Chhattisgarh: ବନ୍ୟା ଦେଇ ଅବପାତ ଛତିଶଗଡ଼ ମୁହାଁଇଲା
ଭୁବନେଶ୍ବର: ମାତ୍ର ଦୁଇ ଦିନର ଲଗାଣ ବର୍ଷାରେ ସମସ୍ତ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଉତ୍ତର ଓଡ଼ିଶାର ନଦୀଗୁଡ଼ିକ ଫୁଲୁଛି। ଉତ୍ତର ଓଡ଼ିଶା ସମେତ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ଜଳକା ନଦୀର ଜଳସ୍ତର ବଢ଼ୁଛି। କେବଳ ସେତିକି ନୁହେଁ, ଗଭୀର ଅବପାତ ଛତିଶଗଡ଼ମୁହାଁ ହୋଇଥିବାରୁ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମୂଷଳ ଧାରାରେ ବର୍ଷା ହେଉଛି। ଫଳରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ମହାନଦୀର ଉପନଦୀ ତେଲ ଓ ହାତୀ ନଦୀରେ ବି ଜଳସ୍ତର ବଢ଼ୁଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ହୀରାକୁଦର ପାଞ୍ଚଟି ଗେଟ୍ ଖୋଲିଛନ୍ତି। ତେବେ ମହାନଦୀକୁ ଜଳପ୍ରବାହ କମ୍ ଥିବାରୁ ବନ୍ୟା ଆଶଙ୍କା ନ ଥିବା ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି।
Horoscope 2026 September 26: ଜାଣନ୍ତୁ ଆଜିର ରାଶିଫଳ...
କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି ଜିଲ୍ଲାରେ ତିନି ଦିନ ହେଲା ବର୍ଷା ହେଉଥିବାରୁ ଇନ୍ଦ୍ରାବତୀ, ବଂଶଧାରା, ଋଷିକୁଲ୍ୟା, ପୋଟେରୁ ନଦୀର ଜଳ ଗାଁରେ ପଶିଛି। ଜଳଭଣ୍ଡାରର ଜଳସ୍ତର ବଢ଼ୁଥିବାରୁ ଇନ୍ଦ୍ରାବତୀର ତିନିଟି ଗେଟ୍ ଖୋଲାଯାଇଛି। ଆସନ୍ତା ୨୪ ଘଣ୍ଟା ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଅନ୍ୟପକ୍ଷରେ ଅବପାତ ଓଡ଼ିଶା ଅତିକ୍ରମ କରିଥିଲେ ସୁଦ୍ଧା ବର୍ଷା ପ୍ରଭାବ କମି ନାହିଁ। ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଓ ପବନ ଲାଗିରହିଛି। ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ ଜିଲ୍ଲାରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନରେ ଅନେକ ଗଛ ଉପୁଡ଼ି ପଡ଼ିଛି। ଖବର ଲେଖାଯିବା ସୁଦ୍ଧା ଅବପାତ ଦକ୍ଷିଣ ଛତିଶଗଡ଼ ଓ ସଂଲଗ୍ନ ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶା ଉପରେ ରହିଥିଲା।
UPI ଶୁଳ୍କ ସରକାରଙ୍କ ଖାତାକୁ ଆସିବନି: ନିର୍ମଳା
ଘଣ୍ଟା ପ୍ରତି ୧୩ କିମି ବେଗରେ ଆଗକୁ ବଢ଼ି ଶନିବାର ସକାଳ ସୁଦ୍ଧା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇପାରେ। ପ୍ରଭାବରେ ଶନିବାର ପୂର୍ବାହ୍ଣ ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ୪୦ରୁ ୫୦ କିମି ବେଗରେ ପବନ ସହ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଗତକାଲି ସକାଳଠାରୁ ଆଜି ସକାଳ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିରେ ୩୯୫ ମିମି ବର୍ଷା ହୋଇଥିବା ବେଳେ ନନ୍ଦାହାଣ୍ଡିରେ ୩୪୪, କୋରାପୁଟ ଜିଲ୍ଲାର ବୋରିଗୁମ୍ମାରେ ୩୦୭.୮, କୋଟପାଡ଼ରେ ୨୭୨, ସେମିଳିଗୁଡ଼ାରେ ୨୬୭, ଜୟପୁରରେ ୨୫୮.୨, ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ୨୪୦.୨, କୋଷାଗୁମୁଡ଼ାରେ ୨୪୦, ଚନ୍ଦାହାଣ୍ଡିରେ ୨୨୯.୬ ଓ କେନ୍ଦ୍ରାପଡ଼ାରେ ୨୧୪ ମିମି ବର୍ଷା ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।