Cancer Drug Price Cuts Expose Huge Margins: କ୍ୟାନ୍ସର ଔଷଧ ଦରରେ ୯୩% ହ୍ରାସ, ରୋଗୀଙ୍କୁ ମିଳିବ ବଡ଼ ଆଶ୍ୱସ୍ତି
କ୍ୟାନ୍ସର ରୋଗୀଙ୍କ ପାଇଁ ବଡ଼ ଖବର।
ଯେଉଁ ଔଷଧ କିଣିବାକୁ ଖର୍ଚ୍ଚ ହେଉଥିଲା ହଜାର ହଜାର ଟଙ୍କା, ଏବେ ସେହି ଔଷଧ ସୁଲଭ ମୂଲ୍ୟରେ ମିଳିବ।
ଭାରତରେ ୫୪୩ଟି କ୍ୟାନ୍ସର ଔଷଧ ବ୍ରାଣ୍ଡ ଓ ପ୍ୟାକ୍ର ସର୍ବାଧିକ ଖୁଚୁରା ମୂଲ୍ୟ(ଏମ୍ଆର୍ପି) ସଂଶୋଧନ କରିଛି ଜାତୀୟ ଔଷଧ ମୂଲ୍ୟ ନିୟନ୍ତ୍ରଣ ପ୍ରାଧିକରଣ(ଏନ୍ପିପିଏ)।
କେତେକ ଔଷଧର ଦାମ୍ ୯୦ ପ୍ରତିଶତରୁ ଅଧିକ କମିଛି।
କିନ୍ତୁ ସବୁ ଔଷଧର ଦର କମିନାହିଁ।
ଏହାକୁ ନେଇ ଔଷଧ ଦର ଓ ହସ୍ପିଟାଲର ଲାଭକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।
Advertisment ନୂଆ ଦର ଅନୁସାରେ, କେତେକ ସ୍ତନ କର୍କଟ ରୋଗର ଚିକିତ୍ସାରେ ବ୍ୟବହୃତ ପାଲ୍ବୋସିକ୍ଲିବ୍ ଔଷଧର ଗୋଟିଏ ବ୍ରାଣ୍ଡର ଦାମ୍ ୪୦ ହଜାର ୪୨୧ ଟଙ୍କାରୁ ଖସି ୨ ହଜାର ୭୨୦ ଟଙ୍କା ହୋଇଛି।
ସେହିପରି କେମୋଥେରାପିରେ ବ୍ୟବହୃତ ଥିଓଟେପା ଔଷଧର ଗୋଟିଏ ଭାଏଲ୍ର ଦାମ୍ ପ୍ରାୟ ୮୦ ହଜାର ଟଙ୍କାରୁ ହ୍ରାସ ପାଇ ୭ ହଜାର ୧୫୦ ଟଙ୍କା ହୋଇଛି।
ଅର୍ଥାତ୍ ଏହି ଔଷଧର ଗୋଟିଏ ଭାଏଲ୍ ପିଛା ପ୍ରାୟ ୭୨ ହଜାର ୯୦୦ ଟଙ୍କା ସଞ୍ଚୟ ହୋଇପାରେ।
ଏହା ସହ ଡାସାଟିନିବ୍, ଲେନଭାଟିନିବ୍, ଆବିରାଟେରୋନ୍ ଓ ଓଲାପାରିବ୍ ଭଳି କେତେକ ଔଷଧର ଦର ମଧ୍ୟ କମିଛି।
ହେଲେ ଏହି ଦର ହ୍ରାସ ସବୁ ଔଷଧ ପାଇଁ ସମାନ ନୁହେଁ।
୨୧ରୁ ଅଧିକ ପ୍ରକାର କର୍କଟ ରୋଗର ଚିକିତ୍ସାରେ ବ୍ୟବହୃତ କିଟ୍ରୁଡା ଔଷଧର ଦର ୨ ଲକ୍ଷ ୧୬ ହଜାର ୫୦୦ ଟଙ୍କାରେ ଅପରିବର୍ତ୍ତିତ ରହିଛି।
ସେହିପରି ସ୍ତନ କର୍କଟ ଚିକିତ୍ସାରେ ବ୍ୟବହୃତ ରିବୋସିକ୍ଲିବ୍ର ଦର ମଧ୍ୟ ବଦଳିନାହିଁ।
ଟାଗ୍ରିସୋ, ଟେସେଣ୍ଟ୍ରିକ୍, ଡାର୍ଜାଲେକ୍ସ ଓ ଇମ୍ଫିନ୍ଜି ଭଳି କେତେକ ଔଷଧର ଦର ମଧ୍ୟ ଅପରିବର୍ତ୍ତିତ ରହିଛି।
Advertisment ଏନ୍ପିପିଏର ନିଷ୍ପତ୍ତି ଅନୁସାରେ, ୧୩୭ଟି ନିର୍ଦ୍ଧାରିତ ତାଲିକା ବାହାରର କ୍ୟାନ୍ସର ଔଷଧ ଉପରେ ବାଣିଜ୍ୟିକ ଲାଭର ସୀମା ଧାର୍ଯ୍ୟ କରାଯାଇଛି।
ଏହି ନୂଆ ଦର ନଭେମ୍ବର ୯ରୁ ଲାଗୁ ହେବ।
ଔଷଧ ଯୋଗାଣ ଶୃଙ୍ଖଳାରେ ଅଧିକ ଲାଭ ନିଆଯାଉଥିବା ନେଇ ପ୍ରଶ୍ନ ଉଠିବା ପରେ ଏହି ପଦକ୍ଷେପ ଆସିଛି।
ସୁପ୍ରିମକୋର୍ଟ ମଧ୍ୟ କ୍ୟାନ୍ସର ଔଷଧର ଅଧିକ ମୂଲ୍ୟ ଓ ଲାଭର ସୀମାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
ଔଷଧ ଦର ଉପରେ ନଜର ରଖୁଥିବା ବିଶେଷଜ୍ଞମାନଙ୍କ ମତରେ, କେତେକ ଔଷଧର ଦର ଏତେ ଅଧିକ କମିବା ଯୋଗାଣ ଶୃଙ୍ଖଳାରେ ଲାଭର ପରିମାଣ ନେଇ ପ୍ରଶ୍ନ ଉଠାଉଛି।
ତେବେ ଦର କମିବାର ପୂରା ଲାଭ ରୋଗୀଙ୍କ ପାଖରେ ପହଞ୍ଚିବ କି ନାହିଁ, ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ।
କାରଣ କ୍ୟାନ୍ସର ଚିକିତ୍ସାରେ କେବଳ ଔଷଧ ନୁହେଁ, ଅସ୍ତ୍ରୋପଚାର, ରେଡିଏସନ୍, ପରୀକ୍ଷା ଓ ହସ୍ପିଟାଲ ଖର୍ଚ୍ଚ ମଧ୍ୟ ପରିବାର ଉପରେ ବଡ଼ ଆର୍ଥିକ ବୋଝ ପକାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।