Building Confidence In Kids: ଆପଣଙ୍କ ପିଲା ଆତ୍ମବିଶ୍ୱାସୀ ହୋଇପାରୁନି କି… ଏହା ପଛରେ ନାହିଁ ତ ଆପଣଙ୍କ ଏହି ଭୁଲ

Sep 12, 2026 - 17:03
Building Confidence In Kids: ଆପଣଙ୍କ ପିଲା ଆତ୍ମବିଶ୍ୱାସୀ ହୋଇପାରୁନି କି… ଏହା ପଛରେ ନାହିଁ ତ ଆପଣଙ୍କ ଏହି ଭୁଲ

ସବୁ ବାପାମାଆ ଚାହାନ୍ତି ଯେ ତାଙ୍କ ପିଲା ଖୁସି, ଆତ୍ମବିଶ୍ୱାସୀ ଏବଂ ନିଜ କଥା ଖୋଲାଖୋଲି କହିପାରୁଥିବା ହେଉ। କିନ୍ତୁ ଅନେକ ସମୟରେ କିଛି ପିଲା ଛୋଟ ଛୋଟ କଥାରେ ଡରିଯାଆନ୍ତି, ଅନ୍ୟମାନଙ୍କ ସହ କଥା ହେବାକୁ ସଙ୍କୋଚ କରନ୍ତି କିମ୍ବା ନିଜ ମତ ରଖିବାକୁ ପଛଘୁଞ୍ଚା ଦିଅନ୍ତି।

ଅନେକ ଅଭିଭାବକ ଏହାକୁ ପିଲାର ସ୍ୱଭାବ ବୋଲି ଭାବନ୍ତି। ହେଲେ ବିଶେଷଜ୍ଞଙ୍କ ମତରେ, ଘରର ପରିବେଶ ଓ ବଡ଼ମାନଙ୍କ ବ୍ୟବହାର ମଧ୍ୟ ପିଲାର ମାନସିକ ବିକାଶ ଉପରେ ଗଭୀର ପ୍ରଭାବ ପକାଇଥାଏ।

ବାରମ୍ବାର ଗାଳି ହୋଇପାରେ କ୍ଷତିକାରକ

ପିଲାକୁ ଛୋଟ ଛୋଟ ଭୁଲ ପାଇଁ ବାରମ୍ବାର ଗାଳିଦେବା ତା’ ମନରେ ଅସୁରକ୍ଷା ଭାବନା ସୃଷ୍ଟି ହୋଇପାରେ। ପ୍ରତ୍ୟେକ କାମ କରିବା ସମୟରେ ସେ ଭୁଲ ହେବାର ଭୟରେ ରହିଥାଏ। ଧୀରେ ଧୀରେ ତା’ର ଆତ୍ମବିଶ୍ୱାସ କମିଯାଏ ଏବଂ ସେ ନିଜ କଥା କହିବାରୁ ଦୂରେଇ ଯାଏ।

ଅତ୍ୟଧିକ କଠୋରତା ମଧ୍ୟ ଠିକ୍ ନୁହେଁ

ପିଲାଙ୍କ ପାଇଁ ଶୃଙ୍ଖଳା ଜରୁରୀ, କିନ୍ତୁ ଅତ୍ୟଧିକ ନିୟମ, ରୋକ୍‌ଟୋକ୍ ଓ ଚାପ ତାଙ୍କ ମାନସିକ ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ସବୁ କଥାରେ ନିୟନ୍ତ୍ରଣ ରଖିଲେ ପିଲା ନିଜେ ଚିନ୍ତା କରିବା ଓ ନିଷ୍ପତ୍ତି ନେବାରେ ଭୟ କରିବାକୁ ଲାଗେ।

