Child Trafficking Scare Grows in Odisha: ଶିଶୁ ଚାଲାଣ ପଛରେ କିଏ? ରାକେଟ୍ ନେଇ ଖୋଲୁଛି ଭୟଙ୍କର ରହସ୍ୟ
ସକ୍ରିୟ ଶିଶୁ ଚାଲାଣକାରୀ। ପ୍ରତିଦିନ କେଉଁଠୁ ନା କେଉଁଠୁ ଆସୁଛି ଶିଶୁ ଚୋରିର ଖବର। ଏଭଳି ନିଖୋଜ ଶିଶମାନଙ୍କୁ ଉଦ୍ଧାର କରିବା ପାଇଁ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି ସ୍ପେଶାଲ୍ ଅପରେସନ୍। ଯେଉଁଥିରେ ଗତ ଅଗଷ୍ଟ ୨୮ରୁ ସେପଟମ୍ବର ୮ ମଧ୍ୟରେ ୧୭ ରାଜ୍ୟରୁ ଉଦ୍ଧାର ହୋଇଛନ୍ତି ୧୦୧ ନିଖୋଜ ଶିଶୁ। ସେମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ସର୍ବାଧିକ ୩୦ ଜଣ, କର୍ଣ୍ଣାଟକରୁ ୧୧, ଝାଡ଼ଖଣ୍ଡ ଓ ତାମିଲନାଡୁରୁ ୧୦ ଜଣ ଲେଖାଏଁ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ତଥ୍ୟ କହୁଛି ବିଗତ ୫ ବର୍ଷରେ କେବଳ ଓଡ଼ିଶାରେ ୨୪ ହଜାର ଶିଶୁ ନିଖୋଜ ମାମଲା ରୁଜୁ ହୋଇଛି।
ବାଲେଶ୍ବର ଜିଲ୍ଲା ନୀଳଗିରି ବଜାରରେ ଜଣେ ଅଣଓଡ଼ିଆ ମହିଳା, କୋଳରେ କୋମଳମତି ଶିଶୁ। ରାସ୍ତାରେ ଯାଉଥିବା ଲୋକଙ୍କୁ ଶିଶୁଟିକୁ ବିକ୍ରି କରିବା କଥା କହୁଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଖବର ପାଇବା ପରେ ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ଲୋକଙ୍କ ସନ୍ଦେହ କୋମଳମତି ଶିଶୁଟିକୁ ମହିଳା ଜଣକ କେଉଁଠାରୁ ଚୋରି କରି ଆଣିଛନ୍ତି। ଗତ ଅଗଷ୍ଟ 29ରେ କଟକ ରେଳ ଷ୍ଟେସନରୁ ଏକ 7 ବର୍ଷର ନାବାଳିକା ହୋଇଥିଲା ଚୋରି। ଦୁଇ ଦିନ ପରେ ବାଲିକୁଦା ରେଳ ଷ୍ଟେସନରୁ ପୋଲିସ୍ ଶିଶୁଟିକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ପରେ ଜଣାପଡ଼ିଥିଲା ଶିଶୁ କନ୍ୟାଟିକୁ ଭିକ ମାଗିବା କାମରେ ଲଗାଇବାକୁ ହୋଇଥିଲା ଯୋଜନା। ଖାଲି ଏ ଦୁଇ ଘଟଣା ନୁହଁ, ପ୍ରତିଦିନ ଏଭଳି ଶିଶୁ ଚୋରି ଓ ନିଖୋଜ ଭଳି ଘଟଣା ସାମ୍ନାକୁ ଆସୁଛି। ଏମିତି କିଛି ଘଟଣା ଅଛି ଯେଉଁଠି ବର୍ଷ ବର୍ଷ ବିତିଯିବା ପରେ ବି ନିଖୋଜ ପିଲାମାନେ ମିଳୁନାହାନ୍ତି। ଏଇ ଯେମିତି ଯାଜପୁରର ପିହୁ ନିଖୋଜ ମାମଲା ଏବେ ବି ରହ୍ୟସ୍ୟାବୃତ। ଶିଶୁ ଅପହରଣ ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ଜଣାପଡିଛି ।
