Can Any Food Increase Dengue Platelets: ଡେଙ୍ଗୁରେ କ’ଣ ଖାଇଲେ ପ୍ଲେଟ୍ଲେଟ୍ ବଢ଼େ? ଜାଣନ୍ତୁ ଭଣ୍ଡା ପତ୍ର ରସ ଓ କିୱି ସମ୍ପର୍କିତ ସତ
ଡେଙ୍ଗୁ ସିଜନ୍ ଆସିଲେ ଗୋଟିଏ ପ୍ରଶ୍ନ ଅନେକଙ୍କ ମନରେ ଆସେ—କ’ଣ ଖାଇଲେ ପ୍ଲେଟଲେଟ୍ ଶୀଘ୍ର ବଢ଼ିବ? କେହି ଭଣ୍ଡା ପତ୍ର ରସ ପିଇବାକୁ କୁହନ୍ତି ତ ଆଉ କେହି କିୱି, ଅମୃତଭଣ୍ଡା କିମ୍ବା ଛେଳି କ୍ଷୀର ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ପ୍ରକୃତରେ କୌଣସି ‘ସୁପରଫୁଡ୍’ କ’ଣ ରାତାରାତି ପ୍ଲେଟ୍ଲେଟ୍ ବଢ଼ାଇପାରେ? ଡେଙ୍ଗୁ ସମୟରେ ଖାଦ୍ୟପାନୀୟକୁ ନେଇ ଥିବା କିଛି ଭ୍ରାନ୍ତ ଧାରଣା ଜାଣିବା ଜରୁରୀ।
ରାତାରାତି ପ୍ଲେଟଲେଟ୍ ବଢ଼ାଇପାରେନି କୌଣସି ଖାଦ୍ୟ
ଡେଙ୍ଗୁରେ ପ୍ଲେଟଲେଟ୍ କମିବାର ମୁଖ୍ୟ କାରଣ ହେଉଛି ଭାଇରସ୍ର ପ୍ରଭାବ। ତେଣୁ କୌଣସି ଫଳ, ଜୁସ୍ କିମ୍ବା ଘରୋଇ ଉପଚାର ରାତାରାତି ପ୍ଲେଟ୍ଲେଟ୍କୁ ଅସାଧାରଣ ଭାବେ ବଢ଼ାଇ ଦେଇପାରେନାହିଁ। ସଂକ୍ରମଣ ଧୀରେଧୀରେ କମିବା ସହ ଶରୀରର ଅସ୍ଥିମଜ୍ଜା ସାଧାରଣ ଭାବେ କାମ କରିବା ଆରମ୍ଭ କଲେ ପ୍ଲେଟ୍ଲେଟ୍ ସ୍ତର ମଧ୍ୟ ଧୀରେଧୀରେ ସୁଧୁରିପାରେ। ଡେଙ୍ଗୁ ସମୟରେ ଖାଦ୍ୟର ମୁଖ୍ୟ ଭୂମିକା ହେଉଛି ଶରୀରକୁ ପାଣି ଓ ଆବଶ୍ୟକ ପୋଷକତତ୍ତ୍ୱ ଯୋଗାଇବା।
ଡେଙ୍ଗୁରେ କ’ଣ ଖାଇବେ?
ଡେଙ୍ଗୁରୁ ସୁସ୍ଥ ହେବା ସମୟରେ ପ୍ରଥମେ ଶରୀରରେ ପାଣିର ମାତ୍ରା ଠିକ୍ ରଖିବା ଜରୁରୀ। ଏଥିପାଇଁ ପର୍ଯ୍ୟାପ୍ତ ପାଣି ଓ ORS ନେବା ଆବଶ୍ୟକ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ନଡ଼ିଆ ପାଣି, ଦହି, ହାଲୁକା ସୁପ୍ ଭଳି ତରଳ ଖାଦ୍ୟ ମଧ୍ୟ ନିଆଯାଇପାରେ। ସେହିପରି ହାଲୁକା ଓ ସହଜରେ ହଜମ ହେଉଥିବା ଖାଦ୍ୟ ଯଥା ଖେଚୁଡ଼ି, ଡାଲି, ଦଲିଆ, ଭାତ ଓ ସିଝା ଅଣ୍ଡା ଶରୀରକୁ ଆବଶ୍ୟକ ଶକ୍ତି ଓ ପୋଷଣ ଦେବାରେ ସହାୟକ ହୋଇପାରେ। ଭିଟାମିନ୍ ଓ ଅନ୍ୟ ପୋଷକତତ୍ତ୍ୱ ପାଇଁ ତାଜା ଫଳ ଓ ପନିପରିବାକୁ ଖାଦ୍ୟରେ ସାମିଲ କରାଯାଇପାରେ।
ଭଣ୍ଡା ପତ୍ର ରସ ନେଇ କ’ଣ କୁହେ ବିଜ୍ଞାନ?
