Breast Cancer Screening Gets AI Boost: ବ୍ରେଷ୍ଟ କ୍ୟାନସର ଚିହ୍ନିବ AI! ୫ ବର୍ଷ ପୂର୍ବରୁ ଜଣାପଡ଼ିଯିବ କର୍କଟ ରୋଗ ହେବ କି ନାହିଁ
AI ଚିହ୍ନିବ ବ୍ରେଷ୍ଟ କ୍ୟାନସର। କର୍କଟ ରୋଗ ଚିହ୍ନଟ ଓ ଚିକିତ୍ସା କ୍ଷେତ୍ରରେ AIର ବ୍ୟବହାର ବଢ଼ିବାରେ ଲାଗିଛି। ବିଶେଷକରି ମାମୋଗ୍ରାମ୍ ରିପୋର୍ଟ ବିଶ୍ଳେଷଣ କରି କର୍କଟର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବାରେ ଏହା ସହାୟକ ହେଉଛି। ବିଭିନ୍ନ ଦେଶରେ ହୋଇଥିବା କେତେକ ପରୀକ୍ଷଣରେ AI ସହାୟତାରେ ସ୍ତନ କର୍କଟ ଚିହ୍ନଟ ହାର ପ୍ରାୟ ୧୫ରୁ ୨୦ ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଯାଇଛି।
୫ ବର୍ଷ ପୂର୍ବରୁ ଜଣାପଡ଼ିବ କ୍ୟାନସର ଆଶଙ୍କା!
AI ଆଧାରିତ କେତେକ ନୂଆ ଟୁଲ୍ ରୋଗୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ତଥ୍ୟ ଏବଂ ମାମୋଗ୍ରାମ୍ ବିଶ୍ଳେଷଣ କରି ଆଗାମୀ ୫ ବର୍ଷରେ ସ୍ତନ କର୍କଟ ହେବାର ଆଶଙ୍କା ଆକଳନ କରିପାରୁଛି। ତେବେ ଏହି ପ୍ରଯୁକ୍ତି ଏବେ ବି ପରୀକ୍ଷଣ ଓ ମୂଲ୍ୟାୟନ ପର୍ଯ୍ୟାୟରେ ରହିଛି। ଏହା କର୍କଟ ରୋଗ ନିଶ୍ଚିତ ହେବ ବୋଲି ପୂର୍ବାନୁମାନ କରେ ନାହିଁ।
ଘନ ସ୍ତନ ଟିସ୍ୟୁରେ ବି ଚିହ୍ନଟ ହୋଇପାରିବ କ୍ୟାନସର
କମ୍ ବୟସର ଅନେକ ମହିଳାଙ୍କ ସ୍ତନ ଟିସ୍ୟୁ ଅଧିକ ଘନ ହୋଇଥାଏ। ଏଭଳି କ୍ଷେତ୍ରରେ ମାମୋଗ୍ରାମ୍ ମାଧ୍ୟମରେ କର୍କଟ ଚିହ୍ନଟ କରିବା କଷ୍ଟକର ହୋଇପାରେ। AI ସନ୍ଦେହଜନକ ଗାଣ୍ଠି ଏବଂ ସାଧାରଣ ସ୍ତନ ଟିସ୍ୟୁ ମଧ୍ୟରେ ପାର୍ଥକ୍ୟ ଚିହ୍ନଟ କରିବାରେ ଡାକ୍ତରଙ୍କୁ ସହାୟତା କରିପାରିବ।
ସେହିପରି ଗାଣ୍ଠି କର୍କଟଜନିତ କି ନୁହେଁ, ତାହାର ଆଶଙ୍କା ଆକଳନ କରିବାରେ ମଧ୍ୟ AI ସହାୟକ ହୋଇପାରେ। ଫଳରେ ଅନାବଶ୍ୟକ ବାୟୋପ୍ସି କମାଇବାର ସମ୍ଭାବନା ରହିଛି। ତଥାପି ବାୟୋପ୍ସି ଆବଶ୍ୟକ କି ନୁହେଁ, ତାହାର ଚୂଡ଼ାନ୍ତ ନିଷ୍ପତ୍ତି ଡାକ୍ତର ହିଁ ନେବେ।
ଗ୍ରାମାଞ୍ଚଳ ମହିଳାଙ୍କ ପାଇଁ ବରଦାନ ହେବ AI
ଗ୍ରାମାଞ୍ଚଳରେ ସଚେତନତା ଅଭାବରୁ ଅନେକ ମହିଳା ସ୍ତନରେ ଗାଣ୍ଠି ହେଲେ ମଧ୍ୟ ଡାକ୍ତରଙ୍କ ପାଖକୁ ଯାଆନ୍ତି ନାହିଁ। ଫଳରେ ବିଳମ୍ବରେ କର୍କଟ ଚିହ୍ନଟ ହୋଇଥାଏ। ଏଭଳି ସ୍ଥିତିରେ ଛୋଟ ଡାକ୍ତରଖାନାରେ ମାମୋଗ୍ରାମ୍, AI ଏବଂ ଟେଲି-କନସଲଟେସନ୍ ସୁବିଧା ମିଳିଲେ ରୋଗୀମାନେ ଶୀଘ୍ର ବିଶେଷଜ୍ଞଙ୍କ ପରାମର୍ଶ ପାଇପାରିବେ।
ବିଶେଷଜ୍ଞଙ୍କ ମତରେ, ଆଗାମୀ ୧୦ ବର୍ଷରେ AI ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିପାରେ। କିନ୍ତୁ ଏହା ଡାକ୍ତରଙ୍କ ବିକଳ୍ପ ନୁହେଁ, ବରଂ ରୋଗ ଚିହ୍ନଟକୁ ଅଧିକ ସଠିକ୍ ଓ ଦ୍ରୁତ କରିବାର ଏକ ସହାୟକ ମାଧ୍ୟମ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।