Will Rain Spoil Durga Puja Festivities: ଦଶହରା ପୂର୍ବରୁ ଲଘୁଚାପ ଛନକା, ପୂଜା ପ୍ରସ୍ତୁତିକୁ ନେଇ ବଢ଼ିଲା ଚିନ୍ତା

Oct 09, 2026 - 19:56
Will Rain Spoil Durga Puja Festivities: ଦଶହରା ପୂର୍ବରୁ ଲଘୁଚାପ ଛନକା, ପୂଜା ପ୍ରସ୍ତୁତିକୁ ନେଇ ବଢ଼ିଲା ଚିନ୍ତା

ପୂଜା ପୂର୍ବରୁ ଲଘୁଚାପ ଛନକା। ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯଦିଓ ଓଡ଼ିଶା ଉପରେ ଏହାର ପ୍ରଭାବ କଣ ରହିବ, ଲଘୁଚାପ କ୍ଷେତ୍ର ପରବର୍ତ୍ତୀ ସମୟରେ କେତେ ଶକ୍ତିଶାଳୀ ହେବ ସେ ନେଇ ଏଯାଏଁ କୌଣସି ସ୍ପଷ୍ଟ ଆକଳନ ହୋଇନାହିଁ, ତଥାପି ଅକ୍ଟୋବର ମାସ ହୋଇଥିବାରୁ ଲୋକଙ୍କ ଭିତରେ ଛନକା ପସିଛି। 

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଥାଇଲାଣ୍ଡ ଉପସାଗର ଓ ଏହାର ଆଖପାଖ ଅଂଚଳରେ ଏବେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାକି ଆସନ୍ତା ୧୧ ତାରିଖ ବେଳକୁ ଆଣ୍ଡାମାନ ସାଗରକୁ ଆସିପାରେ। ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ଏକ ଲଘୁଚାର କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଆଡକୁ ମୁହାଁଇପାରେ। 

୧୯୯୯ ଅକ୍ଟୋବରରେ ମହାବାତ୍ୟା, ୨୦୧୩ ଅକ୍ଟୋବର ୧୧ରେ ଫାଇଲିନ୍, ୨୦୧୪ ଅକ୍ଟୋବର ୧୨ରେ ହୁଡହୁଡ୍, ୨୦୧୮ ଅକ୍ଟୋବର ୧୧ରେ ତିତିଲି ଓଡ଼ିଶାକୁ ଅନେକ କ୍ଷତି ପହଞ୍ଚାଇଛି। ତେବେ ସମ୍ଭାବ୍ୟ ଲଘୁଚାପ ଶକ୍ତିଶାଳୀ ହୋଇ କେଉଁ ରୂପ ନେବ, ଓଡ଼ିଶାରେ କେତେ ପ୍ରଭାବ ପଡ଼ିବ ସେ ନେଇ ସସପେନ୍ସ ଲାଗି ରହିଛି। 

ସେପଟେ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଜିଲ୍ଲାଗୁଡ଼ିକ ହେଲା- କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ। ଏସବୁ ଜିଲ୍ଲାରେ ୩୦ରୁ ୪୦ କିଲୋମିଟର ବେଗରେ ଝଟ୍କା ପବନ ବହିବା ନେଇ ସତର୍କ କରାଇ ଦେଇଛି ବିଭାଗ। ଆସନ୍ତାକାଲି ମଧ୍ୟ ସେହି ସମାନ ଜିଲ୍ଲାଗୁଡ଼ିକରେ ଝଟକା ପବନ ସହିତ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।