ChatGPT Harmful for Students: ପିଲାଙ୍କ ପାଇଁ ବିପଦ ପାଲଟୁଛି ChatGPT! ହୋମୱାର୍କରେ ବଢ଼ୁଛି ମାର୍କ, ପରୀକ୍ଷାରେ କମୁଛି!

Oct 09, 2026 - 19:56
ChatGPT Harmful for Students: ପିଲାଙ୍କ ପାଇଁ ବିପଦ ପାଲଟୁଛି ChatGPT! ହୋମୱାର୍କରେ ବଢ଼ୁଛି ମାର୍କ, ପରୀକ୍ଷାରେ କମୁଛି!

AI ବ୍ୟବହାର କରି ହୋମୱାର୍କ କରୁଛନ୍ତି କି ଆପଣଙ୍କ ପିଲା? ତେବେ ସାବଧାନ! ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପିଲାଙ୍କ ପାଠପଢ଼ାକୁ ସହଜ କରୁଥିଲେ ମଧ୍ୟ ଏହାର ଅତ୍ୟଧିକ ବ୍ୟବହାର ସେମାନଙ୍କ ଶିଖିବା ଓ ନିଜେ ଚିନ୍ତା କରିବାର କ୍ଷମତା ଉପରେ ପ୍ରଭାବ ପକାଇପାରେ। ବିଶ୍ୱବ୍ୟାଙ୍କର ୱାର୍ଲ୍ଡ ଡେଭଲପମେଣ୍ଟ ରିପୋର୍ଟ ୨୦୨୬ରେ ଏନେଇ ଚିନ୍ତା ପ୍ରକାଶ କରାଯାଇଛି। ଏକ ଅଧ୍ୟୟନ ଅନୁଯାୟୀ, AI ବ୍ୟବହାର ପରେ ଛାତ୍ରଛାତ୍ରୀଙ୍କ ହୋମୱାର୍କ ନମ୍ବର ୧୮ ପ୍ରତିଶତ ବଢ଼ିଥିବା ବେଳେ କ୍ଲାସ୍ ଟେଷ୍ଟରେ ନମ୍ବର ୨୦ ପ୍ରତିଶତ କମିଛି। 

ଆଜିକାଲି ପାଠପଢ଼ାଠାରୁ ଆରମ୍ଭ କରି ହୋମୱାର୍କ ପର୍ଯ୍ୟନ୍ତ ସବୁଥିରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIର ବ୍ୟବହାର ବଢ଼ିବାରେ ଲାଗିଛି। କୌଣସି ପ୍ରଶ୍ନର ଉତ୍ତର ଜାଣିବାକୁ ହେଉ କି କଠିନ ଗଣିତର ସମାଧାନ କରିବାକୁ ହେଉ, ଛାତ୍ରଛାତ୍ରୀମାନେ ChatGPT ଭଳି AI ଟୁଲ୍‌ର ସାହାଯ୍ୟ ନେଉଛନ୍ତି। କିନ୍ତୁ ଏହି ସୁବିଧା କ'ଣ ପିଲାଙ୍କୁ ଧୀରେ ଧୀରେ ନିଜେ ଚିନ୍ତା କରିବା ଓ ଶିଖିବାଠାରୁ ଦୂରେଇ ଦେଉଛି? ବିଶ୍ୱବ୍ୟାଙ୍କର ଏକ ରିପୋର୍ଟ ଏଭଳି ପ୍ରଶ୍ନ ସୃଷ୍ଟି କରିଛି।

ହୋମୱାର୍କରେ ୧୮% ବଢ଼ିଲା ନମ୍ବର, ପରୀକ୍ଷାରେ ୨୦% ହ୍ରାସ

ଏହାକୁ ନେଇ ବିଶ୍ୱବ୍ୟାଙ୍କର ଚୀନ୍‌ର ଏକ ଅଧ୍ୟୟନ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏଥିରେ ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସାମିଲ କରାଯାଇଥିଲା।

