Bridge Swept Away in Seconds: କିଛି ସେକେଣ୍ଡରେ ଭାସିଗଲା ବ୍ରିଜ୍, ପ୍ରଖର ଜଳସ୍ରୋତରେ ଉତ୍ତରାଖଣ୍ଡରେ ଭୟଙ୍କର ସ୍ଥିତି
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ନଦୀର ଜଳସ୍ତର ବଢ଼ିଯିବାରୁ ସୃଷ୍ଟି ହୋଇଥିବା ପ୍ରଖର ଜଳସ୍ରୋତରେ ଏକ ବ୍ରିଜ୍ ଭାସିଯାଇଛି। ଚାମୋଲି ଜିଲ୍ଲା ଅଧୀନ ନୀତି ଭ୍ୟାଲି ଅଞ୍ଚଳରେ ଘଟିଥିବା ଏହି ଘଟଣାର ଭିଡିଓ କ୍ୟାମେରାରେ କଏଦ ହୋଇଛି।
ଭାଇରାଲ୍ ହୋଇଥିବା ଭିଡିଓରେ ନଦୀରେ ପ୍ରବଳ ବେଗରେ ମାଟି ମିଶ୍ରିତ ବିପୁଳ ପରିମାଣର ପାଣି ତଳକୁ ଆସୁଥିବା ଦେଖାଯାଇଛି। ଏହି ପାଣିର ପ୍ରଖର ସ୍ରୋତ ବ୍ରିଜ୍ରେ ଧକ୍କା ଦେବାର କିଛି ସେକେଣ୍ଡ ମଧ୍ୟରେ ବ୍ରିଜ୍ଟି ଉପୁଡି ଯାଇ ନଦୀ କୂଳ ଆଡ଼କୁ ଭାସିଯାଇଥିଲା।
ଘଟଣା ସମୟର ଭିଡିଓରେ ନଦୀ କୂଳ ଦେଇ ଯାଇଥିବା ରାସ୍ତାରେ ଏକ ଟ୍ରକ୍ ଏବଂ ଏକ SUV ଥିବା ମଧ୍ୟ ଦେଖାଯାଇଛି। ବ୍ରିଜ୍ ଭାସିଯିବା ପୂର୍ବରୁ ଉଭୟ ଗାଡ଼ି ଠିକ୍ ସମୟରେ ଦିଗ ପରିବର୍ତ୍ତନ କରି ଫେରିଯାଇଥିଲେ।
ବ୍ରିଜ୍ଟି ଭାସିଯିବା ପରେ ଏହି ଅଞ୍ଚଳ ମୁଖ୍ୟ ସହରଠାରୁ ବିଚ୍ଛିନ୍ନ ହୋଇଯାଇଛି। ପରିସ୍ଥିତି ସୁଧୁରିବା ଏବଂ ପ୍ରଶାସନ ପକ୍ଷରୁ ଯାତାୟାତ ପାଇଁ ଅନୁମତି ନଦେବା ପର୍ଯ୍ୟନ୍ତ ଲୋକଙ୍କୁ ଏହି ଅଞ୍ଚଳକୁ ଯାତ୍ରା ନକରିବାକୁ କୁହାଯାଇଛି।
ଏହାସହ ଉପତ୍ୟକାରେ ନଦୀ ଓ ଝରଣା କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ଦୂରତା ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ଓ ପୁନର୍ବାସ ବିଭାଗର ସଚିବ ବିନୋଦ କୁମାର ସୁମନ କହିଛନ୍ତି ଯେ ରବିବାର ରାତିଠାରୁ ରାଜ୍ୟରେ ଲଗାତାର ବର୍ଷା ହେଉଛି। ଡେରାଡୁନ, ବାଗେଶ୍ୱର, ନୈନିତାଲ ଏବଂ ଚମ୍ପାୱତ ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିଛି।
ସେ କହିଛନ୍ତି, ସମଗ୍ର ରାଜ୍ୟରେ ବର୍ଷା ହେବ। ବର୍ଷା ଜାରି ରହିବ। ସନ୍ଧ୍ୟା ସମୟରେ କିଛି ସମୟ ପାଇଁ ବର୍ଷାରେ ବିରତି ଆସିପାରେ। ଏହାପରେ ଗତ ରାତି ଭଳି ପୁଣି ରାତିରେ ବର୍ଷା ହେବ।
ଭୂସ୍ଖଳନ ପ୍ରବଣ ଅଞ୍ଚଳଗୁଡ଼ିକରେ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ସେ କହିଛନ୍ତି। ଏଭଳି ବିପର୍ଯ୍ୟୟ ସମୟରେ ଲୋକମାନେ କ’ଣ କରିବା ଉଚିତ, ସେନେଇ ମଧ୍ୟ ସେମାନଙ୍କୁ ସଚେତନ କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।