Child Speech Development: ପିଲା କଥା କହିବାରେ ବିଳମ୍ବ କରୁଛି କି? ଆପଣାନ୍ତୁ ଏହି ୪ଟି ସହଜ ଉପାୟ, ପିଲା ଶୀଘ୍ର କହିବ କଥା
ଆପଣଙ୍କ ପିଲା କଥା କହିବାରେ ବିଳମ୍ବ କରୁଛି କି? ସମବୟସ୍କ ପିଲାଙ୍କ ଭଳି ଶବ୍ଦ ଉଚ୍ଚାରଣ କରିପାରୁନି କି? ଏହାକୁ ନେଇ ଅନେକ ବାପାମାଆ ଚିନ୍ତିତ ହୋଇପଡ଼ନ୍ତି। ତେବେ ପିଲାଙ୍କ ସହ ନିୟମିତ କଥାବାର୍ତ୍ତା, ଗପ ଶୁଣାଇବା ଓ ସ୍କ୍ରିନ୍ ସମୟ କମାଇବା ଭଳି କେତେକ ସହଜ ଅଭ୍ୟାସ ସେମାନଙ୍କ ଭାଷା ବିକାଶରେ ସହାୟକ ହୋଇପାରେ। ଏନେଇ ଶିଶୁରୋଗ ବିଶେଷଜ୍ଞ ମେହର ୪ଟି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି।
ପ୍ରତ୍ୟେକ ବାପାମାଆ ଚାହାନ୍ତି ଯେ ତାଙ୍କ ପିଲା ଠିକ୍ ସମୟରେ କଥା କହିବା ଶିଖୁ। ଅନ୍ୟମାନଙ୍କ କଥା ବୁଝିପାରୁ ଏବଂ ନିଜ ମନର କଥାକୁ ସହଜରେ ପ୍ରକାଶ କରିପାରୁ। କିନ୍ତୁ ସବୁ ପିଲାଙ୍କର ବିକାଶ ସମାନ ଗତିରେ ହୋଇନଥାଏ। କେତେକ ପିଲା ଖୁବ୍ ଶୀଘ୍ର ଶବ୍ଦ ଉଚ୍ଚାରଣ କରିବା ଆରମ୍ଭ କରୁଥିବା ବେଳେ ଆଉ କେତେକ ପିଲାଙ୍କୁ ଟିକେ ଅଧିକ ସମୟ ଲାଗିଥାଏ।
ଏପରି ପରିସ୍ଥିତିରେ ବାପାମାଆ ଅନେକ ସମୟରେ ଚିନ୍ତାରେ ପଡ଼ିଯାଆନ୍ତି। ପିଲା କାହିଁକି କଥା କହୁନାହିଁ, ତା'ର କୌଣସି ସମସ୍ୟା ରହିଛି କି, ଏଭଳି ଅନେକ ପ୍ରଶ୍ନ ସେମାନଙ୍କ ମନକୁ ଆସିଥାଏ। ତେବେ ପିଲାଙ୍କ ଭାଷା ବିକାଶରେ ଘରର ପରିବେଶ ଓ ବାପାମାଆଙ୍କ ସହ ଦୈନନ୍ଦିନ କଥାବାର୍ତ୍ତାର ବଡ଼ ଭୂମିକା ରହିଛି।
ଶିଶୁରୋଗ ବିଶେଷଜ୍ଞ ମେହର ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଏନେଇ କିଛି ପରାମର୍ଶ ଦେଇଛନ୍ତି। ତାଙ୍କ ମତରେ, ବାପାମାଆ କେତେକ ସାଧାରଣ ଅଭ୍ୟାସ ଉପରେ ଧ୍ୟାନ ଦେଲେ ପିଲାଙ୍କ କଥା କହିବା ଓ ଭାଷା ବୁଝିବା ଦକ୍ଷତା ବିକାଶରେ ସାହାଯ୍ୟ ମିଳିପାରେ।
