Campus Elections to Test Political Influence: କ୍ୟାମ୍ପସ୍ରେ ହେବ ଶକ୍ତି ପରୀକ୍ଷା, ତିଆରି ହେବେ ନୂଆ ପିଢ଼ିର ନେତା
ଦୀର୍ଘ ଆଠ ବର୍ଷ ପରେ ଓଡ଼ିଶାରେ କ୍ୟାମ୍ପସ ନିର୍ବାଚନ ହେବାକୁ ଯାଉଛି । ଅର୍ଥାତ୍ ଏବେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ୧୫ ତାରିଖ ଦିନ ହେବାକୁ ଯାଉଥିବା ଏହି ନିର୍ବାଚନ ମତଦାନ କେବଳ କ୍ୟାମ୍ପସ୍ ନେତା ବାଛିବାର ଲଢ଼େଇ ହୋଇ ରହିବ ନାହିଁ । ଶାସକ ବିଜେପି ଓ ବିରୋଧୀ ବିଜେଡି-କଂଗ୍ରେସ ପାଇଁ ଏହା ଯୁବପିଢ଼ିଙ୍କ ମଧ୍ୟରେ ସେମାନଙ୍କ ସାଙ୍ଗଠନିକ ଶକ୍ତି ଓ ରାଜନୈତିକ ପ୍ରଭାବର ପ୍ରଥମ ବଡ଼ ପରୀକ୍ଷା ହେବାକୁ ଯାଉଛି ।
୨୦୧୭ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ଏହି ଦୀର୍ଘ ବ୍ୟବଧାନ ପରେ ନିର୍ବାଚନ ହେବାକୁ ଯାଉଥିବାରୁ ବର୍ତ୍ତମାନର ଅନେକ ଛାତ୍ରଛାତ୍ରୀ ପ୍ରଥମ ଥର ପାଇଁ କ୍ୟାମ୍ପସ୍ ନିର୍ବାଚନର ସ୍ୱାଦ ପାଇବେ । ତେଣୁ ଏହି ନିର୍ବାଚନ କେବଳ ଛାତ୍ର ରାଜନୀତିର ପୁନର୍ଜୀବନ ନୁହେଁ, ନୂଆ ଛାତ୍ର ନେତୃତ୍ୱ ଓ ଭବିଷ୍ୟତ ରାଜନୈତିକ କ୍ୟାଡର ସୃଷ୍ଟିର ମଞ୍ଚ ମଧ୍ୟ ହୋଇପାରେ ।
ବିଜେପି ପାଇଁ ପ୍ରତିଷ୍ଠାର ପ୍ରଶ୍ନ
୨୦୨୪ରେ ୨୪ ବର୍ଷର ବିଜେଡି ଶାସନର ଅବସାନ ଘଟାଇ ବିଜେପି କ୍ଷମତାକୁ ଆସିଥିଲା । ପ୍ରାୟ ଅଢ଼େଇ ବର୍ଷର ଶାସନ ପରେ କ୍ୟାମ୍ପସ୍ ନିର୍ବାଚନ ଦଳ ପାଇଁ ନିଜର ସାଙ୍ଗଠନିକ ବିସ୍ତାରର ଏକ ନୂଆ ପରୀକ୍ଷା ହେବ । ବିଜେପି ସମର୍ଥିତ ପ୍ରାର୍ଥୀମାନେ ଯଦି ଅଧିକ ସଂଖ୍ୟକ କଲେଜ ଓ ବିଶ୍ୱବିଦ୍ୟାଳୟରେ ବିଜୟୀ ହୁଅନ୍ତି, ତେବେ ଦଳ ଏହାକୁ ଯୁବପିଢ଼ିଙ୍କ ମଧ୍ୟରେ ନିଜର ପ୍ରଭାବ ବୃଦ୍ଧିର ପ୍ରମାଣ ଭାବେ ଉପସ୍ଥାପନ କରିପାରିବ । ୨୦୨୪ରେ ହୋଇଥିବା ରାଜନୈତିକ ପରିବର୍ତ୍ତନ କେବଳ ସରକାର ବଦଳ ନୁହେଁ, ଓଡ଼ିଶାର ଯୁବ ମନୋଭାବରେ ମଧ୍ୟ ପରିବର୍ତ୍ତନର ସଙ୍କେତ—ବିଜେପି ଏହି ବାର୍ତ୍ତା ଦେବାକୁ ଚେଷ୍ଟା କରିବ ।
