22 SEPTEMBER 2026

Welcome!

Unlock your personalized experience.
Sign Up

Chinmaya Chetana: ଚିନ୍ମୟ ଚେତନା: ମନ୍ଦିରରେ ମୂଷା

Sep 22, 2026 - 05:27
Chinmaya Chetana: ଚିନ୍ମୟ ଚେତନା: ମନ୍ଦିରରେ ମୂଷା

ଚିନ୍ମୟ ହୋତା 

ଓଡ଼ିଆ ସଂସ୍କୃତି ଓ ଭକ୍ତି ଜଗତର ନାଭିକେନ୍ଦ୍ର ପୁରୀ ଶ୍ରୀମନ୍ଦିରକୁ ସବୁବେଳେ ଘେରି ରହିଥାନ୍ତି କିଛି ନା କିଛି ରୋଚକ ଓ ବିବଦମାନ ସମ୍ବାଦ। କେତେବେଳେ ବ୍ରହ୍ମବିଭ୍ରାଟ ତ କେତେବେଳେ ମନ୍ଦିରରୁ ପଥର ଖସିବା, ପୁଣି କେତେବେଳେ ଚାରିଦ୍ୱାର ଖୋଲାଯିବା ନ ଯିବାକୁ ନେଇ ତର୍କ-ବିତର୍କ। ହେଲେ ଏବେ ଯେଉଁ ଚମକପ୍ରଦ ଖବରଟି ଏସବୁକୁ ପଛରେ ପକାଇ ଦେଇଛି, ତାହା ହେଲା ଶ୍ରୀମନ୍ଦିରରେ ମୂଷା ଓ ଅସରପାଙ୍କ ବଢ଼ିଚାଲିଥିବା ଉତ୍ପାତ। ଆପଣ କହିବେ ଅସରପାମାନେ ଦେଶର ଶାସନବ୍ୟବସ୍ଥା ଓ ରାଜନୀତିକୁ ହଲାପଟା କରି ସାରିଥିବାବେଳେ କିଛି ମୂଷା ଓ ଅସରପା ରତ୍ନବେଦି ଚାରିପାଖରେ ଘୂରି ବୁଲିବାଟା କୋଉ ବଡ଼ କଥା? 
କଥାଟିର ଗୁରୁତ୍ୱ ଏଇଥି ପାଇଁ ଯେ ଏହି ଦ୍ବନ୍ଦ୍ୱ ଯୁଦ୍ଧରେ ପ୍ରତିପକ୍ଷଙ୍କ ଶକ୍ତି ଅସମ: କାହିଁ ସକଳ ଶକ୍ତିର ଉତ୍ସ, ସମସ୍ତ ସମସ୍ୟାର ସମାଧାନ ପ୍ରଭୁ ଜଗନ୍ନାଥ, ଆଉ କାହିଁ ଛାର ମୂଷା ଓ ଅସରପା ଦଳ? ପୁଣି ବଡ଼ଠାକୁରଙ୍କ ପକ୍ଷରେ ଲଢ଼ିବାକୁ ତିଆର ଅଛନ୍ତି ସକଳ ପାର୍ଥିବ ଓ ଆର୍ଥିକ କ୍ଷମତାଧାରୀ ମନ୍ଦିର କର୍ତ୍ତୃପକ୍ଷ। ଚମକପ୍ରଦ କଥା ଏଇୟା ଯେ ଶକ୍ତିର ଏହି ଅସାମଞ୍ଜସ୍ୟ ସତ୍ତ୍ୱେ ଶ୍ରୀମନ୍ଦିରରେ ଏହି ନଗଣ୍ୟ ପ୍ରାଣୀଗୁଡ଼ିକର ଉପଦ୍ରବ କମିବାର କୌଣସି ଚିହ୍ନ ଦେଖାଯାଉ ନାହିଁ। ଏଣେ ଏ ଅଦ୍ଭୁତ ଲଢ଼େଇରେ ଅତି ନିଷ୍ଠାର ସହ ପାଳନ କରାଯାଉଥିବା ଏକ ଧାର୍ମିକ ନିଷେଧାଜ୍ଞା, କର୍ତ୍ତୃପକ୍ଷଙ୍କ କ୍ଷମତାକୁ ସୀମିତ କରି ପକାଉଛି। ତାହା ହେଲା, ଭଗବାନଙ୍କ ନିବାସ ଭିତରେ ଏହି ପ୍ରାଣୀଗୁଡ଼ିକୁ ହତ୍ୟା କରାଯାଇପାରିବ ନାହିଁ। ସକଳ ଜୀବଜଗତର ରକ୍ଷାକର୍ତ୍ତା ବଡ଼ଠାକୁର କେମିତି ସେମାନଙ୍କର ସଂହାରର କାରଣ ହେବେ? ସେଇ ଛୋଟ ପ୍ରାଣୀଗୁଡ଼ିକୁ କେବଳ ଜୀବନ୍ତ ଧରି ମନ୍ଦିରରୁ ବାହାର କରିଦିଆଯିବ। ଆଉ ତାହା ହିଁ ହେଲା ଅସାଧ୍ୟ। 