ପିଲାଙ୍କୁ ମୋବାଇଲ୍ ଓ ଟିଭିଠାରୁ ଦୂରେଇ ରଖନ୍ତୁ
ଆଜିକାଲି ଛୋଟ ପିଲାଙ୍କୁ ଶାନ୍ତ କରିବା ପାଇଁ ଅନେକ ବାପାମାଆ ସେମାନଙ୍କ ହାତରେ ମୋବାଇଲ୍ ଧରାଇ ଦେଉଛନ୍ତି। ଖାଇବା ସମୟରେ ହେଉ କି କାନ୍ଦିବା ବେଳେ, ମୋବାଇଲ୍ ଦେଖାଇବା ଏବେ ଏକ ସାଧାରଣ ଅଭ୍ୟାସ ପାଲଟିଛି। କିନ୍ତୁ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ, ଛୋଟ ପିଲାଙ୍କ ପାଇଁ ମୋବାଇଲ୍ କିମ୍ବା ଟିଭି ଦେଖିବା ଅପେକ୍ଷା ଲୋକଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବା ଅଧିକ ଜରୁରୀ।
ପିଲାମାନେ ଅନ୍ୟମାନଙ୍କ ମୁହଁର ଭାବଭଙ୍ଗୀ, ଶବ୍ଦ ଓ ଇଙ୍ଗିତ ଦେଖି ଅନେକ କଥା ଶିଖିଥାନ୍ତି। ତେଣୁ ସେମାନଙ୍କୁ ମୋବାଇଲ୍ ଦେବା ପରିବର୍ତ୍ତେ ଖେଳନ୍ତୁ, କଥା ହୁଅନ୍ତୁ ଏବଂ ଆଖପାଖରେ ଥିବା ବିଭିନ୍ନ ଜିନିଷର ନାଁ କୁହନ୍ତୁ। ଏହାଦ୍ୱାରା ପିଲା ଧୀରେ ଧୀରେ ନୂଆ ଶବ୍ଦ ଶିଖିପାରିବ।
ଛୋଟ ଛୋଟ ବାକ୍ୟରେ ପିଲାଙ୍କ ସହ କଥା ହୁଅନ୍ତୁ
ଛୋଟ ପିଲାମାନେ ଏକାଥରକେ ଲମ୍ବା ବାକ୍ୟ ବୁଝିପାରନ୍ତି ନାହିଁ। ସେଥିପାଇଁ ସେମାନଙ୍କ ସହ ସହଜ ଭାଷାରେ ଓ ଛୋଟ ଛୋଟ ବାକ୍ୟରେ କଥା ହେବା ଉଚିତ। ଯେପରିକି ‘ବଲ୍ ଦିଅ’, ‘ପାଣି ପିଇବ’, ‘ମାଆ ଆସିଲେ’ କିମ୍ବା ‘ଚାଲ ବାହାରକୁ ଯିବା’। ଏଭଳି ସରଳ ବାକ୍ୟ ବାରମ୍ବାର ଶୁଣିବା ଫଳରେ ପିଲା ଶବ୍ଦଗୁଡ଼ିକର ଅର୍ଥ ବୁଝିବା ଆରମ୍ଭ କରିଥାଏ।
ପିଲା କୌଣସି ଶବ୍ଦ ଉଚ୍ଚାରଣ କଲେ କିମ୍ବା ଇଙ୍ଗିତ କରି କିଛି ମାଗିଲେ ତାହାର ଉତ୍ତର ଦେବା ଜରୁରୀ। ଉଦାହରଣ ସ୍ୱରୂପ, ପିଲା ପାଣି ଆଡ଼କୁ ହାତ ଦେଖାଇଲେ ତାକୁ ‘ତୁମକୁ ପାଣି ଦରକାର କି?’ ବୋଲି ପଚାରନ୍ତୁ। ଏହାଦ୍ୱାରା ପିଲା ପାଣି ଶବ୍ଦର ଅର୍ଥ ବୁଝିବ ଏବଂ ପରବର୍ତ୍ତୀ ସମୟରେ ନିଜେ କହିବାକୁ ଚେଷ୍ଟା କରିପାରେ।
