CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ
ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳର ନେତାମାନେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଡ଼କୁ ଶୋଭାଯାତ୍ରା କରୁଛନ୍ତି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଧାରଣା ଦେଇଥିଲେ; ପରେ ତୁରନ୍ତ ପୋଲିସ ସେମାନଙ୍କୁ ଅଟକ ରଖି ଏକ ଭ୍ୟାନରେ ବସାଇଥିଲା। ବିକ୍ଷୋଭକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଦିଲ୍ଲୀର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଭୋଟର ତାଲିକାରେ କରାଯାଇଥିବା ବିବାଦୀୟ ପରିବର୍ତ୍ତନକୁ ନେଇ ବିରୋଧୀ ଦଳର ନେତାମାନେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ଦାବି କରୁଛନ୍ତି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଡ଼କୁ ଯାଉଥିବା ‘ଇଣ୍ଡିଆ’ (INDIA) ମେଣ୍ଟର ଶୋଭାଯାତ୍ରାକୁ ସୁରକ୍ଷାକର୍ମୀମାନେ ନୀତି ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ଅଟକାଇଥିଲେ। ବିକ୍ଷୋଭ ସମୟରେ ସାଂସଦମାନେ ଜ୍ଞାନେଶ କୁମାରଙ୍କ ବିରୋଧରେ ସ୍ଲୋଗାନ ମଧ୍ୟ ଦେଇଥିଲେ।
ନିର୍ବାଚନ ଆୟୋଗ ମୁଖ୍ୟାଳୟ ଆଡ଼କୁ ବିରୋଧୀ ଦଳର ଶୋଭାଯାତ୍ରାକୁ ପୋଲିସ ବ୍ୟାରିକେଡ ଦ୍ୱାରା ଅଟକାଇ ଦିଆଯାଇଥିଲା। ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ସେହି ସ୍ଥାନରେ ଧାରଣା ଦେଇଥିଲେ। ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ସେଠାରେ ପହଞ୍ଚିଥିଲେ। ସାଂସଦମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ତାଙ୍କୁ ‘ଭୋଟ ଚୋର’ ବୋଲି ସମ୍ବୋଧନ କରିଥିଲେ।
କଂଗ୍ରେସ ସାଂସଦ ପୱନ ଖେଡ଼ା କହିଥିଲେ, ‘ଆମେ କେବେବି ଜ୍ଞାନେଶ କୁମାରଙ୍କ ଉପରେ ଭରସା କରିନଥିଲୁ, କିନ୍ତୁ ବର୍ତ୍ତମାନ ଆମେ ନିଶ୍ଚିତ ଯେ ସେ ଜଣେ ବିଶ୍ୱାସଯୋଗ୍ୟ ବ୍ୟକ୍ତି ନୁହଁନ୍ତି।’
ସମାଜବାଦୀ ପାର୍ଟି ସାଂସଦ ରାମ ଗୋପାଳ ଯାଦବ କହିଥିଲେ, ‘ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଉ କିଛି ନାହିଁ। ଯଦି ଲୋକଙ୍କ ଭୋଟ ଲିଭାଇ ଦିଆଯାଏ – ଯଦି ବ୍ୟାପକ ସ୍ତରରେ ଭୋଟ ହଟାଇ କ୍ଷମତା ଦଖଲ କରାଯାଏ, ଯେପରି ବଙ୍ଗଳାରେ ଘଟିଥିଲା – ତେବେ ଗଣତନ୍ତ୍ରର ଅର୍ଥ କ’ଣ ରହିଲା? ଯଦି ଏହା ବିରୁଦ୍ଧରେ ପ୍ରତିବାଦ କରା ନ ଯାଏ, ତେବେ ଅନ୍ୟ ସମସ୍ତ ପ୍ରତିବାଦ ଅର୍ଥହୀନ ହୋଇଯିବ।’
କଂଗ୍ରେସ ସାଂସଦ ବିବେକ ତନଖା କହିଥିଲେ, ‘ଏହା ଗଣତନ୍ତ୍ରକୁ ବଞ୍ଚାଇବାର ଲଢ଼େଇ। ସମଗ୍ର ଦେଶ ରାସ୍ତାକୁ ଓହ୍ଲାଇଛି କାରଣ ନିର୍ବାଚନ ଆୟୋଗ ସରକାରଙ୍କ କଣ୍ଢେଇ ଭଳି ଯେପରି କାର୍ଯ୍ୟ କରୁଛନ୍ତି, ତାହା ଗ୍ରହଣୀୟ ନୁହେଁ।’
ଏସପି (SP) ସାଂସଦ ଇକ୍ରା ହାସନ କହିଥିଲେ, ‘ଏକ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ ୧୪ ଥର ସର୍ବସମ୍ମତି କ୍ରମେ କୌଣସି ନିଷ୍ପତ୍ତି ନିଆଯାଇପାରି ନଥିଲା। ବିରୋଧୀ ଦଳ ପ୍ରଥମ ଦିନରୁ କହିଆସୁଛି ଯେ ଜ୍ଞାନେଶ କୁମାର ଭାଜପାର ଏଜେଣ୍ଟ ଭଳି କାର୍ଯ୍ୟ କରୁଛନ୍ତି।’
Dharitri – Odisha’s No.1, Most Trusted Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।