ଅନ୍ୟ ପିଲାଙ୍କ ସହ ତୁଳନା କରନ୍ତୁ ନାହିଁ

“ଦେଖ, ସେ ତୁମଠାରୁ କେତେ ଭଲ” ଭଳି କଥା ପିଲାଙ୍କ ମନକୁ ଗଭୀର ଭାବେ ଆଘାତ ଦେଇପାରେ। ବାରମ୍ବାର ତୁଳନା କରାଗଲେ ପିଲା ନିଜକୁ କମ୍ ଭାବିବା ଆରମ୍ଭ କରେ। ଏହା ତା’ର ଆତ୍ମସମ୍ମାନକୁ ଦୁର୍ବଳ କରିପାରେ।

ଘରର କ୍ରୋଧିତ ପରିବେଶର ପ୍ରଭାବ

ଯଦି ଘରେ ବାରମ୍ବାର ଝଗଡ଼ା ହୁଏ କିମ୍ବା ବଡ଼ମାନେ ଉଚ୍ଚ ସ୍ୱରରେ କଥା ହୁଅନ୍ତି, ତେବେ ପିଲାଙ୍କ ମନରେ ଭୟ ଓ ଅସୁରକ୍ଷା ସୃଷ୍ଟି ହୋଇପାରେ। ଏଭଳି ପରିବେଶରେ ଅନେକ ପିଲା ଚୁପ୍ ହୋଇଯାଆନ୍ତି ଏବଂ ନିଜ ଭାବନା ପ୍ରକାଶ କରିବା ବନ୍ଦ କରିଦିଅନ୍ତି।

ପିଲାର କଥା ଶୁଣିବା ଜରୁରୀ

ବ୍ୟସ୍ତ ଜୀବନରେ ଅନେକ ସମୟରେ ଅଭିଭାବକମାନେ ପିଲାଙ୍କ ଛୋଟ ଛୋଟ କଥାକୁ ଅଣଦେଖା କରିଦିଅନ୍ତି। ଯେତେବେଳେ ପିଲା ଅନୁଭବ କରେ ଯେ ତା’ର କଥା କେହି ଶୁଣୁନାହାନ୍ତି, ସେ ଧୀରେ ଧୀରେ ନିଜକୁ ଅଲଗା କରିବାକୁ ଲାଗେ।

ସବୁବେଳେ ନିୟନ୍ତ୍ରଣ କରିବା ଠିକ୍ ନୁହେଁ

ପିଲାଙ୍କ ପ୍ରତ୍ୟେକ ନିଷ୍ପତ୍ତିରେ ଅତ୍ୟଧିକ ଦଖଲ ଦେଲେ ସେମାନେ ନିଜ ଉପରେ ବିଶ୍ୱାସ ହରାଇପାରନ୍ତି। ଭବିଷ୍ୟତରେ ଛୋଟ ଛୋଟ ନିଷ୍ପତ୍ତି ନେବାକୁ ମଧ୍ୟ ସେମାନେ ଭୟ କରିପାରନ୍ତି।

ପିଲାକୁ ଆତ୍ମବିଶ୍ୱାସୀ କରିବା ପାଇଁ କ’ଣ କରିବେ?

ପିଲାଙ୍କ ସହ ଭଲପାଇବା ଓ ଧୈର୍ଯ୍ୟର ସହ କଥା ହୁଅନ୍ତୁ। ତାଙ୍କ ଭାବନାକୁ ବୁଝନ୍ତୁ ଏବଂ ତାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତୁ। ଛୋଟ ଛୋଟ ସଫଳତା ପାଇଁ ତାଙ୍କୁ ପ୍ରଶଂସା କରନ୍ତୁ। ଭୁଲକୁ ଶିକ୍ଷାର ଏକ ଅଂଶ ଭାବେ ନିଅନ୍ତୁ। ଏକ ସକାରାତ୍ମକ ଓ ସୁରକ୍ଷିତ ଘରୋଇ ପରିବେଶ ହିଁ ପିଲାକୁ ଆତ୍ମବିଶ୍ୱାସୀ ଓ ଖୋଲା ମନର ମଣିଷ କରିବାରେ ସବୁଠାରୁ ବଡ଼ ଭୂମିକା ନିଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।