26 SEPTEMBER 2026

Welcome!

Unlock your personalized experience.
Sign Up

North Odisha Flooded Again: ପୁଣି ଭାସିଲା ଉତ୍ତର ଓଡ଼ିଶା: ବାଲେଶ୍ବରର ୪ ନଦୀରେ ବନ୍ୟା, ଖୋଲିଲା ଗାଲୁଡ଼ିହି ବ୍ୟାରେଜ୍‌ର ୭ ଗେଟ୍‌

Sep 26, 2026 - 03:01
North Odisha Flooded Again: ପୁଣି ଭାସିଲା ଉତ୍ତର ଓଡ଼ିଶା: ବାଲେଶ୍ବରର ୪ ନଦୀରେ ବନ୍ୟା, ଖୋଲିଲା ଗାଲୁଡ଼ିହି ବ୍ୟାରେଜ୍‌ର ୭ ଗେଟ୍‌

ବାଲେଶ୍ବର/ବାରିପଦା/ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଉପୁଜିଛି। ବାଲେଶ୍ବର, ମୟୂରଭଞ୍ଜ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଛୋଟବଡ଼ ନଦୀର ଜଳସ୍ତର ବଢ଼ି କୂଳ ଲଂଘିଥିବା ବେଳେ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ହୋଇ ନପାରି ଅନେକ ଅଞ୍ଚଳକୁ ବୁଡ଼ାଇଛି। ବାଲେଶ୍ବର ଜିଲ୍ଲାର ଜଳକା, ବୁଢ଼ାବଳଙ୍ଗ, ସୋନ ଓ କାଂଶବାଂଶ ନଦୀରେ ବନ୍ୟା ଆସିଛି। ଜଳକାରେ ଚଳିତବର୍ଷ ଅଷ୍ଟମ ବନ୍ୟା ଆସିଥିବା ବେଳେ ସଦର ବ୍ଲକ୍‌ର ୩ଟି ଏବଂ ବସ୍ତା ବ୍ଲକ୍‌ର ୧୫ରୁ ଅଧିକ ପଞ୍ଚାୟତ ପ୍ରଭାବିତ ‌ହୋଇଛି। ବୁଢ଼ାବଳଙ୍ଗ ବନ୍ୟାରେ ସଦର ଓ ରେମୁଣା ବ୍ଲକ୍‌ର ୨୦ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହେବା ସହ ଶହଶହ ହେକ୍ଟର ଚାଷଜମି ବୁଡ଼ିଛି। ସୋନ ବନ୍ୟାରେ ନୀଳଗିିରିର ୬ଟି, ରେମୁଣାର ୫ଟି ପଞ୍ଚାୟତ, କାଂଶବାଂଶ ବନ୍ୟାରେ ସୋର, ଖଇରା ଓ ସିମୁଳିଆ ବ୍ଲକ୍‌ର ୨୫ରୁ ଅଧିକ ପଞ୍ଚାୟତ ପ୍ରଭାବିତ ‌ହୋଇଥିବା ଜଣାପଡ଼ିଛି। ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜ୍‌ର ୭ଟି ଗେଟ୍‌ ଖୋଲି ଦିଆଯାଇଥିବା ବେଳେ ପ୍ରତି ସେକେଣ୍ଡରେ ସୁବର୍ଣ୍ଣରେଖାକୁ ୨,୮୦୮ କ୍ୟୁମେକ୍‌ ପାଣି ନିଷ୍କାସିତ ହେଉଛି। ଫଳରେ ନଦୀରେ ବନ୍ୟା ଆଶଙ୍କା ବଢ଼ିଛି। ଖଇରା ଥାନା ଅଧୀନ କୁପାରୀ-ଶରତ ରାସ୍ତାରେ ଶାରୀଶୁଆ ପାହାଡ଼ ଧସିଯିବା ଫଳରେ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରୁ ମୟୂରଭଞ୍ଜକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

Horoscope 2026 September 26: ଜାଣନ୍ତୁ ଆଜିର ରାଶିଫଳ...

