Relationship Tips: ଆପଣଙ୍କ କ୍ରଶ୍ ବି ଆପଣଙ୍କୁ ଭଲ ପାଉଛନ୍ତି କି? ଏହି ୫ଟି ସଙ୍କେତରୁ ଜାଣନ୍ତୁ ମନର କଥା

Oct 15, 2026 - 16:28
Relationship Tips: ଆପଣଙ୍କ କ୍ରଶ୍ ବି ଆପଣଙ୍କୁ ଭଲ ପାଉଛନ୍ତି କି? ଏହି ୫ଟି ସଙ୍କେତରୁ ଜାଣନ୍ତୁ ମନର କଥା

ଆପଣ କାହାକୁ ମନେ ମନେ ଭଲ ପାଉଛନ୍ତି କି? ତାଙ୍କର ଗୋଟିଏ ମେସେଜ୍‌କୁ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି କି? ହେଲେ ମନର କଥା କହିବାକୁ ସାହସ ହେଉନି? ଏମିତି ବି ହୋଇପାରେ ଯେ ଆପଣ ଯାହାଙ୍କୁ ପସନ୍ଦ କରୁଛନ୍ତି, ସେ ମଧ୍ୟ ଆପଣଙ୍କୁ ମନେ ମନେ ଭଲ ପାଉଥିବେ। କିଛି ନ କହିଲେ ବି ତାଙ୍କ ବ୍ୟବହାରରୁ ମିଳିପାରେ ପ୍ରେମର ସଙ୍କେତ। ଆସନ୍ତୁ ଜାଣିବା ଏହି ୫ଟି ସଙ୍କେତ ବିଷୟରେ।

ଜୀବନରେ କେବେ ନା କେବେ କାହାକୁ ନେଇ ମନରେ ସ୍ୱତନ୍ତ୍ର ଅନୁଭବ ଆସିଥାଏ। ତାଙ୍କ ହସ, କଥାବାର୍ତ୍ତା, ଚାଲିଚଳନ ସବୁକିଛି ଭଲ ଲାଗିବାକୁ ଲାଗେ। ତାଙ୍କ ସହ ଟିକିଏ କଥା ହୋଇଗଲେ ପୂରା ଦିନ ଖୁସିରେ କଟିଯାଏ। ଆଉ ତାଙ୍କର ଗୋଟିଏ ମେସେଜ୍ ପାଇଁ ବାରମ୍ବାର ଫୋନ୍ ଚେକ୍ କରିବାକୁ ଇଚ୍ଛା ହୁଏ।

କାହା ଉପରେ କ୍ରଶ୍ ଆସିବା ମାନେ ବିନା କୌଣସି ତାଲିମରେ ଜଣେ ଗୁଇନ୍ଦା ପାଲଟିଯିବା ଭଳି। ସେ କ'ଣ କରୁଛନ୍ତି, କାହା ସହ କଥା ହେଉଛନ୍ତି, ଆପଣଙ୍କ ମେସେଜ୍‌ର ଉତ୍ତର କେତେବେଳେ ଦେଉଛନ୍ତି, ଏସବୁ ଉପରେ ନଜର ରହିଥାଏ। କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଆପଣ ଯାହାଙ୍କୁ ଏତେ ପସନ୍ଦ କରୁଛନ୍ତି, ସେ ମଧ୍ୟ କ'ଣ ଆପଣଙ୍କୁ ସେମିତି ଭଲ ପାଉଛନ୍ତି?

ଅନେକ ସମୟରେ ଦୁଇଜଣ ପରସ୍ପରକୁ ପସନ୍ଦ କରୁଥିଲେ ମଧ୍ୟ ମନର କଥା ଖୋଲି କହିପାରନ୍ତି ନାହିଁ। ତେବେ କାହା ପ୍ରତି ଆକର୍ଷଣ ଥିଲେ ତାହା ତାଙ୍କର କେତେକ ବ୍ୟବହାରରୁ ଜଣାପଡ଼ିପାରେ। ଯଦି ଆପଣ ମଧ୍ୟ ନିଜ କ୍ରଶ୍‌ଙ୍କ ମନର କଥା ଜାଣିବାକୁ ଚାହୁଁଛନ୍ତି, ତେବେ ଏହି ୫ଟି ସଙ୍କେତ ଉପରେ ଧ୍ୟାନ ଦିଅନ୍ତୁ।

ବାରମ୍ବାର କଥା ହେବାକୁ ବାହାନା ଖୋଜୁଛନ୍ତି କି?

