BRICS: ୭ ବର୍ଷ ପରେ ଭାରତ ଆସିଛନ୍ତି ସି ଜିନପିଙ୍ଗ, ଜାଣନ୍ତୁ କେବେ ଭେଟିବେ ପ୍ରଧାନମନ୍ତ୍ରୀ ମୋଦଙ୍କୁ
ନୂଆଦିଲ୍ଲୀ,୧୨।୯: ଭାରତ ଆଜି (ଶନିବାର) ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଆୟୋଜନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ଅନ୍ୟାନ୍ୟ ନେତାମାନେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO)ର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ ଆଧାନୋମ ଘେବ୍ରେୟେସସ ମଧ୍ୟ ଏହି ସମ୍ମିଳନୀ ପାଇଁ ଭାରତରେ ପହଞ୍ଚିଛନ୍ତି। ଅନ୍ୟ ନେତାମାନଙ୍କ ମଧ୍ୟରେ, ବେଲାରୁଷ ଗଣରାଜ୍ୟର ବୈଦେଶିକ ମନ୍ତ୍ରୀ ମାକ୍ସିମ ରାଇଜେନକୋଭ ମଧ୍ୟ ଏହି ସମ୍ମିଳନୀ ପାଇଁ ଭାରତ ଆସିଛନ୍ତି।
ଗୁରୁତ୍ୱପୂର୍ଣ୍ଣ କଥା େହେଲା ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ବ୍ରିକ୍ସ ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ଶନିବାର ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ବ୍ରିକ୍ସ ସମ୍ମିଳନୀର କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ। ଦୀର୍ଘ ୭ ବର୍ଷ ପରେ ଜିନପିଙ୍ଗ ଭାରତ ଆସିଛନ୍ତି।
ଶୁକ୍ରବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦିଲ୍ଲୀରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦି ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନ ଏବଂ ଅନ୍ୟାନ୍ୟ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଜାତୀୟ ରାଜଧାନୀରେ ଅନୁଷ୍ଠିତ ବ୍ରିକ୍ସ (BRICS) ସମ୍ମିଳନୀ ଅବସରରେ ଆୟୋଜିତ ଏକ ବୈଠକରେ, ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ବହୁ-ମେରୁ ବିଶିଷ୍ଟ ବିଶ୍ୱ ବ୍ୟବସ୍ଥା (multipolarity)ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ବର୍ତ୍ତମାନର ଏବଂ ଦ୍ରୁତ ଗତିରେ ପରିବର୍ତ୍ତିତ ହେଉଥିବା ବିଶ୍ୱର ବାସ୍ତବତାକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସମେତ ବିଭିନ୍ନ ବହୁପାକ୍ଷିକ ସଂସ୍ଥାରେ ସଂସ୍କାର ଆଣିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି; ସି ଜିନପିଙ୍ଗ ବ୍ରିକ୍ସ ସମ୍ମିଳନୀ ପାଇଁ ଭାରତ ଗସ୍ତରେ ଆସିଛନ୍ତି। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ମୋଦି ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲି ଏବଂ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କୁ ମଧ୍ୟ ଭେଟିବେ। ପ୍ରଧାନମନ୍ତ୍ରୀ ମୋଦି ଆବୁଧାବିର କ୍ରାଉନ ପ୍ରିନ୍ସ ଶେଖ ଖାଲେଦ ବିନ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କ ସହ ମଧ୍ୟ ଆଲୋଚନା କରିବେ। ଏହା ସହିତ, ପ୍ରଧାନମନ୍ତ୍ରୀ ମୋଦି ଭିଏତନାମର ପ୍ରଧାନମନ୍ତ୍ରୀ ଲେ ମିନ ହୁଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।