ବଡ଼ମନ୍ଦିରର ମୂଷାମାନେ ଦିଅଁଙ୍କର ପୋଷାକ, ଫୁଲ ନୈବେଦ୍ୟ, ଇତ୍ୟାଦି ସବୁକିଛି ନିର୍ବିଘ୍ନରେ କାଟି ଚାଲିଛନ୍ତି। କିନ୍ତୁ ମୂଷା ପ୍ରାଦୁର୍ଭାବ ଆଉ କେବଳ ଠାକୁରଙ୍କ ବସ୍ତ୍ରରେ ସୀମିତ ରହିନାହିଁ। ମୂଷାର ସାମନା ପଟର ଦାନ୍ତ ତ ସାରା ଜୀବନ ବୃଦ୍ଧି ପାଉଥାଏ। ସେଇ ବଢ଼ନ୍ତା ଦାନ୍ତକୁ ନିୟନ୍ତ୍ରଣରେ ରଖିବା ପାଇଁ ସେ କ୍ରମାଗତ ଶକ୍ତ ବସ୍ତୁକୁ କୁଟକୁଟା କରି କାଟି ଚାଲିଥାଏ। କାଠ, ପ୍ଲାଷ୍ଟିକ, ଏମିତିକି ଘରର କାନ୍ଥ ସବୁ ତା’ ପାଇଁ ଦାନ୍ତ ଘଷାର ଉପକରଣ। ଏଣେ, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ବିଗ୍ରହ କାଠରେ ତିଆରି। ଅତଏବ ଦେବତାର ପୋଷାକ ତଳେ ଥିବା କାଠ ଆଡ଼କୁ ଯଦି ମୂଷାର ଦାନ୍ତ ଆଗେଇ ଯାଏ, ସେଥିପାଇଁ ପ୍ରାଣୀଟିର ଧାର୍ମିକ ଉଦ୍ଦେଶ୍ୟ ଖୋଜିବା ଦରକାର ନାହିଁ। ତା’ ପାଇଁ ସେଇଟା ନିଚ୍ଛକ ଦନ୍ତ-ପରିଚର୍ଯ୍ୟା। 
ଏଇଠି ହିଁ ଧର୍ମୀୟ ବିଶ୍ୱାସ ଓ ମୂଷିକ ପ୍ରବୃତ୍ତି ଭିତରେ ଏକ ବିଚିତ୍ର ଯୋଗସୂତ୍ର ସୃଷ୍ଟି ହୁଏ। ହିନ୍ଦୁ ଧର୍ମରେ ମୂଷା ଏକ ଅବାଞ୍ଛିତ ପ୍ରାଣୀ ନୁହେଁ। ଗଣେଶଙ୍କ ବାହନ ସେଇ ମୂଷିକ। ହାତୀମୁଣ୍ଡ ଧାରଣ କରିଥିବା ଏହି ବିଶାଳକାୟ ଦେବତା ଚଢ଼ିଛନ୍ତି ଏମିତି ଏକ ପ୍ରାଣୀ ଉପରେ, ଯାହା ସାଧାରଣତଃ ଚାଉଳ ବସ୍ତା, ରୋଷେଇ ଘରର ଆଲମାରି ଓ କାନ୍ଥର ଗର୍ତ୍ତ ଦଖଲ କରିଥାଏ। ପୁଣି ଭାରତର କୋଉଠି କୋଉଠି ମୂଷାର ମର୍ଯ୍ୟାଦା ବହୁତ ବେଶୀ। ରାଜସ୍ଥାନର କରଣୀ ମାତା ମନ୍ଦିରରେ ହଜାର ହଜାର ମୂଷାଙ୍କୁ ଭକ୍ତମାନେ ଶ୍ରଦ୍ଧା ଓ ପୂଜା କରନ୍ତି। ସରକାରୀ ତଥ୍ୟ ଅନୁଯାୟୀ ସେଠାରେ ପଚିଶ ହଜାର ମୂଷିକ ଅବାଧରେ ବିଚରଣ କରନ୍ତି ଏବଂ ସେମାନଙ୍କୁ ପବିତ୍ର ବୋଲି ବିଚାର କରାଯାଏ, ଅର୍ଥାତ୍ ଗୋଟିଏ ମନ୍ଦିରରେ ମୂଷାକୁ ଧରିବା ପାଇଁ ଯନ୍ତା ବସିଲା ବେଳକୁ ଆଉ ଗୋଟେ ମନ୍ଦିରରେ ଜୀବଟି ପାଇଁ ରହିଛି ସମସ୍ତ ପ୍ରକାର ଆଦର ଅଭ୍ୟର୍ଥନା। କେଉଁଠି ସେମାନେ ବିରକ୍ତିକର ଧ୍ବଂସକାରୀ ପ୍ରାଣୀ ତ ଆଉ କେଉଁଠି ସେମାନେ ‘ପବିତ୍ର’। ଏହି ଦ୍ୱୈତ ପରିଚୟ ହୁଏତ ମୂଷା ଜାତିର ଆତ୍ମବିଶ୍ୱାସକୁ ଏତେ ମାତ୍ରାରେ ବଢ଼େଇ ଦେଇଛି ଯେ ସେ ସମସ୍ତ ପ୍ରକାର ବିପଦକୁ ସହଜରେ ମୁକାବିଲା କରି ତିଷ୍ଠି ରହିପାରିଛି। 