ସାଧାରଣତଃ କାହାର ପ୍ରଶ୍ନର ଉତ୍ତର କେବଳ ‘ହଁ’ କିମ୍ବା ‘ନା’ରେ ଦେଇ କଥାବାର୍ତ୍ତା ଶେଷ କରାଯାଇପାରେ। କିନ୍ତୁ ଯଦି କେହି ଆପଣଙ୍କ ସହ କଥା ହେବାକୁ ପସନ୍ଦ କରନ୍ତି, ତେବେ ସେ ଆଲୋଚନାକୁ ଆଗକୁ ବଢ଼ାଇବା ପାଇଁ କିଛି ନା କିଛି ବାହାନା ଖୋଜିଥାନ୍ତି।

କେତେବେଳେ ଛୋଟ ଛୋଟ ପ୍ରଶ୍ନ ପଚାରିବେ ତ ଆଉ କେତେବେଳେ ଅତି ସାଧାରଣ କଥାକୁ ନେଇ ଆଲୋଚନା ଆରମ୍ଭ କରିବେ। ଆପଣଙ୍କ ସହ କଥାବାର୍ତ୍ତା ଯେପରି ଶେଷ ନ ହେଉ, ସେଥିପାଇଁ ଚେଷ୍ଟା କରିବେ।

ଯଦି ଏଭଳି ବାରମ୍ବାର ହେଉଛି ଏବଂ ସେ ନିଜ ଆଡ଼ୁ କଥା ହେବାକୁ ଆଗ୍ରହ ଦେଖାଉଛନ୍ତି, ତେବେ ଏହା ଆପଣଙ୍କ ପ୍ରତି ତାଙ୍କର ଆଗ୍ରହ ଥିବାର ଏକ ସଙ୍କେତ ହୋଇପାରେ।

ଆପଣଙ୍କ ପାଖରେ ଥିବା ବେଳେ ବଦଳିଯାଉଛି କି ବ୍ୟବହାର?

ଯେତେବେଳେ ଆପଣ ଓ ଆପଣଙ୍କ କ୍ରଶ୍ ଏକାଠି ରହୁଛନ୍ତି, ସେତେବେଳେ ତାଙ୍କ ବ୍ୟବହାରକୁ ଲକ୍ଷ୍ୟ କରନ୍ତୁ। ସେ କ'ଣ ଆପଣଙ୍କ କଥାକୁ ଅଧିକ ଧ୍ୟାନ ଦେଇ ଶୁଣୁଛନ୍ତି? ଆପଣଙ୍କ ହସ ଓ ପ୍ରତିକ୍ରିୟାକୁ ଗୁରୁତ୍ୱ ଦେଉଛନ୍ତି କି?

ଅନେକ ସମୟରେ ଯାହାକୁ ଆମେ ପସନ୍ଦ କରୁ, ତାଙ୍କ ସାମ୍ନାରେ ଆମର ବ୍ୟବହାର ଆପେ ଆପେ ବଦଳିଯାଏ। କେହି ଅଧିକ ହସନ୍ତି, କେହି ଲାଜ କରନ୍ତି ତ ଆଉ କେହି ସାଧାରଣ ଅପେକ୍ଷା ଅଧିକ ଯତ୍ନଶୀଳ ହୋଇପଡ଼ନ୍ତି।

ତେବେ ଥରେ କିମ୍ବା ଦୁଇଥର ଏଭଳି ବ୍ୟବହାର ଦେଖି ନିଷ୍କର୍ଷରେ ପହଞ୍ଚନ୍ତୁ ନାହିଁ। ଯଦି ଲଗାତାର ଏଭଳି ଆଗ୍ରହ ଦେଖିବାକୁ ମିଳୁଛି, ତେବେ ସେ ଆପଣଙ୍କୁ କେବଳ ସାଙ୍ଗଠାରୁ ଅଧିକ କିଛି ଭାବୁଥାଇପାରନ୍ତି।

ବ୍ୟସ୍ତତା ଭିତରେ ବି ଆପଣଙ୍କ ପାଇଁ ସମୟ ବାହାର କରୁଛନ୍ତି କି?

