Pallikabi Title Controversy: ‘ପଲ୍ଲୀକବି’ଙ୍କ ପରିଚୟକୁ ନେଇ ବିବାଦ; କିଏ ପଲ୍ଲୀକବି… ନନ୍ଦ କିଶୋର ବଳ, ନା କୃଷ୍ଣ ପ୍ରସାଦ ବେହେରା ?

Aug 10, 2026 - 20:28
Pallikabi Title Controversy: ‘ପଲ୍ଲୀକବି’ଙ୍କ ପରିଚୟକୁ ନେଇ ବିବାଦ; କିଏ ପଲ୍ଲୀକବି… ନନ୍ଦ କିଶୋର ବଳ, ନା କୃଷ୍ଣ ପ୍ରସାଦ ବେହେରା ?

ପଲ୍ଲୀକବି ଉପାଧିକୁ ନେଇ ବିବାଦ। ନନ୍ଦ କିଶୋର ବଳଙ୍କ ବଦଳରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ପ୍ରକାଶିତ ପୁସ୍ତକରେ କୃଷ୍ଣ ପ୍ରସାଦ ବେହେରାଙ୍କୁ ପଲ୍ଲୀକବି ଦର୍ଶାଯିବାକୁ ନେଇ ତେଜିଛି ଅସନ୍ତୋଷ। ବହିର ଶୀର୍ଷକକୁ ନେଇ ଆପତ୍ତି ଉଠାଇଛନ୍ତି ମାହାଙ୍ଗା ଅଞ୍ଚଳର କବି, ଲେଖକ ଓ ସାହିତ୍ୟିକ। ଏପଟେ ଘଟଣାକୁ ନେଇ ସଫେଇ ରଖିଛି ଓଡ଼ିଶା ସାହିତ୍ୟ ଏକାଡେମୀ।

‘ବାଇ ଚଢ଼େଇରେ ବାଇ ଚଢ଼େଇ’ ହେଉ କି ‘ଧୋରେ ବାୟା ଧୋ’। ପିଲାଦିନର ସ୍ମୃତି ସହ ଯୋଡ଼ିହୋଇ ରହିଛି ପଲ୍ଲୀକବିଙ୍କ ସୃଷ୍ଟି। ‘ପଲ୍ଲୀକବି’ ନାଁ ଶୁଣିଲେ ମନକୁ ଆସନ୍ତି ନନ୍ଦକିଶୋର ବଳ। ହେଲେ ଏବେ ସେହି ଉପାଧିକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ନଜର ପକାନ୍ତୁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ପ୍ରକାଶିତ ଏଇ ପୁସ୍ତକ ଉପରେ। ବହିଟିର ନାଁ ରହିଛି ପଲ୍ଲୀକବି କୃଷ୍ଣପ୍ରସାଦ ବେହେରା। ଏହି ପୁସ୍ତକକୁ ନେଇ ତେଜିଛି ବିବାଦ। ଆପତ୍ତି ଉଠାଇଛନ୍ତି ମାହାଙ୍ଗା ଅଞ୍ଚଳର କବି, ଲେଖକ ଓ ସାହିତ୍ୟିକ। 

ସେମାନଙ୍କ ଅଭିଯୋଗ, ନନ୍ଦକିଶୋର ବଳଙ୍କ ସହ ଓତଃପ୍ରୋତ ଭାବେ ଜଡ଼ିତ ଉପାଧିକୁ ଅନ୍ୟ କବିଙ୍କ ନାଁରେ ବ୍ୟବହାର କରିବା ଓଡ଼ିଆ ଅସ୍ମିତା ପ୍ରତି ଅସମ୍ମାନ। ଏହା ପରପିଢ଼ି ପାଇଁ ଭ୍ରମ ସୃଷ୍ଟି କରିବ। ଯଦି ନନ୍ଦକିଶୋର ବଳଙ୍କ ବଦଳରେ ଅନ୍ୟ କେହି ପଲ୍ଲୀକବି ହୋଇପାରୁଛନ୍ତି ତେବେ ଆଗକୁ ଅନ୍ୟ କବିଙ୍କ ପରିଚୟ ମଧ୍ୟ ବଦଳିଯିବନି ବୋଲି କୁହାଯାଇନପାରେ। ନାମ ପରିବର୍ତ୍ତନ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଶୁଣାଇଛନ୍ତି।

ଡକ୍ଟର ମନ୍ମଥ କୁମାର ପ୍ରଧାନଙ୍କ ଲିଖିତ ‘ପଲ୍ଲୀକବି କୃଷ୍ଣ ପ୍ରସାଦ ବେହେରା’ ଶୀର୍ଷକ ପୁସ୍ତକ ୨୦୧୭ରେ ପ୍ରକାଶିତ ହୋଇଥିଲା। ବହିର ନାମକରଣକୁ ନେଇ ବରିଷ୍ଠ ସାହିତ୍ୟିକ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଭୁଲକୁ ସ୍ବୀକାର କରିବା ବଦଳରେ ସଫେଇ ରଖିଛି ଓଡ଼ିଶା ସାହିତ୍ୟ ଏକାଡେମୀ। 

ଏକାଡେମୀ ସଚିବଙ୍କ କହିବା କଥା, କୃଷ୍ଣପ୍ରସାଦ ବେହେରାଙ୍କ ୯୦ ପ୍ରତିଶତ ରଚନା ପଲ୍ଲୀ ଭାବନା ଭିତ୍ତିକ। ସେହି ମର୍ମକୁ ବୁଝାଇବାକୁ ଏଭଳି ଶୀର୍ଷକ ପ୍ରଦାନ କରାଯାଇଥିଲା।ତେବେ ଏହି ନାଁରେ ଆଉ ପରବର୍ତ୍ତୀ ସଂସ୍କରଣ ପ୍ରକାଶ କରାଯିବ ନାହିଁ ବୋଲି ଏକାଡେମୀ ସ୍ପଷ୍ଟ କରିଛି। ତେବେ ଏ ସମ୍ପର୍କରେ ଲେଖକ ମନ୍ମଥ କୁମାରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ବି ସମ୍ଭବ ହୋଇପାରିନି । 

ପ୍ରଶ୍ନ ଉଠୁଛି- ‘ପଲ୍ଲୀକବି’ ଉପାଧି ଅନ୍ୟ ଜଣଙ୍କ ନାଁ ସହ କେମିତି ଯୋଡ଼ାଗଲା ? ଅନୁମୋଦନ ପୂର୍ବରୁ କମିଟି ଭଲ ଭାବେ ବିଚାରବିମର୍ଶ କରିଥିଲା ତ ? ପଲ୍ଲୀ ପ୍ରସଙ୍ଗରେ କବିତା ଲେଖିଲେ କ’ଣ ଆଉ ଜଣେ କବିଙ୍କୁ ‘ପଲ୍ଲୀକବି’ ଉପାଧି ମିଳିଯିବ କି? ଏହାର ଉତ୍ତର ଖୋଜୁଛି ସାହିତ୍ୟ ଜଗତ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।