ଡେଙ୍ଗୁ ହେଲେ ଭଣ୍ଡା ପତ୍ରର ରସ ପିଇବାକୁ ଅନେକେ ପରାମର୍ଶ ଦିଅନ୍ତି। କିଛି ଛୋଟ ଅଧ୍ୟୟନରେ ଏହା ପ୍ଲେଟ୍ଲେଟ୍ ରିକଭରିକୁ କିଛି ମାତ୍ରାରେ ସହାୟତା କରିପାରେ ବୋଲି ସଙ୍କେତ ମିଳିଛି। କିନ୍ତୁ ଏହାକୁ ଡେଙ୍ଗୁର ଚିକିତ୍ସା କିମ୍ବା ନିଶ୍ଚିତ ପ୍ଲେଟ୍ଲେଟ୍ ବଢ଼ାଇବା ଔଷଧ ଭାବେ ଦେଖିବା ଠିକ୍ ନୁହେଁ।
କିୱି ଓ ଛେଳି କ୍ଷୀର କେତେ ଉପକାରୀ?
କିୱି ଭଳି ଫଳ ଶରୀରକୁ ବିଭିନ୍ନ ପୋଷକତତ୍ତ୍ୱ ଯୋଗାଇପାରେ। ସେହିପରି ଛେଳି କ୍ଷୀରରୁ ମଧ୍ୟ ପୋଷଣ ମିଳେ। କିନ୍ତୁ ଏଗୁଡ଼ିକ ସିଧାସଳଖ ଭାବେ ପ୍ଲେଟ୍ଲେଟ୍ ବଢ଼ାଇ ଦିଏ ବୋଲି କୌଣସି ଚମତ୍କାରୀ ଚିକିତ୍ସା ପ୍ରମାଣ ନାହିଁ।
ଡେଙ୍ଗୁ ସମୟରେ କେଉଁ ଖାଦ୍ୟରୁ ଦୂରେଇବେ?
ଡେଙ୍ଗୁ ସମୟରେ ହଜମ ପ୍ରକ୍ରିୟା ଦୁର୍ବଳ ହୋଇପାରେ। ତେଣୁ ଅତ୍ୟଧିକ ତେଲମସଲା ଓ ଛଣାଛଣି ଖାଦ୍ୟ ଏଡ଼ାଇବା ଭଲ। ଅତ୍ୟଧିକ ଭାରୀ ଖାଦ୍ୟ ମଧ୍ୟ ନଖାଇବା ଉଚିତ। ଚା’, କଫି ଓ କୋଲା ଭଳି କ୍ୟାଫେନ୍ଯୁକ୍ତ ପାନୀୟ ଅଧିକ ପରିମାଣରେ ନେବା ଠିକ୍ ନୁହେଁ। ମଦ୍ୟପାନ ସମ୍ପୂର୍ଣ୍ଣ ଏଡ଼ାଇବା ଉଚିତ।
ପିଲାଙ୍କ କ୍ଷେତ୍ରରେ ଅଧିକ ସତର୍କତା ଜରୁରୀ
ଡେଙ୍ଗୁ ହେଲେ ପିଲାମାନଙ୍କ ଶରୀରରେ ପାଣିର ଅଭାବ ଶୀଘ୍ର ହୋଇପାରେ। ତେଣୁ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଅଳ୍ପ ଅଳ୍ପ କରି ORS ଓ ଅନ୍ୟ ଉପଯୁକ୍ତ ତରଳ ପଦାର୍ଥ ଦିଆଯାଇପାରେ। ଖାଇବା ପାଇଁ ଜୋର କରିବା ଉଚିତ ନୁହେଁ।
ପ୍ଲେଟଲେଟରୁ ଅଧିକ ଜରୁରୀ ହେଉଛି ରୋଗୀଙ୍କ ଅବସ୍ଥା
ସବୁଠାରୁ ଜରୁରୀ କଥା ହେଉଛି—ଡାଏଟ୍ ଡେଙ୍ଗୁ ଚିକିତ୍ସାର ବିକଳ୍ପ ନୁହେଁ। ରୋଗୀଙ୍କ ଲଗାତାର ବାନ୍ତି, ପେଟରେ ତୀବ୍ର ଯନ୍ତ୍ରଣା, ପରିସ୍ରା କମିଯିବା, ଅତ୍ୟଧିକ ଦୁର୍ବଳତା କିମ୍ବା ରକ୍ତସ୍ରାବର କୌଣସି ଲକ୍ଷଣ ଦେଖାଦେଲେ ଘରୋଇ ଉପଚାର ଉପରେ ନିର୍ଭର ନକରି ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।
ତେଣୁ ଡେଙ୍ଗୁରେ ‘ଗୋଟିଏ ଖାଦ୍ୟ ଖାଇଲେ ପ୍ଲେଟ୍ଲେଟ୍ ତୁରନ୍ତ ବଢ଼ିବ’—ଏଭଳି ଦାବି ଉପରେ ଭରସା ନକରି, ଡାକ୍ତରଙ୍କ ପରାମର୍ଶ, ପର୍ଯ୍ୟାପ୍ତ ତରଳ ଓ ପୋଷଣଯୁକ୍ତ ହାଲୁକା ଖାଦ୍ୟ ଉପରେ ଧ୍ୟାନ ଦେବା ହିଁ ସବୁଠାରୁ ଜରୁରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।