କାହାକୁ ଭଲ ପାଇବାର ଅର୍ଥ ସବୁବେଳେ ବଡ଼ ବଡ଼ ଉପହାର ଦେବା କିମ୍ବା ମନର କଥା କହିବା ନୁହେଁ। ଅନେକ ସମୟରେ ଛୋଟ ଛୋଟ କାମରେ ମଧ୍ୟ ଜଣଙ୍କର ଭଲ ପାଇବା ପ୍ରକାଶ ପାଇଥାଏ।

ଯଦି କେହି ନିଜର ବ୍ୟସ୍ତ ଜୀବନ ଭିତରେ ଆପଣଙ୍କ ପାଇଁ ସମୟ ବାହାର କରୁଛନ୍ତି, ଆପଣଙ୍କୁ ଭେଟିବାକୁ ବାହାନା ଖୋଜୁଛନ୍ତି କିମ୍ବା ଆପଣଙ୍କ ସହ କିଛି ସମୟ ବିତାଇବାକୁ ଚାହୁଁଛନ୍ତି, ତେବେ ଏହା ମଧ୍ୟ ଏକ ସକାରାତ୍ମକ ସଙ୍କେତ ହୋଇପାରେ।

ବିଶେଷକରି କୌଣସି କାରଣ ନଥାଇ ମଧ୍ୟ ଆପଣଙ୍କ ଖବର ନେବା, ଦିନ କେମିତି କଟିଲା ପଚାରିବା ଏବଂ ଆପଣଙ୍କ ସହ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରିବା ତାଙ୍କ ମନରେ ଆପଣଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ଥିବାର ସଙ୍କେତ ଦେଇପାରେ।

ଆପଣଙ୍କ ଛୋଟ ଛୋଟ କଥା ମଧ୍ୟ ମନେ ରଖୁଛନ୍ତି କି?

ଆପଣଙ୍କ ପସନ୍ଦର ଖାଦ୍ୟ କ'ଣ? କେଉଁ ରଙ୍ଗ ଆପଣଙ୍କୁ ଭଲ ଲାଗେ? ଆପଣଙ୍କ ଜନ୍ମଦିନ କେବେ? ଏସବୁ କଥା ଯଦି ଆପଣଙ୍କ କ୍ରଶ୍ ମନେ ରଖୁଛନ୍ତି, ତେବେ ଏହା ମଧ୍ୟ ତାଙ୍କର ଆଗ୍ରହକୁ ଦର୍ଶାଇପାରେ।

ଅନେକ ସମୟରେ ଆମେ କଥାବାର୍ତ୍ତା ବେଳେ ଏମିତି କିଛି କହିଦେଉ, ଯାହାକୁ ନିଜେ ମଧ୍ୟ ପରେ ଭୁଲିଯାଉ। କିନ୍ତୁ ଯିଏ ଆମ ପ୍ରତି ବିଶେଷ ଆଗ୍ରହ ରଖିଥାଏ, ସେ ଏଭଳି ଛୋଟ ଛୋଟ କଥାକୁ ମଧ୍ୟ ମନେ ରଖିପାରେ।

ଯଦି ସେ ଆପଣଙ୍କ ପସନ୍ଦ-ନାପସନ୍ଦ ଜାଣିବାକୁ ଚାହୁଁଛନ୍ତି, ଆପଣଙ୍କର ସ୍ୱତନ୍ତ୍ର ଦିନଗୁଡ଼ିକୁ ମନେ ରଖୁଛନ୍ତି ଏବଂ ଆପଣ କହିଥିବା କଥାକୁ ଗୁରୁତ୍ୱ ଦେଉଛନ୍ତି, ତେବେ ଏହା ଏକ ଭଲ ସଙ୍କେତ ହୋଇପାରେ।

ଆପଣଙ୍କ ସାମ୍ନାରେ ନର୍ଭସ ହେଉଛନ୍ତି କି?

