China’s Stock Market Crashes 20%: ଚୀନ୍‌ ସେୟାର ବଜାରରେ ଭୂକମ୍ପ! ୨୦% ଖସିଲା ବଜାର, ବଢ଼ିଲା ଚିନ୍ତା

Oct 22, 2026 - 14:44
China’s Stock Market Crashes 20%: ଚୀନ୍‌ ସେୟାର ବଜାରରେ ଭୂକମ୍ପ! ୨୦% ଖସିଲା ବଜାର, ବଢ଼ିଲା ଚିନ୍ତା

ଚୀନ୍‌ର ଅର୍ଥନୀତିକୁ ବଡ଼ ଝଟକା! ଏଆଇର ଚମକ ମଧ୍ୟ ରୋକିପାରିଲାନି ସେୟାର ବଜାରର ପତନ। ଜୁନ୍‌ ମାସର ସର୍ବୋଚ୍ଚ ସ୍ତରଠାରୁ ଚୀନ୍‌ର ପ୍ରମୁଖ ସେୟାର ସୂଚକାଙ୍କ CSI 300 ପ୍ରାୟ ୨୦ ପ୍ରତିଶତ ଖସିଛି। ହଂକଂ ବଜାରରେ ମଧ୍ୟ ଦେଖାଦେଇଛି ବଡ଼ ହ୍ରାସ।

ତେବେ କାହିଁକି ଦୁର୍ବଳ ହେଉଛି ଚୀନ୍‌ର ସେୟାର ବଜାର? ରହିଛି ୩ଟି ବଡ଼ କାରଣ।

ପ୍ରଥମ କାରଣ ହେଉଛି AI ଓ ଟେକ୍ନୋଲୋଜି ସେୟାରକୁ ନେଇ ନିବେଶକଙ୍କ ଉତ୍ସାହ ହ୍ରାସ। କମ୍ପାନୀଗୁଡ଼ିକର ମୂଲ୍ୟ ବଢ଼ିଥିଲେ ମଧ୍ୟ, ସେହି ଅନୁପାତରେ ଲାଭ ବଢ଼ିବ କି ନାହିଁ, ତାକୁ ନେଇ ଉଠିଛି ପ୍ରଶ୍ନ। ବିଶ୍ୱ ବଜାରରେ AI ସମ୍ପର୍କିତ ସେୟାରରେ ହ୍ରାସ ମଧ୍ୟ ଚୀନ୍‌ର ବଜାର ଉପରେ ଚାପ ପକାଇଛି।

ଦ୍ୱିତୀୟ କାରଣ ହେଉଛି ଦେଶ ଭିତରେ ଗ୍ରାହକଙ୍କ ଖର୍ଚ୍ଚରେ ଦୁର୍ବଳତା। ଲୋକେ ଆଶା ଅନୁସାରେ ଖର୍ଚ୍ଚ କରୁନଥିବାରୁ ଖୁଚୁରା ବ୍ୟବସାୟ ଓ ଅନ୍ୟ ଉପଭୋକ୍ତାମୁଖୀ କମ୍ପାନୀଗୁଡ଼ିକର ଅଭିବୃଦ୍ଧିକୁ ନେଇ ଚିନ୍ତା ବଢ଼ିଛି। ଅର୍ଥନୈତିକ ଅଭିବୃଦ୍ଧି ଆଶାଠାରୁ ଭଲ ରହିଥିଲେ ମଧ୍ୟ, ସାଧାରଣ ଲୋକଙ୍କ ଖର୍ଚ୍ଚ ବଢ଼ୁନଥିବାରୁ ନିବେଶକଙ୍କ ଭରସା ଫେରିପାରୁନାହିଁ।

ତୃତୀୟ କାରଣ ହେଉଛି ସରକାରଙ୍କଠାରୁ ବଡ଼ ଆର୍ଥିକ ସହାୟତା ମିଳିବା ଆଶା ଦୁର୍ବଳ ହେବା। ଚୀନ୍ ସରକାର ବଜାରକୁ ସ୍ଥିର କରିବା ପାଇଁ ପଦକ୍ଷେପ ନେଉଥିଲେ ମଧ୍ୟ, ତାହା ଦୀର୍ଘକାଳୀନ ସୁଧାର ଆଣିପାରିବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ଏହା ସହ ବ୍ୟାଟେରୀ ନିର୍ମାତା CATLର ତ୍ରୈମାସିକ ଲାଭ ବୃଦ୍ଧି ଆଶାଠାରୁ ଧୀର ରହିବା ପରେ, ବୁଧବାର କମ୍ପାନୀର ସେୟାର ୧୨ ପ୍ରତିଶତ ଖସିଥିଲା।

ତେବେ ବଜାରର ଏହି ହ୍ରାସ କ’ଣ ନିବେଶ ପାଇଁ ସୁଯୋଗ? ବିଶେଷଜ୍ଞଙ୍କ ମତରେ, ସେୟାର ମୂଲ୍ୟ କମିଗଲେ ତାହା ଆପେଆପେ ଭଲ ନିବେଶର ସୁଯୋଗ ହୋଇଯାଏ ନାହିଁ। କମ୍ପାନୀର ଲାଭ, ଗ୍ରାହକଙ୍କ ଚାହିଦା ଓ ଅର୍ଥନୀତିର ପ୍ରକୃତ ସ୍ଥିତିକୁ ଦେଖି ନିଷ୍ପତ୍ତି ନେବା ଜରୁରୀ।

ଏବେ ସମସ୍ତଙ୍କ ନଜର ଚୀନ୍ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ। ଡ୍ରାଗନ୍‌ର ସେୟାର ବଜାର ପୁଣି ଗର୍ଜିବ, ନା ଅନିଶ୍ଚିତତାର ଅନ୍ଧକାର ଆହୁରି ଘନେଇବ? 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।