ଏଭଳି ନିଖୋଜ ଶିଶୁମାନଙ୍କୁ ଖୋଜି ବାହାର କରିବା ପାଇଁ କ୍ରାଇମବ୍ରାଞ୍ଚର କ୍ରାଇମ୍ ଏଗନେଷ୍ଟ ୱିମେନ୍ ଆଣ୍ଡ ଚିଲଡ୍ରେନ୍ ୱିଙ୍ଗ ଆରମ୍ଭ କରିଛି ଅପରେସନ ଅନ୍ବେଷଣ। ଗତ ସପ୍ତାହେ ବ୍ୟାପି 17ଟି ରାଜ୍ୟରେ 17ଟି ଟିମ୍ ମାରାଥନ୍ ରେଡ୍ କରି ଓଡ଼ିଶାରୁ ନିଖୋଜ ହୋଇଯାଇଥିବା 101 ଶିଶୁକୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୫୪ ନାବାଳକ ଓ ୪୭ ନାବାଳିକା। ସବୁଠୁ ଅଧିକ, 30 ଜଣ ଶିଶୁଙ୍କୁ କୋଲକାତାରୁ ଉଦ୍ଧାର କରାଯାଇଛି। ସବୁଠୁ ଚିନ୍ତାଜନକ କଥା ହେଉଛି ଏକ 3 ମାର ଓ ଏକ ବର୍ଷକର ଶିଶୁକୁ ମଧ୍ୟ ଏହି ଅପରେସନରେ ଉଦ୍ଧାର କରିଛି ପୋଲିସ। ସମସ୍ତ ଉଦ୍ଧାର ଶିଶୁଙ୍କୁ ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁସନରେ ରଖାଯାଇଛି। ସିଡବ୍ଲୁସିର ଅନୁମତି ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
ତଥ୍ୟ କହୁଛି ସାରା ଓଡ଼ିଶାରୁ ବିଗତ ୫ ବର୍ଷରେ ୨୪ ହଜାର ଶିଶୁ ନିଖୋଜ ମାମଲା ରୁଜୁ ହୋଇଛି। ସେପଟେ ୨୦୨୩ରୁ ଚଳିତ ବର୍ଷ ଅଗଷ୍ଟ ମାସ ମଧ୍ୟରେ କେବଳ ଖୋର୍ଦ୍ଧା ଜିଲ୍ଲାରୁ ଉଦ୍ଧାର ହେଲେଣି ୩୨୪ ଜଣ ନିଖୋଜ ଶିଶୁ। ଅଧିକାଂଶ କ୍ଷେତ୍ରରେ ନାବାଳିକାମାନଙ୍କୁ ପର୍ଣ୍ଣୋଗ୍ରାଫି, ଦେହ ବେପାର ଭଳି କାମରେ ଲଗାଯାଉଛି। ସେହିଭଳି ବିଭିନ୍ନ ଛକ ଛକରେ ଭିକ୍ଷାବୃତ୍ତି କରୁଥିବା ଶିଶୁମାନଙ୍କ ପଛରେ ମଧ୍ୟ ଏକ ସଂଗଠିତ ରାକେଟ କାମ କରୁଥିବା ଜଣାପଡିଛି। କେତେକ କ୍ଷେତ୍ରରେ ଅଙ୍ଗ ତସ୍କରୀ ପାଇଁ ମଧ୍ୟ ଶିଶୁମାନଙ୍କୁ ଅପହରଣ କରାଯାଉଥିବା ତଥ୍ୟ ସାମ୍ନାକୁ ଆସିଛି।
ଶିଶୁ ଚାଲାଣ ରୋକିବା ପାଇଁ ହେଲେ ପୋଲିସ ଓ ପ୍ରଶାସନ ମଧ୍ୟରେ ସମନ୍ୱୟ ରକ୍ଷା, ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ଡିଜିଟାଲ୍ ଟ୍ରାକିଂ ଓ ଡାଟା ଆନାଲିସିସ ଜରୁରୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।