Odisha’s First Woman Electric Bus Driver: ଓଡ଼ିଶାର ପ୍ରଥମ ମହିଳା ଇଲେକ୍ଟ୍ରିକ୍ ବସ୍ ଚାଳିକା, ମହିଳାଙ୍କ ପାଇଁ ନୂଆ ପ୍ରେରଣା

Oct 26, 2026 - 20:05
Odisha’s First Woman Electric Bus Driver: ଓଡ଼ିଶାର ପ୍ରଥମ ମହିଳା ଇଲେକ୍ଟ୍ରିକ୍ ବସ୍ ଚାଳିକା, ମହିଳାଙ୍କ ପାଇଁ ନୂଆ ପ୍ରେରଣା

ହାତରେ ଷ୍ଟିଅରିଂ, ଆଖିରେ ସ୍ୱପ୍ନ ଆଉ ମନରେ ଆତ୍ମବିଶ୍ୱାସ।

ଦିନେ ଯେଉଁ କାମକୁ ପୁରୁଷଙ୍କ ପେସା ବୋଲି କୁହାଯାଉଥିଲା, ଆଜି ସେହି କାମରେ ନୂଆ ପରିଚୟ ତିଆରି କରୁଛନ୍ତି ଓଡ଼ିଶାର ଝିଅ।

କେନ୍ଦୁଝରର ସୁଭଲକ୍ଷ୍ମୀ ମହାନନ୍ଦ ହେଉଛନ୍ତି ଓଡ଼ିଶାର ପ୍ରଥମ ମହିଳା ଇଲେକ୍ଟ୍ରିକ୍ ବସ୍‌ ଚାଳିକା।

ଆଉ ତାଙ୍କ ଏହି ଯାତ୍ରା ପଛରେ ରହିଛି ସୁଯୋଗ, ତାଲିମ ଓ ସାହସର କାହାଣୀ।

ଉଷା ପାଢ଼ୀଙ୍କ ଉଦ୍ୟମ ଏବଂ ସୁଭଲକ୍ଷ୍ମୀଙ୍କ ସାହସ ଏବେ ଅନ୍ୟ ମହିଳାଙ୍କ ପାଇଁ ଖୋଲିଛି ନୂଆ ରାସ୍ତା।

Advertisment ଭୁବନେଶ୍ୱରରେ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ପ୍ରଦର୍ଶନୀ ସହ ଦ୍ୱିତୀୟ ନ୍ୟାସନାଲ୍ ଅର୍ବାନ୍ କନକ୍ଲେଭ୍।

ପ୍ରଥମ ଥର ପାଇଁ ପୂର୍ବ ଭାରତରେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀରେ ସହରୀ ପରିବହନ, ଡିଜିଟାଲ୍ ସେବା ଓ ସମସ୍ତଙ୍କ ପାଇଁ ସୁଗମ ଯାତାୟାତ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ଅବସରରେ ହାଉସିଂ ଆଣ୍ଡ୍ ଅର୍ବାନ୍ ଡେଭଲପମେଣ୍ଟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଏବଂ ସୁଭଲକ୍ଷ୍ମୀ ମହାନନ୍ଦଙ୍କ ସାକ୍ଷାତ ଏକ ବଡ଼ ବାର୍ତ୍ତା ଦେଇଛି।

ମହିଳାଙ୍କ ପାଇଁ ସୁଯୋଗ ସୃଷ୍ଟି ହେଲେ, ସେମାନେ ନିଜ ଦକ୍ଷତା ବଳରେ ନୂଆ ଇତିହାସ ରଚିପାରିବେ।

Advertisment କେନ୍ଦୁଝରରୁ ଭୁବନେଶ୍ୱରର ରାସ୍ତାରେ ଆମ ବସ୍‌ ଚଳାଇବା ପର୍ଯ୍ୟନ୍ତ ସୁଭଲକ୍ଷ୍ମୀଙ୍କ ଯାତ୍ରା କେବଳ ଗୋଟିଏ ଚାକିରିର କାହାଣୀ ନୁହେଁ।