କିନ୍ତୁ ଏଠାରେ ବିଜେପି ପାଇଁ ଏକ ସତର୍କତା ମଧ୍ୟ ରହିଛି । ବିଧାନସଭା ନିର୍ବାଚନର ଭୋଟ ଗଣିତ କ୍ୟାମ୍ପସ୍ରେ ସମାନ ଭାବରେ କାମ କରିନପାରେ । ହଷ୍ଟେଲ, ପରୀକ୍ଷା, ନିଯୁକ୍ତି, ଛାତ୍ରବୃତ୍ତି, କ୍ୟାମ୍ପସ୍ ସୁବିଧା ଓ ବ୍ୟକ୍ତିଗତ ଲୋକପ୍ରିୟତା ଭଳି ପ୍ରସଙ୍ଗ ଛାତ୍ର ଭୋଟକୁ ପ୍ରଭାବିତ କରିପାରେ । ମୋହନ ମାଝୀ ସରକାର ଏହି ସମସ୍ୟାର ସମାଧାନ ଓ ଆବଶ୍ୟକତାକୁ କେତେ ପରିମାଣରେ ପୂରଣ କରିପାରିଛି, ତାହା ଦେଖିବାର କଥା ।
ବିଜେଡି ପାଇଁ ପୁନଃଉତ୍ଥାନର ସୁଯୋଗ
ବିଜେଡି ପାଇଁ ଆସନ୍ତା ଛାତ୍ରସଂସଦ ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ । ୨୦୨୪ର ପରାଜୟ ପରେ ଦଳର ସାଙ୍ଗଠନିକ ଶକ୍ତି ନେଇ ପ୍ରଶ୍ନ ଉଠୁଥିବା ବେଳେ କ୍ୟାମ୍ପସ୍ ନିର୍ବାଚନ ଦଳକୁ ନିଜର ପୁରୁଣା ସାଙ୍ଗଠନିକ ନେଟ୍ୱାର୍କ ବା ଶକ୍ତିର ପରୀକ୍ଷା କରିବାର ସୁଯୋଗ ଦେବ ।
ବିଜେଡି ଯଦି ଉଲ୍ଲେଖନୀୟ ସଫଳତା ପାଏ, ତେବେ ଦଳ ଏହାକୁ ନିଜର ମୂଳ ସାଙ୍ଗଠନିକ ଭିତ୍ତିି ଏବେ ବି ମଜବୁତ ଥିବାର ସଙ୍କେତ ଭାବେ ଦେଖାଇପାରିବ । ବିଶେଷକରି ଯୁବପିଢ଼ିଙ୍କ ମଧ୍ୟରେ ନିଜର ପ୍ରଭାବ ବଜାୟ ରଖିବା ବିଜେଡି ପାଇଁ ଆଗାମୀ ଦିନର ରାଜନୀତିରେ ଅତ୍ୟନ୍ତ ଜରୁରୀ ।
ବିଜେଡି ପାଇଁ ଏହା କେବଳ କ୍ୟାମ୍ପସ୍ ଜିତିବାର ଲଢ଼େଇ ନୁହେଁ; ବରଂ ୨୦୨୪ ପରେ ଦଳ ନିଜର ରାଜନୈତିକ ମାଟି କେତେ ଦୂର ଧରି ରଖିପାରିଛି, ତାହା ପ୍ରମାଣ କରିବାର ସୁଯୋଗ ।
କଂଗ୍ରେସ ବଢ଼ାଇପାରେ ସାଙ୍ଗଠନିକ ଉପସ୍ଥିତି
ଆସନ୍ତା ନିର୍ବାଚନ ଜାତୀୟ କଂଗ୍ରେସ ଲାଗି ଭିନ୍ନ ଏକ ଆହ୍ୱାନ ଛିଡ଼ା କରୁଛି । ଓଡ଼ିଶାରେ ନିଜର ହରାଇଥିବା ରାଜନୈତିକ ସ୍ଥାନ ପୁନରୁଦ୍ଧାର କରିବାକୁ ଦଳ ଦୀର୍ଘଦିନ ଧରି ଚେଷ୍ଟା କରୁଛି । କ୍ୟାମ୍ପସ୍ ନିର୍ବାଚନ ଏହାକୁ ଛାତ୍ର ଓ ଯୁବପିଢ଼ିଙ୍କ ମଧ୍ୟରେ ନିଜର ସାଙ୍ଗଠନିକ ଉପସ୍ଥିତି ବଢ଼ାଇବାର ଏକ ବଡ଼ ସୁଯୋଗ ଦେଇପାରେ ।
କଂଗ୍ରେସ ଯଦି ବିଶେଷକରି ବିଜେଡିର ପାରମ୍ପରିକ ଶକ୍ତିକ୍ଷେତ୍ରଗୁଡ଼ିକରେ ଭଲ ପ୍ରଦର୍ଶନ କରେ, ତେବେ ଏହା ଦଳକୁ ରାଜ୍ୟରେ ପ୍ରମୁଖ ବିରୋଧୀ ଶକ୍ତି ଭାବେ ଉଭା ହେବାର ଦାବିକୁ ମଜବୁତ କରିବ ।