ପ୍ରତିଦିନ ପିଲାଙ୍କୁ ଗପ ଶୁଣାନ୍ତୁ
ପିଲାଙ୍କ ଭାଷା ବିକାଶରେ ଗପ ଶୁଣାଇବା ଏକ ଭଲ ଅଭ୍ୟାସ। ନିୟମିତ ଗପ ଶୁଣିବା ଦ୍ୱାରା ପିଲା ନୂଆ ନୂଆ ଶବ୍ଦ ଶୁଣିବା ସହ ସେଗୁଡ଼ିକର ଅର୍ଥ ବୁଝିବାକୁ ଚେଷ୍ଟା କରିଥାଏ। ବାପାମାଆ ପ୍ରତିଦିନ କିଛି ସମୟ ବାହାର କରି ପିଲାଙ୍କୁ ଛୋଟ ଛୋଟ ଗପ ଶୁଣାଇପାରିବେ। ରଙ୍ଗିନ ଚିତ୍ର ଥିବା ବହି ଦେଖାଇ ପଶୁପକ୍ଷୀ, ଫୁଲ, ଫଳ ଓ ବିଭିନ୍ନ ଜିନିଷ ସମ୍ପର୍କରେ କହିପାରିବେ।
ଗପ କହିବା ସମୟରେ ପିଲାକୁ ସରଳ ପ୍ରଶ୍ନ ପଚାରିବା ଏବଂ ତା'ର ଉତ୍ତରକୁ ଧୈର୍ଯ୍ୟର ସହ ଶୁଣିବା ମଧ୍ୟ ଉପକାରୀ। ଏହା ପିଲାଙ୍କ ଶୁଣିବା, ବୁଝିବା ଓ ନିଜର ଭାବନା ପ୍ରକାଶ କରିବା ଦକ୍ଷତା ବଢ଼ାଇବାରେ ସାହାଯ୍ୟ କରିପାରେ।
ପିଲାଙ୍କ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ
ପିଲାଙ୍କ ସାମଗ୍ରିକ ବିକାଶ ପାଇଁ ଉପଯୁକ୍ତ ଖାଦ୍ୟ ମଧ୍ୟ ଆବଶ୍ୟକ। ବୟସ ଓ ଚୋବାଇବାର କ୍ଷମତା ଅନୁସାରେ ପିଲାଙ୍କୁ ଧୀରେ ଧୀରେ ବିଭିନ୍ନ ବନାବଟର ଖାଦ୍ୟ ଦେବା ଉଚିତ। ଶିଶୁରୋଗ ବିଶେଷଜ୍ଞଙ୍କ ମତରେ, ଚୋବାଇବା ଦ୍ୱାରା ପାଟି ଓ ମାଢ଼ିର ମାଂସପେଶୀ କାର୍ଯ୍ୟ କରିବାର ସୁଯୋଗ ପାଇଥାଏ। ତେବେ କେବଳ ଚୋବାଇବା ଯୋଗୁଁ ପିଲା ଶୀଘ୍ର କଥା କହିବା ଶିଖିବ ବୋଲି ପ୍ରମାଣିତ ହୋଇନାହିଁ।
ସେଥିପାଇଁ କଥା କହିବା ଶିଖାଇବା ଉଦ୍ଦେଶ୍ୟରେ ପିଲାଙ୍କୁ ଜବରଦସ୍ତି ଟାଣ ଖାଦ୍ୟ ଦିଅନ୍ତୁ ନାହିଁ। ଶିଶୁର ବୟସ ଓ ବିକାଶ ଅନୁସାରେ ସୁରକ୍ଷିତ ଖାଦ୍ୟ ଦେବା ଆବଶ୍ୟକ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।