Cafe Success Story: ୧୦ ଟଙ୍କାର ଚା' ବିକି ମାସକୁ ୯ ଲକ୍ଷ ଟଙ୍କାର ବେପାର! ମୋଦି ଓ ଏଲନ୍ ମସ୍କଙ୍କୁ ଆଦର୍ଶ ମାନନ୍ତି ଏହି ଚା' ବାଲା

Oct 26, 2026 - 18:39
Cafe Success Story: ୧୦ ଟଙ୍କାର ଚା' ବିକି ମାସକୁ ୯ ଲକ୍ଷ ଟଙ୍କାର ବେପାର! ମୋଦି ଓ ଏଲନ୍ ମସ୍କଙ୍କୁ ଆଦର୍ଶ ମାନନ୍ତି ଏହି ଚା' ବାଲା

ସାଧାରଣତଃ ଚା' ଦୋକାନ କଥା ଶୁଣିଲେ ଆମ ମନକୁ ଆସେ ଗୋଟିଏ ଛୋଟ ଦୋକାନ, କିଛି ଗ୍ରାହକ ଆଉ ଦିନକୁ ଅଳ୍ପ କିଛି ଟଙ୍କାର ରୋଜଗାର।

କିନ୍ତୁ ଏହି ଚା' ବ୍ୟବସାୟୀଙ୍କ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ।

ଛୋଟ ବ୍ୟବସାୟରୁ ମଧ୍ୟ କିଭଳି ବଡ଼ କାରବାର ଠିଆ କରାଯାଇପାରେ, ତାହାର ଏକ ଉଦାହରଣ ପାଲଟିଛି ତାଙ୍କ ଚା' ଦୋକାନ।

Advertisment ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏକ ଭିଡିଓରେ 'ଶର୍ମା କାଫେ ରେଷ୍ଟୁରାଣ୍ଟ'ର ମାଲିକ ନିଜ ବ୍ୟବସାୟ ସମ୍ପର୍କରେ ଅନେକ ରୋଚକ ତଥ୍ୟ ଦେଇଛନ୍ତି।

କଣ୍ଟେଣ୍ଟ କ୍ରିଏଟର ଆୟୁଷ ଗୋସ୍ୱାମୀଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ, ଏହି ବ୍ୟବସାୟ ପ୍ରାୟ ୫୫ରୁ ୫୬ ବର୍ଷ ପୁରୁଣା।

ଏତେ ବର୍ଷ ଧରି ଗ୍ରାହକଙ୍କୁ ଭଲ ଚା' ପରଷିବା ସହ ସେମାନଙ୍କ ବିଶ୍ୱାସ ଜିତିବାକୁ ସେ ଗୁରୁତ୍ୱ ଦେଇଆସିଛନ୍ତି।

ଦିନକୁ ୩ ହଜାର କପ୍ ଚା', ମାସକୁ ୯ ଲକ୍ଷର କାରବାର ଦୋକାନ ମାଲିକଙ୍କ କହିବା ଅନୁସାରେ, ତାଙ୍କ ଦୋକାନରେ ପ୍ରତିଦିନ ପ୍ରାୟ ୩ ହଜାର କପ୍ ଚା' ବିକ୍ରି ହେଉଛି।

ଗୋଟିଏ କପ୍ ଚା'ର ଦାମ ମାତ୍ର ୧୦ ଟଙ୍କା।

ଏହି ହିସାବରେ ଦୈନିକ ବିକ୍ରି ପ୍ରାୟ ୨୫ ହଜାରରୁ ୩୦ ହଜାର ଟଙ୍କା ହେଉଛି।

ମାସକୁ ଏହା ୭ ଲକ୍ଷ ୫୦ ହଜାରରୁ ୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚୁଛି।

Advertisment ତେବେ ଏହି ୯ ଲକ୍ଷ ଟଙ୍କା ଦୋକାନୀଙ୍କ ସମ୍ପୂର୍ଣ୍ଣ ଲାଭ ନୁହେଁ।

ଏହା ହେଉଛି ମୋଟ ବିକ୍ରି ବା ଟର୍ଣ୍ଣଓଭର।

ଚା' ପ୍ରସ୍ତୁତି ପାଇଁ କ୍ଷୀର, ଚା'ପତି, ଚିନି, ଗ୍ୟାସ୍, ବିଦ୍ୟୁତ୍ ବିଲ୍, ଦୋକାନ ଭଡ଼ା ଓ କର୍ମଚାରୀଙ୍କ ଦରମା ଭଳି ଅନେକ ଖର୍ଚ୍ଚ ରହିଛି।

ଏସବୁ ଖର୍ଚ୍ଚ ବାଦ୍ ଦେବା ପରେ ପ୍ରକୃତ ଲାଭ ହିସାବ କରାଯାଇଥାଏ।

ତେବେ ନିଜର ନିଟ୍ ଲାଭ କେତେ, ସେ ସମ୍ପର୍କରେ ଦୋକାନୀ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଦେଇନାହାନ୍ତି।

ସବୁଠାରୁ ବଡ଼ କଥା ହେଉଛି, ଏହି ଦୋକାନରେ ପ୍ରାୟ ୩୦ରୁ ୩୫ ଜଣ କର୍ମଚାରୀ କାମ କରୁଛନ୍ତି।

ଅର୍ଥାତ୍ ଏହି ଚା' ବ୍ୟବସାୟ କେବଳ ଜଣେ ବ୍ୟକ୍ତିଙ୍କ ରୋଜଗାରର ମାଧ୍ୟମ ହୋଇ ରହିନାହିଁ, ବରଂ ଅନେକ ପରିବାର ପାଇଁ ଜୀବିକାର ଆଧାର ପାଲଟିଛି।

ପ୍ରଧାନମନ୍ତ୍ରୀ ମୋଦି ଓ ଏଲନ୍ ମସ୍କଙ୍କୁ ମାନନ୍ତି ପ୍ରେରଣା ସାକ୍ଷାତକାର ସମୟରେ ଆୟୁଷ ଗୋସ୍ୱାମୀ ତାଙ୍କୁ ପଚାରିଥିଲେ, ଅଳ୍ପ ପୁଞ୍ଜିରୁ ଆରମ୍ଭ କରି ଜଣେ ଯୁବକ କ'ଣ ବଡ଼ ବ୍ୟବସାୟୀ ହୋଇପାରିବେ?