ଅର୍ଥାତ୍, କଂଗ୍ରେସର ଲଢ଼େଇ କେବଳ ବିଜେପି ବିରୋଧରେ ନୁହେଁ । ବିରୋଧୀ ରାଜନୀତିରେ ବିଜେଡିକୁ ପଛକୁ ଠେଲି ନିଜକୁ ଦ୍ୱିତୀୟ ବଡ଼ ରାଜନୈତିକ ଶକ୍ତି ଭାବେ ପ୍ରତିଷ୍ଠିତ କରିବା ମଧ୍ୟ ଏହାର ଏକ ବଡ଼ ଲକ୍ଷ୍ୟ ହୋଇପାରେ ।
ତେଣୁ ଅକ୍ଟୋବର ୧୫ରେ ଛାତ୍ରଛାତ୍ରୀ ନିଜ ପ୍ରତିନିଧି ବାଛିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳ ଏହି ଫଳାଫଳ ମଧ୍ୟରେ ନିଜ ନିଜ ରାଜନୈତିକ ବାର୍ତ୍ତା ପଢ଼ିବାକୁ ଚେଷ୍ଟା କରିବେ ।
ସମୀକ୍ଷକମାନଙ୍କ ମତରେ ବିଜେପି ନିଜେ ବର୍ତ୍ତମାନ ପରଖିବ ଯେ ୨୦୨୪ର ଶାସନ ପରିବର୍ତ୍ତନ କ୍ୟାମ୍ପସ୍ ପର୍ଯ୍ୟନ୍ତ ପହଞ୍ଚିଛି କି ନାହିଁ? ସେହିଭଳି ବିଜେଡ଼ି ଦେଖିବ ୨୪ ବର୍ଷର ଶାସନ ପରେ ହାରିଥିଲେ ମଧ୍ୟ ଦଳର ସାଙ୍ଗଠନିକ ମୂଳଭିତ୍ତି କେତେ ମଜବୁତ ରହିଛି । ଅନୁରୂପ ଭାବରେ କଂଗ୍ରେସ ବିଶ୍ଳେଷଣ କରିବାକୁ ଚେଷ୍ଟା କରିବ ଯେ ଦଳ ଯୁବପିଢ଼ି ମଧ୍ୟରେ ପୁଣି ନିଜର ହରାଇଥିବା ସ୍ଥାନ ଫେରାଇ ଆଣିପାରୁଛି କି?
ଆଗାମୀ କ୍ୟାମ୍ପସ୍ ନିର୍ବାଚନକୁ ବିଧାନସଭା ନିର୍ବାଚନର ସିଧାସଳଖ ପୂର୍ବାନୁମାନ ବୋଲି ସମ୍ପୂର୍ଣ୍ଣ ଧରିନେବା ଠିକ୍ ନହେଲେ ମଧ୍ୟ ଏହା ଏକ ସୂଚକ ଭାବରେ ଜନସାଧାରଣଙ୍କ ନିକଟରେ ପ୍ରତିଭାତ ହେବ, ଏଥିରେ ସନ୍ଦେହ ନାହିଁ । କ୍ୟାମ୍ପସ୍ରେ ଛାତ୍ରଛାତ୍ରୀମାନେ ନେତା ବାଛିବେ; ଆଉ ଏହାରି ମଧ୍ୟରେ ରାଜନୈତିକ ଦଳଗୁଡ଼ିକ ନିଜ ଭବିଷ୍ୟତର ରାଜନୈତିକ ଶକ୍ତିର ଆଭାସ ଖୋଜିବେ ।
ସବୁଠାରୁ ବଡ଼ କଥା ହେଲା ଏହି ତିନି ଦଳ ତଥା କମ୍ୟୁନିଷ୍ଟଦଳମାନଙ୍କର ଯୁବନେତା ଏବଂ ଛାତ୍ରନେତାମାନେ ସେମାନଙ୍କର କ୍ୟାମ୍ପସରେ କେତେ ପରିମାଣର ପ୍ରଭାବ ରହିଛି, ତାହା ମଧ୍ୟ ପ୍ରଦର୍ଶନ କରିବାର ଏକ ସୁଯୋଗ ପାଇବେ । ଯେଉଁ ଯୁବନେତାମାନେ ନିଜ ନେତୃତ୍ୱର ପରାକାଷ୍ଠା ଦେଖାଇପାରି ଅଧିକ ସଂଖ୍ୟକ କଲେଜ ଓ ବିଶ୍ୱବିଦ୍ୟାଳୟରେ ନିଜ ସମର୍ଥିତ ପ୍ରାର୍ଥୀମାନଙ୍କୁ ଜିତାଇପାରିବେ, ସେମାନଙ୍କର ରାଜନୈତିକ ଭବିଷ୍ୟତ ଉଜ୍ଜ୍ୱଳ ହେବ ।
ବି.ଦ୍ର.- ଏହା ଲେଖକଙ୍କ ନିଜସ୍ୱ ମତ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।