CCTV Captures 105 Alleged Donation Theft Incidents: CCTV ଖୋଲିଲା ରାମମନ୍ଦିର ଦାନ ଚୋରିର ରହସ୍ୟ, ୧୦୫ ଘଟଣା ଚିହ୍ନଟ

Sep 21, 2026 - 17:26
CCTV Captures 105 Alleged Donation Theft Incidents: CCTV ଖୋଲିଲା ରାମମନ୍ଦିର ଦାନ ଚୋରିର ରହସ୍ୟ, ୧୦୫ ଘଟଣା ଚିହ୍ନଟ

ଅଯୋଧ୍ୟାର ରାମ ମନ୍ଦିରରେ ଦାନ ଚୋରିର ୧୦୫ଟି ଘଟଣା ମନ୍ଦିରର CCTVରେ କଏଦ ହୋଇଥିବା ସୋମବାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି।
ଦାନ ଚୋରି ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT)ର ରିପୋର୍ଟକୁ ଉଦ୍ଧୃତ କରି ସଲିସିଟର ଜେନେରାଲ ତୁଷାର ମେହଟା ସର୍ବୋଚ୍ଚ ଅଦାଲତଙ୍କୁ ତଦନ୍ତର ବିସ୍ତୃତ ତଥ୍ୟ ଦେଇଥିଲେ।

ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କୁ ଆହୁରି ଜଣାଇଥିଲେ ଯେ SITର ତଦନ୍ତ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ସେପ୍ଟେମ୍ବର ୨୫ ସୁଦ୍ଧା ଚାର୍ଜଶିଟ୍ ଦାଖଲ କରାଯିବ। ସୁପ୍ରିମକୋର୍ଟ ମାଜିଷ୍ଟ୍ରେଟଙ୍କୁ ଆଇନ ଅନୁସାରେ ଚାର୍ଜଶିଟ୍ ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦାନ ଚୋରି ଅଭିଯୋଗ ସମ୍ପର୍କିତ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ SITର ଷ୍ଟାଟସ୍ ରିପୋର୍ଟର ସମୀକ୍ଷା କରିଥିଲେ। ଶୁଣାଣି ବେଳେ ଏପର୍ଯ୍ୟନ୍ତ କେତେଜଣ ଗିରଫ ହୋଇଛନ୍ତି ଏବଂ ଦାନ ଚୋରି ସମ୍ପର୍କରେ କେଉଁ ପ୍ରମାଣ ସଂଗ୍ରହ କରାଯାଇଛି, ସେନେଇ କୋର୍ଟଙ୍କୁ ତଥ୍ୟ ଦିଆଯାଇଥିଲା। ଉପଲବ୍ଧ ପ୍ରମାଣ ମଧ୍ୟ କୋର୍ଟଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା।
CCTV ଫୁଟେଜ୍, ସାକ୍ଷୀଙ୍କ ବୟାନ ଏବଂ ଅନ୍ୟାନ୍ୟ ପ୍ରମାଣ ସମ୍ପର୍କିତ ବିବରଣୀ ମଧ୍ୟ ଅଦାଲତଙ୍କୁ ଦିଆଯାଇଥିଲା।

ଷ୍ଟାଟସ୍ ରିପୋର୍ଟରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ CCTV ଫୁଟେଜ୍ ଓ ଅନ୍ୟ ସାମଗ୍ରୀ କିପରି ବିଶ୍ଳେଷଣ କରାଯାଇଥିଲା, ତାହା ଉଲ୍ଲେଖ ରହିଛି। ସୁପ୍ରିମକୋର୍ଟ ଦିଆଯାଇଥିବା ସମସ୍ତ ତଥ୍ୟକୁ ରେକର୍ଡରେ ଗ୍ରହଣ କରିଛନ୍ତି।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ମୂଲ୍ୟବାନ ସାମଗ୍ରୀ ପାଇଁ ସଫ୍ଟୱେର ମାଧ୍ୟମରେ ରସିଦ୍ ପ୍ରସ୍ତୁତ କରାଯାଏ ଏବଂ ସେହି ସାମଗ୍ରୀଗୁଡ଼ିକୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI)ର ଏକ ଲକରରେ ରଖାଯାଏ।
SIT ରିପୋର୍ଟରେ ପ୍ରକାଶ ପାଇଛି ଯେ CCTV ଫୁଟେଜ୍ ଆଧାରରେ ଦାନ ଚୋରିର ୧୦୫ଟି ଘଟଣା ଚିହ୍ନଟ କରାଯାଇଛି।

ଶୁଣାଣି ସମୟରେ ଆବେଦନକାରୀମାନେ SIT ରିପୋର୍ଟର ଏକ କପି ଦେବାକୁ ଅନୁରୋଧ କରିଥିଲେ। ତେବେ ସୁପ୍ରିମକୋର୍ଟ ଏହି ଅନୁରୋଧକୁ ଖାରଜ କରିଥିଲେ। ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଥିଲେ ଯେ ମାମଲାକୁ ସେସନ୍ସ ଜଜଙ୍କ ଅଧୀନରୁ ନିଜ ହାତକୁ ନେବାକୁ ସେମାନେ ଚାହୁଁନାହାନ୍ତି। ଆବଶ୍ୟକ ମନେ ହେଲେ ଅଧିକ ତଦନ୍ତ ପାଇଁ ଅଦାଲତ ଆଦେଶ ଦେବେ ବୋଲି କହିଥିଲେ।

ଚଳିତ ବର୍ଷ ଆରମ୍ଭରେ ଦାନ ଚୋରି ସମ୍ପର୍କିତ ଅଭିଯୋଗ ତୀବ୍ର ହେବା ପରେ ରାମ ମନ୍ଦିର ଟ୍ରଷ୍ଟର ବରିଷ୍ଠ ଅଧିକାରୀ ଚମ୍ପତ ରାୟ ଏବଂ ଅନିଲ ମିଶ୍ରଙ୍କୁ ସେମାନଙ୍କ ପଦରୁ ହଟାଇ ଦିଆଯାଇଥିଲା।
ଏହାସହ ଟ୍ରଷ୍ଟ ମଧ୍ୟରେ CEOଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ବ୍ୟବସ୍ଥା ଲାଗୁ କରାଯାଇଛି। ପୂର୍ବତନ ସେନା ଅଧିକାରୀ ଜିତେନ୍ଦ୍ର ମିଶ୍ରଙ୍କୁ CEO ଭାବେ ନିଯୁକ୍ତ କରାଯାଇଛି। ସେ କହିଛନ୍ତି ଯେ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ ଏବଂ ଭବିଷ୍ୟତର କାର୍ଯ୍ୟପ୍ରଣାଳୀ ପୂର୍ବ ଅପେକ୍ଷା ଉନ୍ନତ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।