Migrant Labour: ପାଠ ପଢ଼ିବାର ସ୍ୱପ୍ନ ଅଧାରେ ରହିଗଲା, ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ଚାଲିଗଲା ଜୀବନ

Aug 14, 2026 - 15:01
Migrant Labour: ପାଠ ପଢ଼ିବାର ସ୍ୱପ୍ନ ଅଧାରେ ରହିଗଲା, ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ଚାଲିଗଲା ଜୀବନ

ଘର ଦୂଆରଟା କାନ୍ଦ ବୋବାଳିରେ ଫାଟି ପଡୁଛି । ରୋଜଗାରିଆ ପୁଅଟା ନୁହେଁ ରୋଜଗାରିଆ ଝିଅଟା ମରି ଶୋଇଛି। ଅଧାରେ ରହିଗଲା କଲେଜ୍ ପାଠପଢ଼ା। ପାଠ ପଢ଼ିବାକୁ ଦାଦନ ଖଟିବାକୁ ଯାଇ ମୁମ୍ବାଇରେ ଆଖିବୁଜିଛନ୍ତି ଯୁବତୀl ଗଜପତି ଜିଲ୍ଲା ମୋହନା ଥାନା ବଡ଼ଖଣି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା l 

ଗାଁର ୨୦ ବର୍ଷୀୟା ଆଲିନା ମଲ୍ଲିକ ମାଟ୍ରିକ ପାସ୍ କରିବା ପରେ କଲେଜରେ ନାମ ଲେଖାଇବାକୁ ଆର୍ଥିକ ସମ୍ବଳ ନ ଥିବାରୁ ପାଠ ଛାଡି ଘରେ ବସିଥିଲେl ଦାଦନ ଯାଇ କିଛି ଟଙ୍କା ଠୁଳ କଲେ କଲେଜରେ ନାଁ ଲେଖାଇବେ ମନସ୍ଥ କରି ମୁମ୍ବାଇ ଚାଲି ଯାଇଥିଲେ। ସେଠାରେ ଦାଦନ ଖଟୁଥିବା ବେଳେ ତାଙ୍କର ଅସ୍ବାଭାବିକ ଭାବେ ମୃତ୍ୟୁ ହୋଇଯାଇଛି। 

ମୁମ୍ବାଇରେ ପେଟ ଯନ୍ତ୍ରଣାରେ ଆକ୍ରାନ୍ତ ହୋଇ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସାଧିନ ଥିଲେ ଆଲିନା। ହେଲେ ଗତକାଲି ତାଙ୍କର ମୃତ୍ୟୁ ଘଟିଛିl ମାଲିକ ଯୁବତୀଙ୍କ ମୃତଦେହ ଭୁବନେଶ୍ୱର ଯାଏଁ ପଠାଇବା ଦେବା ପରେ ପରିବାର ଲୋକେ ଭୁବନେଶ୍ୱରରୁ ଗାଁକୁ ଆଣିଛନ୍ତିl 

ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଥିବା ବେଳେ ସରକାର ଏହି ଗରିବ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି l

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।