ଏହାର ଉତ୍ତରରେ ଚା' ଦୋକାନୀ ଦେଇଥିଲେ ଏକ ରୋଚକ ଉଦାହରଣ।

ସେ କହିଥିଲେ, ଜୀବନରେ ସଫଳତା ପାଇବାକୁ ହେଲେ ସମସ୍ତଙ୍କୁ ତଳ ପାହାଚରୁ ଉପରକୁ ଉଠିବାକୁ ପଡ଼ିଥାଏ।

ଏହି ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉଦ୍ୟୋଗପତି ଏଲନ୍ ମସ୍କଙ୍କ ଉଦାହରଣ ଦେଇଥିଲେ।

ମୋଦିଙ୍କ ଚା' ବିକ୍ରି କରିବାରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଯାତ୍ରା ଏବଂ ମସ୍କଙ୍କ ବ୍ୟବସାୟିକ ସଫଳତା ତାଙ୍କୁ ଅନୁପ୍ରାଣିତ କରୁଥିବା ସେ କହିଛନ୍ତି।

ତାଙ୍କ ମତରେ, ଜୀବନରେ ବଡ଼ ହେବା ପାଇଁ ପୈତୃକ ସମ୍ପତ୍ତି କିମ୍ବା ଉତ୍ତରାଧିକାର ସୂତ୍ରରେ ମିଳିଥିବା ଧନସମ୍ପତ୍ତି ଜରୁରୀ ନୁହେଁ।

ନିଷ୍ଠା, ପରିଶ୍ରମ ଓ ଶିଖିବାର ଇଚ୍ଛା ରହିଲେ ଜଣେ ସାଧାରଣ ମଣିଷ ମଧ୍ୟ ବଡ଼ ସଫଳତା ହାସଲ କରିପାରିବ।

View this post on Instagram ଯୁବପିଢ଼ିଙ୍କୁ ଦେଲେ ବ୍ୟବସାୟର ଗୁରୁମନ୍ତ୍ର ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ଯୁବକଯୁବତୀଙ୍କୁ ସେ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।

ବ୍ୟବସାୟ ଆରମ୍ଭରୁ ସମସ୍ତ ସଞ୍ଚିତ ଅର୍ଥ ଲଗାଇବା ପରିବର୍ତ୍ତେ ଛୋଟ ଛୋଟ ରିସ୍କ ନେବାକୁ କହିଛନ୍ତି।

ତାଙ୍କ କହିବା କଥା, ପ୍ରଥମେ ୧୦ ହଜାର, ୨୦ ହଜାର କିମ୍ବା ୫୦ ହଜାର ଟଙ୍କା ଭଳି ଛୋଟ ପୁଞ୍ଜିରୁ ବ୍ୟବସାୟ ଆରମ୍ଭ କରାଯାଇପାରେ।

ଏଥିରେ କ୍ଷତି ହେବାର ଆଶଙ୍କା ରହିଲେ ମଧ୍ୟ ସେଥିରୁ ଅନେକ କିଛି ଶିଖିବାକୁ ମିଳିଥାଏ।

ବ୍ୟବସାୟରେ କେଉଁ ନିଷ୍ପତ୍ତି ଠିକ୍, କେଉଁଠି ଭୁଲ୍ ହେଉଛି ଏବଂ ଗ୍ରାହକଙ୍କ ଆବଶ୍ୟକତା କ'ଣ, ତାହା ଅଭିଜ୍ଞତାରୁ ହିଁ ଜଣାପଡ଼େ।

ତେଣୁ ଅର୍ଥ ଅପେକ୍ଷା ଅଭିଜ୍ଞତାକୁ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି।

ତାଙ୍କ ମତରେ, ବ୍ୟବସାୟରେ ମିଳୁଥିବା ଶିକ୍ଷା ଭବିଷ୍ୟତରେ ବଡ଼ ନିଷ୍ପତ୍ତି ନେବାକୁ ସାହସ ଦେଇଥାଏ।

୫୫ ବର୍ଷରୁ ଅଧିକ ପୁରୁଣା ଏହି ଚା' ବ୍ୟବସାୟର କାହାଣୀ ଏବେ ଇଣ୍ଟରନେଟରେ ଆଲୋଚନାର ବିଷୟ ପାଲଟିଛି।

ଗୋଟିଏ କପ୍ ଚା'ର ଦାମ ମାତ୍ର ୧୦ ଟଙ୍କା ହୋଇଥିଲେ ମଧ୍ୟ ନିୟମିତ ଗ୍ରାହକ, ଉତ୍ତମ ସେବା ଓ ଦୀର୍ଘଦିନର ଅଭିଜ୍ଞତା ବଳରେ କିପରି ବଡ଼ କାରବାର ଗଢ଼ି ଉଠିପାରେ, ତାହା ଏହି ଚା' ଦୋକାନୀଙ୍କ କାହାଣୀରୁ ଜଣାପଡ଼ୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।