ଏହା ମହିଳାଙ୍କ ଆତ୍ମବିଶ୍ୱାସ ଓ ସ୍ୱାବଲମ୍ବନର ପରିଚୟ।

ତାଙ୍କୁ ଦେଖି ଅନ୍ୟ ଝିଅମାନେ ମଧ୍ୟ ଏହି କ୍ଷେତ୍ରରେ କ୍ୟାରିୟର୍ ଗଢ଼ିବାକୁ ଆଗେଇ ଆସିପାରିବେ।

ମହିଳାଙ୍କୁ ପରିବହନ କ୍ଷେତ୍ରରେ ଅଧିକ ସୁଯୋଗ ଦେବା ପାଇଁ ଉଷା ପାଢ଼ୀଙ୍କ ଉଦ୍ୟମରେ ବାଣିଜ୍ୟ ଓ ପରିବହନ ବିଭାଗରେ ଆରମ୍ଭ ହୋଇଥିଲା 'ଆମ ସୁବାହକ' ପଦକ୍ଷେପ।

ଏହା ସହ CRUT ପକ୍ଷରୁ ମହିଳାଙ୍କ ପାଇଁ ଡ୍ରାଇଭିଂ ତାଲିମର ବ୍ୟବସ୍ଥା କରାଯାଇଛି।

ହେଭି ମୋଟର ଭେହିକିଲ୍ ଲାଇସେନ୍ସ ଥିବା ୨୦ ଜଣ ମହିଳାଙ୍କୁ ଉନ୍ନତ ଇଲେକ୍ଟ୍ରିକ୍ ବସ୍‌ ଚାଳନା ତାଲିମ ଦିଆଯାଇଛି।

ଏବେ ମହିଳାମାନେ କେବଳ ବସ୍‌ ଚାଳନା ନୁହେଁ, କଣ୍ଡକ୍ଟର ଓ ଫିଡର୍ ସେବାରେ ମଧ୍ୟ କାମ କରୁଛନ୍ତି।

ମହିଳାଙ୍କୁ ନିଜେ ଗାଡ଼ି କିଣି ରୋଜଗାର କରିବାର ସୁଯୋଗ ଦେବା ପାଇଁ ରହିଛି 'ଆତ୍ମନିର୍ଭର ମହିଳା ସୁବାହକ' ଯୋଜନା।

ଏହି ଯୋଜନାରେ ଓଡ଼ିଶାରେ ୨ ହଜାର ୪୫୦ଟି ମହିଳାଙ୍କ ଦ୍ୱାରା ପରିଚାଳିତ ପରିବହନ ଉଦ୍ୟୋଗ ଗଢ଼ିବାର ଲକ୍ଷ୍ୟ ରହିଛି।

ଗାଡ଼ି କିଣିବା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ସହ ଇଲେକ୍ଟ୍ରିକ୍ ଗାଡ଼ି କିଣିଲେ ଅତିରିକ୍ତ ୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ରହିଛି।

ଏହା ସହ ମାଗଣା ଡ୍ରାଇଭିଂ ଓ ଉଦ୍ୟୋଗ ପରିଚାଳନା ତାଲିମ ଏବଂ ଲାଇସେନ୍ସ ପାଇବାରେ ସହାୟତା ମିଳିବ।

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ମଧ୍ୟ ପ୍ରାଥମିକତା ଦେବାର ଯୋଜନା ରହିଛି।

ଏପଟେ ରାଜ୍ୟରେ ସାଧାରଣ ପରିବହନ ବ୍ୟବସ୍ଥା ମଧ୍ୟ ବିସ୍ତାର ହେଉଛି।

CRUT ଅଧୀନରେ ଏବେ ୧୩୮ଟି ରୁଟ୍‌ରେ ୭୭୦ଟି ବସ୍‌ ଚାଲୁଛି।

ଏଥିରୁ ୫୧ ପ୍ରତିଶତ ବସ୍‌ ହେଉଛି ଇଲେକ୍ଟ୍ରିକ୍ ବସ୍‌।

ସେହିପରି ଟିକେଟ୍ କାରବାରର ପ୍ରାୟ ୪୮ ପ୍ରତିଶତ ନଗଦବିହୀନ ଭାବେ ହେଉଛି।

UMI ୨୦୨୬ରେ CRUT ପକ୍ଷରୁ ଆମ ବସ୍‌, ଇଲେକ୍ଟ୍ରିକ୍ ମୋବିଲିଟି, ଓଡ଼ିଶା ଯାତ୍ରୀ ଆପ୍‌, ଡିଜିଟାଲ୍ ଟିକେଟିଂ, ସୁରକ୍ଷା ଓ ଯାତ୍ରୀଙ୍କ ସୁବିଧା ସମ୍ପର୍କିତ ପଦକ୍ଷେପ ପ୍ରଦର୍ଶନ କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।