ଅଧ୍ୟୟନ ଅନୁଯାୟୀ, ୨୦୨୨ରୁ ୨୦୨୫ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ AI ବ୍ୟବହାର ପ୍ରାୟ ଶୂନରୁ ବଢ଼ି ୮୦ ପ୍ରତିଶତରେ ପହଞ୍ଚିଥିଲା। AI ବ୍ୟବହାର ଆରମ୍ଭ କରିବାର ଛଅ ମାସ ପରେ ସେମାନଙ୍କ ହୋମୱାର୍କ ନମ୍ବରରେ ୧୮ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା। ଏଥିସହ ହୋମୱାର୍କ ଶେଷ କରିବାକୁ ସେମାନଙ୍କୁ ପୂର୍ବାପେକ୍ଷା କମ୍ ସମୟ ଲାଗୁଥିଲା।

କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଲା, ପ୍ରତିମାସରେ ହେଉଥିବା କ୍ଲାସ୍ ପରୀକ୍ଷାରେ ସେମାନଙ୍କ ନମ୍ବର ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଏହାର ଅର୍ଥ, AI ସାହାଯ୍ୟରେ ଛାତ୍ରଛାତ୍ରୀମାନେ ଭଲ ହୋମୱାର୍କ କରୁଥିଲେ ମଧ୍ୟ ବିଷୟବସ୍ତୁକୁ କେତେ ବୁଝୁଥିଲେ, ତାହାକୁ ନେଇ ପ୍ରଶ୍ନ ଉଠିଛି। 

ତେବେ ଏହି ଅଧ୍ୟୟନର ସେତେବେଳେ ବିଶେଷଜ୍ଞଙ୍କ ଦ୍ୱାରା ସମୀକ୍ଷା ବା ପିୟର୍ ରିଭ୍ୟୁ ହୋଇ ନଥିଲା। ତେଣୁ ଏହାର ଫଳାଫଳକୁ ସମସ୍ତ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ସମାନ ଭାବେ ପ୍ରଯୁଜ୍ୟ ବୋଲି କୁହାଯାଇପାରିବ ନାହିଁ।

କମିଯାଉଛି କି ନିଜେ ଚିନ୍ତା କରିବାର କ୍ଷମତା?

ରିପୋର୍ଟ ଅନୁସାରେ, ପାଠପଢ଼ାର ମୂଳ ଉଦ୍ଦେଶ୍ୟ କେବଳ ସଠିକ୍ ଉତ୍ତର ଲେଖିବା ନୁହେଁ। ବରଂ ପ୍ରଶ୍ନକୁ ଭଲଭାବେ ବୁଝିବା, ସମାଧାନ ଖୋଜିବା ଓ ନିଜ ବୁଦ୍ଧି ପ୍ରୟୋଗ କରିବା ମଧ୍ୟ ଜରୁରୀ। ଯେତେବେଳେ ଜଣେ ଛାତ୍ର ପ୍ରତ୍ୟେକ ପ୍ରଶ୍ନର ଉତ୍ତର ସିଧାସଳଖ AIରୁ ନେଇଥାଏ, ସେତେବେଳେ ନିଜେ ଚିନ୍ତା କରିବା, ଭୁଲ୍ କରି ସେଥିରୁ ଶିଖିବା ଏବଂ ସମସ୍ୟାର ସମାଧାନ ଖୋଜିବାର ସୁଯୋଗ କମିଯାଇପାରେ।

ବିଶ୍ୱବ୍ୟାଙ୍କର ୱାର୍ଲ୍ଡ ଡେଭଲପମେଣ୍ଟ ରିପୋର୍ଟ ୨୦୨୬ର ନିର୍ଦ୍ଦେଶକ ଗୌରବ ନୈୟର ମଧ୍ୟ ଏହି ପ୍ରସଙ୍ଗରେ ଚିନ୍ତା ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀମାନେ ଶିଖିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା AI ଉପରେ ଛାଡ଼ିଦେଲେ ତାହା ସମସ୍ୟା ସୃଷ୍ଟି କରିପାରେ ବୋଲି ରିପୋର୍ଟରେ ସତର୍କ କରାଯାଇଛି।

AI ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ଉଚିତ କି?