ଖୋଲିଲା ଗାଲୁଡ଼ିହି ବ୍ୟାରେଜ୍‌ର ୭ ଗେଟ୍‌
ସୁବର୍ଣ୍ଣରେଖା ଆଣିପାରେ ବଡ଼ ବିପଦ
ଧସିଲା ଶାରୀଶୁଆ ପାହାଡ଼, ଯୋଗାଯୋଗ ବିଚ୍ଛିନ୍ନ
ମୟୂରଭଞ୍ଜରେ ଜଣେ ମୃତ, ଭାସିଗଲା କାର୍‌
ଭଦ୍ରକ‌ରେ ଏକାଧିକ ନଦୀ ଉଛୁଳିଲା
ବଢ଼ୁଛି ବୈତରଣୀ ଓ ସାଳନ୍ଦୀର ଜଳସ୍ତର

UPI ଶୁଳ୍କ ସରକାରଙ୍କ ଖାତାକୁ ଆସିବନି: ନିର୍ମଳା

ଗତ ୧୨ ଘଣ୍ଟା ମଧ୍ୟରେ ମୟୂରଭଞ୍ଜରେ ରେକର୍ଡ ପରିମାଣର ବର୍ଷା ହୋଇଛି। ଶିମିଳିପାଳ ଅଭୟାଣ୍ୟର କୁଳିପାଳରେ ସର୍ବାଧିକ ୩୬୨.୪୫୮ ମିମି ସହ ଠାକୁରମୁଣ୍ଡା ଓ ବିଶୋଇ ବ୍ଲକ୍‌ରେ ସର୍ବାଧିକ ୧୬୦ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାଫଳରେ ବୁଢ଼ାବଳଙ୍ଗର ଜଳସ୍ତର ବଢୁଛି। ଉଦଳା-ବାରିପଦା ୧୯ ନମ୍ବର ରାଜ୍ୟ ରାଜପଥର ନାହ୍ନୁଆପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ବାଙ୍ଗିରିପୋଷି କାଳିଆମୀ ନିକଟରେ ପଳପଳା ନଦୀ ଓ ବିଭିନ୍ନ ନାଳରେ ଜଳସ୍ତର ବଢ଼ି ବାଲିଡ଼ିହା-କୁଚିଳାଘାଟି ଓ ଲୁଲୁଙ୍ଗ-ରଙ୍ଗାମାଟିଆ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲୁଲୁଙ୍ଗ ଓ ସୀତାକୁଣ୍ଡ ଅଞ୍ଚଳର ବିଭିନ୍ନ ରିସର୍ଟ ବନ୍ୟାଜଳ ଘେରରେ ରହିଛି। ସାରସକଣା ବ୍ଲକ୍‌ ଜାଲଦା ପଞ୍ଚାୟତ ପୁନାସିଆ ଗ୍ରାମରେ କାନ୍ଥପଡ଼ି ଚୁନୁ ନାଏକ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଗଙ୍ଗାହାର ନଦୀର ବନ୍ୟାଜଳ ପୋଲ ଉପରେ ପ୍ରବାହିତ ହେବାରୁ ବୈଶିଙ୍ଗା-ଭୀମଦା ଓ ବଡ଼ସାହି-କୁଆମରା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଉଦଳା ଥାନା ଅଧୀନ ନହରପଦା ଅଞ୍ଚଳରେ ହଠାତ ବର୍ଷାପାଣି ମାଡ଼ିଆସିବାରୁ ଏକ କାର୍‌ ଭାସିଯାଇଥିବା ବେଳେ ୨ ଜଣ ଉଦ୍ଧାର ହୋଇଛନ୍ତି। ପରିସ୍ଥିତିର ଗମ୍ଭୀରତାକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସମସ୍ତ ସ୍କୁଲ୍‌, କଲେଜ ବନ୍ଦ ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ସର୍ବାଧିକ ୧୨୩.୨ ମିମି, ଗତକାଲି ଭଦ୍ରକରେ ହାରାହାରି ୮୦ ମିମି ଓ ଆଜି ୯୦ ମିମି ବର୍ଷା ରେକର୍ଡ କରାଯାଇଛି। ଫଳରେ ଭଦ୍ରକର ସବୁ ନଦୀର ଜଳପତ୍ତନ ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବୈତରଣୀ ଓ ସାଳନ୍ଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ରେବ, କପାଳି ଓ ନାଳିଆ ନଦୀ ଉଛୁଳିଛି। ସାଳନ୍ଦୀ ବନ୍ୟାରେ ଭଦ୍ରକ ବ୍ଲକ୍‌ର ବିଷ୍ଣୁପୁରବିନ୍ଧା-ଗୁଜିଦରଡ଼ା ରାସ୍ତା ଉପରେ ତିନି ଫୁଟ ଏବଂ ରାଜମୁକୁନ୍ଦପୁର ପୋଲ ଉପରେ ୨ ଫୁଟର ପାଣି ଚାଲିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।