BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

Sep 12, 2026 - 11:04
BRICS Summit: ବିଦେଶୀ ନେତା ଓ ତାଙ୍କ ବଡ଼ ଟିମ୍‌ର ଖର୍ଚ୍ଚ ଉଠାଏ କିଏ? କାହା ପକେଟରୁ ଯାଏ କୋଟି କୋଟି ଟଙ୍କା, ଜାଣନ୍ତୁ…

ନୂଆଦିଲ୍ଲୀ,୧୨।୯: ରାଜଧାନୀ ଦିଲ୍ଲୀ ସେପ୍ଟେମ୍ୱର ୧୨ ଏବଂ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ (BRICS) ଶିଖର ସମ୍ମିଳନୀର ଆୟୋଜନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ୧୧ଟି ସଦସ୍ୟ ଦେଶ ଏବଂ ୧୦ଟି ସହଯୋଗୀ (ପାର୍ଟନର) ଦେଶର ଶୀର୍ଷ ନେତା ଏଥିରେ ଅଂଶଗ୍ରହଣ କରୁଛନ୍ତି। ପୁଟିନଙ୍କ ପାଇଁ ଆଇଟିସି ମୌର୍ଯ୍ୟ (ITC Maurya), ସି ଜିନପିଙ୍ଗଙ୍କ ପାଇଁ ତାଜ ପ୍ୟାଲେସ (Taj Palace), ୟୁଏଇର ରାଷ୍ଟ୍ରମୁଖ୍ୟଙ୍କ ପାଇଁ ଲୀଳା ପ୍ୟାଲେସ (Leela Palace) ଏବଂ ମିଶରର ପ୍ରତିନିଧି ଦଳ ପାଇଁ ଶେରାଟନ ହୋଟେଲ (Sheraton Hotel) ଭଳି ପ୍ରମୁଖ ବିଳାସପୂର୍ଣ୍ଣ ସ୍ଥାନଗୁଡ଼ିକ ସଜେଇ ହୋଇଛି। ବ୍ରିକ୍ସ ଭଳି ବିଶାଳ ଆନ୍ତର୍ଜାତୀୟ ସମ୍ମିଳନୀରେ ଯେତେବେଳେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟମାନେ ଏକତ୍ରିତ ହୁଅନ୍ତି, ସେତେବେଳେ ସେମାନଙ୍କ ସହିତ ଶହ ଶହ ଅଧିକାରୀ, ସୁରକ୍ଷାକର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କର ଏକ ବିରାଟ ଦଳ ମଧ୍ୟ ଆସିଥାଏ। ଏଭଳି ପରିସ୍ଥିତିରେ ଏହି ବିଦେଶୀ ଅତିଥି ଏବଂ ସେମାନଙ୍କ ସହିତ ଆସିଥିବା ବିଶାଳ ଦଳର ରହିବା, ଖାଇବା-ପିଇବା ତଥା ସୁରକ୍ଷାର ବିପୁଳ ଖର୍ଚ୍ଚ ପ୍ରକୃତରେ କିଏ ବହନ କରେ ବୋଲି ପ୍ରଶ୍ନ ଉଠିବା ସୱାଭାବିକ।

ବ୍ରିକ୍ସ ସଂଗଠନର ପରମ୍ପରା ଅନୁଯାୟୀ, ଶିଖର ସମ୍ମିଳନୀ ଆୟୋଜନ କରୁଥିବା ଦେଶ ଉପରେ ହିଁ ଏହାର ସମ୍ପୂର୍ଣ୍ଣ ଆର୍ଥିକ ବୋଝ ରହିଥାଏ। ଏହି ବ୍ୟବସ୍ଥା ଅଧୀନରେ ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ସମ୍ପୃକ୍ତ ସରକାରୀ ବିଭାଗଗୁଡ଼ିକ ବୈଠକ, ସ୍ଥାନ ପରିଚାଳନା (ଭେନ୍ୟୁ ମ୍ୟାନେଜମେଣ୍ଟ), ବିଦେଶୀ ପ୍ରତିନିଧି ଦଳଙ୍କ ସୱାଗତ ତଥା ଆବଶ୍ୟକୀୟ ଲଜିଷ୍ଟିକ୍ସ ଖର୍ଚ୍ଚ ବହନ କରୁଛନ୍ତି। ସେହିପରି କଡ଼ା ତଥା ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ୱ ଦିଲ୍ଲୀ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାଗୁଡ଼ିକ ମିଳିତ ଭାବେ ତୁଲାଉଛନ୍ତି।

ଆନ୍ତର୍ଜାତୀୟ କୂଟନୈତିକ ପ୍ରୋଟୋକଲ ଅନୁଯାୟୀ, ଏହି ସମଗ୍ର ଖର୍ଚ୍ଚ ଦୁଇ ଭାଗରେ ବିଭକ୍ତ ଗୋଟିଏ ଭାଗ ଆୟୋଜକ ଦେଶ ବହନ କରେ ଏବଂ ଅନ୍ୟ ଭାଗଟି ନିଜେ ଅତିଥି ଦେଶ ବହନ କରିଥାଏ।

