Bomb Threats Trigger Security Scare Across Delhi: ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ବୋମା ଧମକ, ହାଇକୋର୍ଟଠାରୁ ବିମାନବନ୍ଦର ଟାର୍ଗେଟ୍

Aug 14, 2026 - 15:01
Bomb Threats Trigger Security Scare Across Delhi: ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ବୋମା ଧମକ, ହାଇକୋର୍ଟଠାରୁ ବିମାନବନ୍ଦର ଟାର୍ଗେଟ୍

ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ବେଳେ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ ମିଳିଛି। ଏକ ଇମେଲ୍ ମାଧ୍ୟମରେ ଏହି ଧମକ ଦିଆଯାଇଥିବା ଜଣାପଡ଼ିଛି।
‘30 MB Blast at the Delhi High Court’,ଶୀର୍ଷକ ଥିବା ଇମେଲ୍‌ରେ ଦିନ ୨ଟା ୧୧ ମିନିଟ୍‌ରେ ବିସ୍ଫୋରଣ ହେବ ବୋଲି ଉଲ୍ଲେଖ କରାଯାଇଥିଲା।

ଦିଲ୍ଲୀ ହାଇକୋର୍ଟ ବାର୍ ଆସୋସିଏସନର ଯୁଗ୍ମ ସଚିବ କୁନାଲ ମଲହୋତ୍ରା କହିଛନ୍ତି ଯେ, ଧମକଟି ନକଲି ମନେ ହେଉଛି। ସେ କହିଛନ୍ତି, “ସମସ୍ତ ପ୍ରକାରର ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ଏବଂ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।”

ଦିଲ୍ଲୀ ଅଗ୍ନିଶମ ସେବା ଅନୁଯାୟୀ, ଆଉ ୫ଟି ସ୍ଥାନକୁ ବୋମା ଧମକ ମିଳିଛି। ଏହି ସ୍ଥାନଗୁଡ଼ିକ ହେଉଛି—ଜାମନଗର ହାଉସ୍, ଝଣ୍ଡେୱାଲାନ୍ ଫ୍ଲାଟେଡ୍ ଫ୍ୟାକ୍ଟ୍ରି କମ୍ପ୍ଲେକ୍ସ, ଏମବି ସାକେତ ଅଫିସ୍/ଡିଏମ୍ ଅଫିସ୍, ଟର୍ମିନାଲ-୩ ଆଇଜିଆଇ ବିମାନବନ୍ଦର ଏବଂ ଏସଡିଏମ୍ ଅଫିସ୍, ଦିଲ୍ଲୀ କ୍ୟାଣ୍ଟନମେଣ୍ଟ । ସମସ୍ତ ସ୍ଥାନକୁ ଅଗ୍ନିଶମ ବାହିନୀର ଗାଡ଼ି ପଠାଯାଇଥିଲା ।  

ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଅଗଷ୍ଟ ୧୫ରେ ପାଳନ ହେବାକୁ ଥିବା ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀ ସମେତ ଦେଶର ଅନ୍ୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।
ଗୁରୁତ୍ୱ ସ୍ଥାନଗୁଡ଼ିକରେ ପୁଲିସ କର୍ମଚାରୀ ମୁତୟନ କରାଯାଇଛି। ଏହା ସହିତ ପ୍ରବେଶ ଓ ପ୍ରସ୍ଥାନ ପଥରେ ଅତିରିକ୍ତ ଯାଞ୍ଚ କରାଯାଉଛି। ସାର୍ବଜନୀନ ସ୍ଥାନ ଏବଂ ଅଗଷ୍ଟ ୧୫ ପୂର୍ବରୁ ଅଧିକ ଲୋକଙ୍କ ସମାଗମ ହେବାକୁ ଥିବା ଅଞ୍ଚଳ ଉପରେ ମଧ୍ୟ ସୁରକ୍ଷା ଟିମ୍‌ଗୁଡ଼ିକ ତୀକ୍ଷ୍ଣ ନଜର ରଖିଛନ୍ତି।

ରାଜଧାନୀରେ ସ୍ୱାଧୀନତା ଦିବସ ସମାରୋହ ପୂର୍ବରୁ ଏହି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ।
ଅଗଷ୍ଟ ୩ ତାରିଖରେ ଦିଲ୍ଲୀ ମେୟରଙ୍କ କାର୍ଯ୍ୟାଳୟକୁ ଅଷ୍ଟମ ଥର ପାଇଁ ବୋମା ଧମକ ମିଳିଥିଲା। ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା।

ମେୟରଙ୍କ କାର୍ଯ୍ୟାଳୟ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ତୁରନ୍ତ ସମ୍ପୃକ୍ତ ସୁରକ୍ଷା ଏଜେନ୍ସି ଏବଂ ଦିଲ୍ଲୀ ପୁଲିସକୁ ଅବଗତ କରିଥିଲା। ଏହା ପରେ ସୁରକ୍ଷା ପ୍ରୋଟୋକଲ୍ ସକ୍ରିୟ କରାଯିବା ସହ ଆବଶ୍ୟକ ପଦକ୍ଷେପ ଆରମ୍ଭ କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।