ଆଉ ଏଇଠି ଆସିଯାଏ ଆମର ଚିର ପରିଚିତ ନିରବ ପ୍ରାଣୀ ଅସରପା ପ୍ରସଙ୍ଗ। ବିଭିନ୍ନ ପ୍ରତିକୂଳତା ସହ ସଂଘର୍ଷ କରି ନିଜର ଅସ୍ତିତ୍ୱ ବଜାୟ ରଖିବାରେ ମୂଷା ଯେଉଁ ପାରଦର୍ଶିତା ଦେଖାଇ ଚାଲିଛି, ଅସରପା ପ୍ରକୃତରେ ତା’ଠୁ କିଛି ପାଦ ଆଗରେ। ପୃଥିବୀର ବହୁ ପ୍ରାଚୀନ ପ୍ରାଣୀ ସମୟର ସ୍ରୋତରେ ବିଲୁପ୍ତ ହୋଇଯାଇଛନ୍ତି, କିନ୍ତୁ ଅସରପା ପ୍ରଜାତିଟି ପୃଥିବୀ ପୃଷ୍ଠରେ ଆଦିମ କାଳରୁ ତିଷ୍ଠି ରହିବାର ଅସାଧାରଣ କ୍ଷମତା ଦେଖାଇ ଆସିଛି। ରୋଷେଇ ଘରେ, ନର୍ଦ୍ଦମାରେ ଓ ଫ୍ଲାଟର ଅନ୍ଧକାର କଣରେ ନିଜର ଅସ୍ତିତ୍ୱ ଘୋଷଣା କରି ଚାଲିଛି। ମଣିଷ ତାକୁ ଯେତେ ତଡ଼ିବାକୁ ଚେଷ୍ଟା କରୁ, ଯେତେ ସ୍ପ୍ରେ ଛାଡୁ, ପାଦ ତଳେ ଦଳି ପକାଉ, ଯେତେ ଗୁଡ଼ ମାଠିଆ ସଜାଇ ରଖୁ, ପ୍ରତିଥର ଅସରପା ଯେମିତି କହେ, ‘‘ଆପଣମାନେ ସଭ୍ୟତା ଗଢ଼ିଛନ୍ତି, ହେଲେ ଆମେ ତିଷ୍ଠି ରହିବାର ବିଦ୍ୟା ଶିଖିଛୁ।’’ ତେଣୁ ମଣିଷ ତା’ର ପ୍ରିୟ ଦେବତାର ବାସସ୍ଥାନକୁ ଏହି ଅସନା ପ୍ରଣୀଗୁଡ଼ିକର ଦୌରାତ୍ମ୍ୟରୁ ରକ୍ଷା କରିବାକୁ ଯେତେ ଚେଷ୍ଟା କରୁ, ସବୁ ବିଫଳ ହୋଇଚାଲିଛି। 
ଏହି ତୁଚ୍ଛ ପ୍ରଣୀଗୁଡ଼ିକର ପ୍ରତିକୂଳତା ସାଙ୍ଗରେ ଲଢ଼େଇ କରି ବଞ୍ଚି ରହିବାର ସାମର୍ଥ୍ୟ ଭିତରେ କୌଣସି ଧର୍ମୀୟ ରହସ୍ୟ ନାହିଁ। ମଣିଷ ଏ ଜନ୍ମରେ ଓ ପର ଜନ୍ମରେ ତା’ ନିଜର ସୁଖ ଶାନ୍ତି ପାଇଁ ଧର୍ମ କର୍ମ ଓ ପୂଜାପାଠରେ ବ୍ୟସ୍ତ ରହୁଥିବା ବେଳେ, ଏଇ ମୂଷା ଓ ଅସରପାମାନେ ଚିନ୍ତା କରନ୍ତି ତାଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଥିବା ପରବର୍ତ୍ତୀ ଯନ୍ତା, ଗୁଡ଼ ମାଠିଆ କିମ୍ବା ବିଷାକ୍ତ ସ୍ପ୍ରେକୁ କେମିତି ସେମାନେ ଏଡ଼େଇ ଯାଇ ପାରିବେ। ବଞ୍ଚି ରହିବା ଲାଗି ମଣିଷ ସାଙ୍ଗରେ ଏଇ ଚିରନ୍ତନ ଲୁଚକାଳି ଖେଳରେ ଶେଷ ପର୍ଯ୍ୟନ୍ତ ଯେମିତି ମଣିଷ ହିଁ ପରାଜିତ ହୋଇଯାଏ- ତା’ର ଅସଂଖ୍ୟ ଦେବତାଙ୍କର ଶୁଭଦୃଷ୍ଟି ସତ୍ତ୍ୱେ। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।