ସମ୍ମିଳନୀ ଆୟୋଜନ କରୁଥିବା ଦେଶ ଯେପରିକି ଭାରତ, ନିଜର ସରକାରୀ ରାଜକୋଷ ଏବଂ ବୈଦେଶିକ ମନ୍ତ୍ରଣାଳୟର ବଜେଟରୁ ମୁଖ୍ୟ ବ୍ୟବସ୍ଥାଗୁଡ଼ିକ କରିଥାଏ। ଏହା ଅଧୀନରେ ପ୍ରମୁଖ ରାଷ୍ଟ୍ରମୁଖ୍ୟମାନେ (ରାଷ୍ଟ୍ରପତି ବା ପ୍ରଧାନମନ୍ତ୍ରୀ) ଏବଂ ସେମାନଙ୍କର କିଛି ର୍ନିଦ୍ଦିଷ୍ଟ ଶୀର୍ଷ ଅଧିକାରୀଙ୍କ ପାଇଁ ଫାଇଭ ଷ୍ଟାର୍‌ ହୋଟେଲର ମୁଖ୍ୟ ସୁଇଟ (suite) ଓ ଖାଦ୍ୟପେୟର ଖର୍ଚ୍ଚ ଆୟୋଜକ ଦେଶ ବହନ କରିଥାଏ। ଏହା ବ୍ୟତୀତ ସମଗ୍ର ପ୍ରତିନିଧି ଦଳକୁ ସ୍ଥାନୀୟ ସ୍ତରରେ ବୁଲେଟପ୍ରୁଫ ଗାଡ଼ି, ସୁରକ୍ଷା କାରକେଡ (କନଭୟ) ଏବଂ ୨୪ ଘଣ୍ଟିଆ ଅଭେଦ୍ୟ ସୁରକ୍ଷା ଯୋଗାଇଦେବା ଆୟୋଜକ ଦେଶର ଦାୟିତ୍ୱ ଅଟେ। ବିମାନବନ୍ଦରରେ ବିଦେଶୀ ବିମାନଗୁଡ଼ିକର ଅବତରଣ (ଲ୍ୟାଣ୍ଡିଂ), ପାର୍କିଂ, ମୁଖ୍ୟ ଆୟୋଜନ ସ୍ଥଳ ଯେପରିକି ନୂଆଦିଲ୍ଲୀର ଭାରତ ମଣ୍ଡପମ ଏବଂ ସରକାରୀ ରାତ୍ରିଭୋଜନର ଖର୍ଚ୍ଚ ମଧ୍ୟ ଆୟୋଜକ ଦେଶ ହିଁ ତୁଲାଇଥାଏ।

ରାଷ୍ଟ୍ରମୁଖ୍ୟଙ୍କ ସହିତ ଆସୁଥିବା ଶହ ଶହ ଲୋକଙ୍କ ଦଳର ବାକି ଖର୍ଚ୍ଚ ସମ୍ପୃକ୍ତ ଦେଶ ନିଜେ ବହନ କରେ। ନିଜ ଦେଶରୁ ଯିବାଆସିବା କରୁଥିବା ସୱତନ୍ତ୍ର ବିମାନ ବା ବ୍ୟବସାୟିକ (କମର୍ସିଆଲ) ବିମାନର ଇନ୍ଧନ ଓ ଟିକେଟ ଖର୍ଚ୍ଚ ଅତିଥି ଦେଶ ଦେଇଥାଏ। ମୁଖ୍ୟ ଭିଭିଆଇପିଙ୍କ ବ୍ୟତୀତ ଅନ୍ୟ ସମସ୍ତ ଜୁନିୟର ଅଧିକାରୀ, କମାଣ୍ଡୋ ଏବଂ ଗଣମାଧ୍ୟମ କର୍ମୀଙ୍କ ପାଇଁ ବୁକ କରାଯାଇଥିବା ଅତିରିକ୍ତ ହୋଟେଲ ରୁମଗୁଡ଼ିକର ବିପୁଳ ବିଲ ମଧ୍ୟ ସେହି ଦେଶ ହିଁ ପଇଠ କରେ। କେବଳ ସେତିକି ନୁହେଁ, ଯଦି କୌଣସି ଦେଶ ନିଜର ବ୍ୟକ୍ତିଗତ ବୁଲେଟପ୍ରୁଫ ଗାଡ଼ି, ନିଜର ରୋଷେୟା (ଶେଫ) କିମ୍ୱା ସୱତନ୍ତ୍ର ଯୋଗାଯୋଗ ଉପକରଣ ସାଙ୍ଗରେ ଆଣିଥାଏ, ତେବେ ସେଗୁଡ଼ିକର ରକ୍ଷଣାବେକ୍ଷଣ ଏବଂ ପରିବହନ ଖର୍ଚ୍ଚ ମଧ୍ୟ ସେହି ଦେଶକୁ ହିଁ ଦେବାକୁ ପଡ଼ିଥାଏ।

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।