ତେବେ ବିଶ୍ୱବ୍ୟାଙ୍କର ରିପୋର୍ଟ AI ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କହୁନାହିଁ। ବରଂ ଏହାର ସଠିକ୍ ଓ ନିୟନ୍ତ୍ରିତ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। AI ଜରିଆରେ କଠିନ ବିଷୟକୁ ସହଜ ଭାଷାରେ ବୁଝିହେବ। ଗଣିତର ଜଟିଳ ସମାଧାନ ପଦ୍ଧତି ଶିଖିହେବ। ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁସାରେ ପାଠ୍ୟସାମଗ୍ରୀ ପ୍ରସ୍ତୁତ କରାଯାଇପାରିବ। ଏହା ଶିକ୍ଷକମାନଙ୍କୁ ମଧ୍ୟ ପାଠଦାନରେ ସାହାଯ୍ୟ କରିପାରିବ।

ଚୀନ୍, ଘାନା, ନାଇଜେରିଆ, ତୁର୍କୀ ଓ ଆମେରିକାରେ ହୋଇଥିବା ବିଭିନ୍ନ ପରୀକ୍ଷଣରେ AI ଆଧାରିତ ଶିକ୍ଷାର ସକାରାତ୍ମକ ଫଳାଫଳ ମଧ୍ୟ ସାମ୍ନାକୁ ଆସିଛି। କେତେକ ପରୀକ୍ଷଣରେ AI ସହାୟତାରେ ୩୦ଟି ପାଠଦାନ ସେସନ୍ ପରେ ଅନ୍ୟୂନ ଛଅ ମାସର ଶିକ୍ଷା ସହ ସମାନ ଲାଭ ମିଳିଥିବା ଦର୍ଶାଯାଇଛି। ବିଶେଷକରି ଶିକ୍ଷକଙ୍କ ତତ୍ତ୍ୱାବଧାନରେ AI ବ୍ୟବହାର ଫଳପ୍ରଦ ହୋଇପାରେ। 

ଅଭିଭାବକ ଓ ଛାତ୍ରଛାତ୍ରୀ କ'ଣ କରିବେ?

ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ, ଛାତ୍ରଛାତ୍ରୀମାନେ ହୋମୱାର୍କର ଉତ୍ତର ସିଧା AIରୁ କପି କରିବା ପରିବର୍ତ୍ତେ ପ୍ରଥମେ ନିଜେ ଉତ୍ତର ଖୋଜିବାକୁ ଚେଷ୍ଟା କରିବା ଉଚିତ। କୌଣସି ବିଷୟ ବୁଝି ନହେଲେ AIର ସାହାଯ୍ୟ ନେଇପାରିବେ।

ଏହାପରେ AIର ସାହାଯ୍ୟ ନ ନେଇ ସେହି ପ୍ରକାରର ଅନ୍ୟ ପ୍ରଶ୍ନର ସମାଧାନ କରିବା ଦରକାର। ଏହାଦ୍ୱାରା ପ୍ରକୃତରେ ବିଷୟଟି ବୁଝିଛନ୍ତି କି ନାହିଁ, ତାହା ଜାଣିହେବ। ସେହିପରି ଅଭିଭାବକ ଓ ଶିକ୍ଷକମାନେ ପିଲାଙ୍କୁ AI ଦେଇଥିବା ଉତ୍ତର ନିଜ ଭାଷାରେ ବୁଝାଇବାକୁ କହିପାରିବେ। ସମୟ ସମୟରେ ବିନା AI ସହାୟତାରେ ପରୀକ୍ଷା ଓ ଅଭ୍ୟାସ କରାଇବା ମଧ୍ୟ ଆବଶ୍ୟକ।

ମୋଟାମୋଟି ଭାବେ ବିଶ୍ୱବ୍ୟାଙ୍କର ରିପୋର୍ଟ ଏକ ବଡ଼ ବାର୍ତ୍ତା ଦେଉଛି। AI ପିଲାଙ୍କ ପାଇଁ ଶିକ୍ଷକଙ୍କ ସହାୟକ ହେବା ଉଚିତ, ନିଜେ ଚିନ୍ତା କରିବାର ବିକଳ୍ପ ନୁହେଁ। କାରଣ ଭଲ ନମ୍ବର ପାଇବା ଯେତିକି ଜରୁରୀ, ବିଷୟକୁ ଠିକ୍ ଭାବେ ବୁଝିବା ଓ ନିଜେ ସମସ୍ୟାର ସମାଧାନ କରିବା ତା'ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।