ପସନ୍ଦର ମଣିଷ ସାମ୍ନାକୁ ଆସିଲେ ଅନେକଙ୍କ ହୃଦ୍‌ସ୍ପନ୍ଦନ ବଢ଼ିଯାଏ। କଥା କହିବା ବେଳେ ଲାଜ ଲାଗେ, ମୁହଁରେ ହସ ଆସିଯାଏ କିମ୍ବା ମନର କଥା ଠିକ୍ ଭାବରେ କହିହୁଏ ନାହିଁ। ଯଦି ଆପଣଙ୍କ କ୍ରଶ୍ ଆପଣଙ୍କ ସାମ୍ନାରେ ଟିକେ ନର୍ଭସ ହୋଇଯାଉଛନ୍ତି, ତାଙ୍କ କଥାବାର୍ତ୍ତାର ଶୈଳୀ ବଦଳିଯାଉଛି କିମ୍ବା ସେ ଆପଣଙ୍କ ସହ କଥା ହେବାବେଳେ ଲାଜ କରୁଛନ୍ତି, ତେବେ ଏହା ଆକର୍ଷଣର ସଙ୍କେତ ହୋଇପାରେ।

କେବଳ ସେତିକି ନୁହେଁ, ଯଦି ସେ ଆପଣଙ୍କ ଭବିଷ୍ୟତ ଯୋଜନା, ସ୍ୱପ୍ନ, ପରିବାର ଓ ଜୀବନର ଲକ୍ଷ୍ୟ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି, ତେବେ ସେ ଆପଣଙ୍କୁ ଅଧିକ ଭଲ ଭାବରେ ବୁଝିବାକୁ ଆଗ୍ରହୀ ଥାଇପାରନ୍ତି।

ଏହି ସଙ୍କେତ ଦେଖିଲେ କ'ଣ କରିବେ?

ଏସବୁ ସଙ୍କେତ ଜଣଙ୍କ ମନରେ ଆପଣଙ୍କ ପ୍ରତି ଆକର୍ଷଣ ଥିବାର ସମ୍ଭାବନା ଦର୍ଶାଇପାରେ। ତେବେ ଏଗୁଡ଼ିକ ପ୍ରେମର ନିଶ୍ଚିତ ପ୍ରମାଣ ନୁହେଁ। ଜଣେ ଭଲ ବନ୍ଧୁ ମଧ୍ୟ ଆପଣଙ୍କ କଥା ଧ୍ୟାନ ଦେଇ ଶୁଣିପାରନ୍ତି, ସମୟ ଦେଇପାରନ୍ତି ଓ ଆପଣଙ୍କ ପସନ୍ଦ-ନାପସନ୍ଦ ମନେ ରଖିପାରନ୍ତି।

ସେଥିପାଇଁ କେବଳ ବ୍ୟବହାର ଦେଖି ଜଣଙ୍କ ମନର କଥା ଜାଣିଗଲେ ବୋଲି ଭାବନ୍ତୁ ନାହିଁ। ଯଦି ଆପଣ କାହାକୁ ଭଲ ପାଉଛନ୍ତି, ତେବେ ଉପଯୁକ୍ତ ସମୟରେ ତାଙ୍କ ସହ ଖୋଲାଖୋଲି କଥା ହୁଅନ୍ତୁ। ନିଜ ଅନୁଭବ ପ୍ରକାଶ କରିବା ସହ ସାମ୍ନା ଲୋକଙ୍କ ଭାବନା ଓ ନିଷ୍ପତ୍ତିକୁ ମଧ୍ୟ ସମ୍ମାନ ଦିଅନ୍ତୁ। କାରଣ ଏକ ସୁନ୍ଦର ସମ୍ପର୍କର ମୂଳଦୁଆ ହେଉଛି ପରସ୍ପର ପ୍ରତି ଭରସା, ସମ୍ମାନ ଓ ସ୍ପଷ୍ଟ କଥାବାର୍ତ୍ତା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।