସୁଯୋଗ ପାଇଛନ୍ତି।

ଅନ୍ୟପକ୍ଷରେ, ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ୪୫ ବର୍ଷୀୟ ଫ୍ଲାଭିଓ ବୋଲ୍ସୋନାରୋ ୪୮.୨୧ ପ୍ରତିଶତ ଭୋଟ୍ ପାଇ ପରାଜିତ ହୋଇଛନ୍ତି।

ନିର୍ବାଚନରେ ହାରିବା ପରେ ଫ୍ଲାଭିଓ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ସହ ବ୍ରାଜିଲ ଛାଡ଼ି ଆମେରିକାର ମିଆମିରେ ଯାଇ ପହଞ୍ଚିଛନ୍ତି।

Advertisment ରିପୋର୍ଟ ଅନୁସାରେ, ଫ୍ଲାଭିଓ ମଙ୍ଗଳବାର ନିଜ ପରିବାର ସହ ପ୍ରଥମେ ଆର୍ଜେଣ୍ଟିନା ଯାଇଥିଲେ।

ସେଠାରୁ ଇକ୍ୱେଡର ଦେଇ ଆମେରିକାର ମିଆମିରେ ପହଞ୍ଚିଥିଲେ।

ନିର୍ବାଚନରେ ପରାଜୟ ପରେ ସେ ରାଷ୍ଟ୍ରପତି ଲୁଲାଙ୍କ ବିଜୟକୁ ସ୍ୱୀକାର କରିବାକୁ ମନା କରିଥିଲେ।

ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଫଳାଫଳକୁ ରଦ୍ଦ କରିବାକୁ ମଧ୍ୟ ଦାବି କରିଥିଲେ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ସହଯୋଗୀ ଭାବେ ପରିଚିତ ଫ୍ଲାଭିଓ ଗତ ମେ' ମାସରେ ହ୍ୱାଇଟ୍ ହାଉସ୍ ଗସ୍ତ କରିଥିଲେ।

ଚଳିତ ସପ୍ତାହରେ ଟ୍ରମ୍ପ ପ୍ରଶାସନ ଫ୍ଲାଭିଓ ଓ ତାଙ୍କ ପରିବାରକୁ ଆମେରିକା ଭିସା ଦେବାକୁ ଅନୁମତି ଦେଇଥିଲା।

ଫ୍ଲାଭିଓଙ୍କ ପିତା ତଥା ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାଇର ବୋଲ୍ସୋନାରୋ ମଧ୍ୟ ୨୦୨୨ ନିର୍ବାଚନରେ ଲୁଲାଙ୍କଠାରୁ ହାରିବା ପରେ ଫ୍ଲୋରିଡା ଚାଲିଯାଇଥିଲେ।

ତେବେ ପ୍ରାୟ ତିନି ମାସ ପରେ ସେ ବ୍ରାଜିଲ ଫେରିଥିଲେ।

Advertisment ବ୍ରାଜିଲରେ ଫ୍ଲାଭିଓ ବୋଲ୍ସୋନାରୋଙ୍କ ବିରୋଧରେ ଦୁର୍ନୀତି, ଅର୍ଥ ହେରଫେର ଓ ଟିକସ ଫାଙ୍କି ଭଳି ଅଭିଯୋଗ ରହିଛି।

ଏହି ମାମଲାରେ କୋର୍ଟ ତାଙ୍କୁ ମଙ୍ଗଳବାର ଅପରାହ୍ଣ ସୁଦ୍ଧା ସାଧାରଣ ଓ କୂଟନୈତିକ ପାସପୋର୍ଟ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ସେ ଏହି ନିର୍ଦ୍ଦେଶ ପାଳନ କରିଥିଲେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ତାଙ୍କ ସହଯୋଗୀଙ୍କ କହିବା ଅନୁସାରେ, ତାଙ୍କ ପାଖରେ ଇଟାଲୀର ପାସପୋର୍ଟ ମଧ୍ୟ ରହିଛି।

ବ୍ରାଜିଲର ନିର୍ବାଚନୀ ଫଳାଫଳ ଅନୁସାରେ, ଲୁଲା ଦା ସିଲଭା ମୋଟ ୬ କୋଟି ୪୨ ଲକ୍ଷରୁ ଅଧିକ ଭୋଟ୍ ପାଇଥିବାବେଳେ ଫ୍ଲାଭିଓ ବୋଲ୍ସୋନାରୋ ପ୍ରାୟ ୫ କୋଟି ୯୮ ଲକ୍ଷ ଭୋଟ୍ ପାଇଛନ୍ତି।

ଉଭୟଙ୍କ ମଧ୍ୟରେ ଭୋଟ୍ ବ୍ୟବଧାନ ପ୍ରାୟ ୪୪ ଲକ୍ଷ ଥିଲା।

ଏହି ବିଜୟ ସହ ଲୁଲା ବ୍ରାଜିଲରେ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ପଦ ହାସଲ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।