Cement Prices May Rise Again: ସିମେଣ୍ଟ ଦାମ ପୁଣି ବଢ଼ିବ! ଘର ତିଆରି ପାଇଁ ଗ୍ରାହକଙ୍କୁ ଲାଗିବ ଝଟକା

Oct 20, 2026 - 16:32
Cement Prices May Rise Again: ସିମେଣ୍ଟ ଦାମ ପୁଣି ବଢ଼ିବ! ଘର ତିଆରି ପାଇଁ ଗ୍ରାହକଙ୍କୁ ଲାଗିବ ଝଟକା

ଘର ତିଆରି କରିବା ହେବ ଆହୁରି ମହଙ୍ଗା। ସିମେଣ୍ଟ କିଣିବା ପାଇଁ ଏଣିକି ଗ୍ରାହକଙ୍କୁ ଦେବାକୁ ପଡ଼ିପାରେ ଅଧିକ ଟଙ୍କା। ଆଗାମୀ କିଛି ମାସରେ ସିମେଣ୍ଟ ଦାମ ଆହୁରି ବଢ଼ିବାର ସଙ୍କେତ ଦେଇଛି ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ଅଲ୍ଟ୍ରାଟେକ୍ ସିମେଣ୍ଟ। ଇନ୍ଧନ ଓ କଞ୍ଚାମାଲ ଖର୍ଚ୍ଚ ବଢ଼ୁଥିବାରୁ ଏହାର ଭରଣା ପାଇଁ କମ୍ପାନୀ ଦାମ ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛି।

କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀଙ୍କ କହିବା ଅନୁସାରେ, ସେପ୍ଟେମ୍ବରର ଦ୍ୱିତୀୟାର୍ଦ୍ଧରେ ସିମେଣ୍ଟ ବସ୍ତା ପିଛା ହାରାହାରି ଦାମ ମାସିକ ଭିତ୍ତିରେ ୭ରୁ ୧୦ ପ୍ରତିଶତ ବଢ଼ିଥିଲା। ଅକ୍ଟୋବରରେ ଦାମ ସେପ୍ଟେମ୍ବର ତ୍ରୈମାସିକର ହାରାହାରି ଦାମଠାରୁ ପ୍ରାୟ ୫ ପ୍ରତିଶତ ଅଧିକ ରହିଛି। ଆଗାମୀ ଦୁଇ ମାସରେ ଦାମ ଆହୁରି ବଢ଼ିପାରେ ବୋଲି କମ୍ପାନୀ ଆଶା ରଖିଛି।

ଅନ୍ୟପଟେ, ଇନ୍ଧନ ଖର୍ଚ୍ଚ ବସ୍ତା ପିଛା ୪୫ ଟଙ୍କାରୁ ବଢ଼ି ୫୧ ଟଙ୍କା ୫୦ ପଇସାରେ ପହଞ୍ଚିଛି। ତେବେ ଏହି ଖର୍ଚ୍ଚ ଆହୁରି ବଢ଼ିବ କି ନାହିଁ, ତାହା ନେଇ କମ୍ପାନୀ ନିଶ୍ଚିତ ନୁହେଁ। ଦାମ ବୃଦ୍ଧିର ପୂରା ଲାଭ ଡିସେମ୍ବର ତ୍ରୈମାସିକର ଆୟରେ ପ୍ରତିଫଳିତ ହେବ ବୋଲି ଆଶା କରାଯାଉଛି।

ସେପଟେ, ଅଲ୍ଟ୍ରାଟେକ୍‌ର ବ୍ୟବସାୟିକ ପ୍ରଦର୍ଶନ ମଧ୍ୟ ଭଲ ରହିଛି। ୨୦୨୬-୨୭ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଦେଶ ଭିତରେ କମ୍ପାନୀର ଗ୍ରେ ସିମେଣ୍ଟ ବିକ୍ରି ପରିମାଣ ୧୩.୮ ପ୍ରତିଶତ ବଢ଼ି ୩ କୋଟି ୫୯ ଲକ୍ଷ ୪୦ ହଜାର ଟନ୍‌ରେ ପହଞ୍ଚିଛି। ମୋଟ ନେଟ୍ ବିକ୍ରି ୧୮.୯ ପ୍ରତିଶତ ବଢ଼ି ୨୩ ହଜାର ୨୪ କୋଟି ଟଙ୍କା ହୋଇଥିବା ବେଳେ ନିଟ୍ ଲାଭ ୨୧.୩ ପ୍ରତିଶତ ବଢ଼ି ୧ ହଜାର ୫୦୧ କୋଟି ଟଙ୍କା ହୋଇଛି।

ତେବେ ପ୍ରଶ୍ନ ହେଉଛି, ଇନ୍ଧନ ଖର୍ଚ୍ଚର ଚାପ ଭିତରେ ସିମେଣ୍ଟ ଦାମ ଆଉ କେତେ ବଢ଼ିବ? ଯଦି ଦାମ ବୃଦ୍ଧି ଜାରି ରହେ, ତେବେ ଘର ନିର୍ମାଣର ବଜେଟ୍ ମଧ୍ୟ ବଢ଼ିବାର ଆଶଙ୍କା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।