CIA Files Reveal Osama bin Laden's Plans: CIA ଫାଇଲ୍ ଖୋଲିଲା ଲାଦେନ୍ର ଭାରତ ବିରୋଧୀ ଗୁପ୍ତ ଷଡ଼ଯନ୍ତ୍ର
ଆମେରିକାର ୯/୧୧ ଆକ୍ରମଣକୁ ୨୫ ବର୍ଷ ପୂରିଛି। ଏହି ସମୟରେ ଡିକ୍ଲାସିଫାଏଡ୍ CIA ଫାଇଲ୍ରୁ ସାମ୍ନାକୁ ଆସିଛି କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଦେନର ଭାରତ ବିରୋଧୀ ଷଡ଼ଯନ୍ତ୍ରର ତଥ୍ୟ। ୧୯୯୮ ଅଗଷ୍ଟ ୨୮ର ଏକ ଗୁପ୍ତ ରିପୋର୍ଟରେ କୁହାଯାଇଥିଲା, ଓସାମା ବିନ୍ ଲାଦେନ୍ ଭାରତ ସମେତ ଏକାଧିକ ଦେଶରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଚାହୁଁଥିଲା। ଟାର୍ଗେଟରେ ଇଜିପ୍ଟ, ସାଉଦି ଆରବ, ୟେମେନ୍, କୁଏତ୍, ଭାରତ, ପାକିସ୍ତାନ, ଉଗାଣ୍ଡା ଏବଂ ନାଇଜେରିଆ ଥିଲେ।
ସବୁଠୁ ବଡ଼ କଥା ହେଉଛି, ସେତେବେଳେ ଲାଦେନ୍ ପାଖରେ ପ୍ରାୟ ୬୦ଟି ଦେଶରେ ଥିବା ବ୍ୟକ୍ତି ଓ ସହଯୋଗୀ ଗୋଷ୍ଠୀଙ୍କ ନେଟୱର୍କ ଥିଲା। CIA ଫାଇଲ୍ ଖୋଲିବା ପରେ ସାମ୍ନାକୁ ଆସିଛି ଯେ, ଲାଦେନ୍ କେବଳ ଆମେରିକା ନୁହେଁ, ବିଶ୍ୱର ଅନେକ ଦେଶକୁ ଟାର୍ଗେଟ୍ କରିବାର ଯୋଜନା କରୁଥିଲା। ତେବେ ଭାରତର କେଉଁ ସ୍ଥାନରେ ଆକ୍ରମଣ ହେବ, କେବେ ହେବ କିମ୍ବା କେମିତି ହେବ—ଏନେଇ ଏହି ଡକ୍ୟୁମେଣ୍ଟରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ।
ସେହି ସମୟରେ CIA ଲାଦେନର ନେଟୱର୍କ, ଅସ୍ତ୍ର ଓ ଆକ୍ରମଣ ଯୋଜନା ଉପରେ ନଜର ରଖିଥିଲା। ୧୯୯୮ରୁ ଆରମ୍ଭ କରି ୯/୧୧ ପୂର୍ବରୁ ଆମେରିକା ଉପରେ ଆକ୍ରମଣର ଅନେକ ସତର୍କ ସୂଚନା ମଧ୍ୟ ଦିଆଯାଇଥିଲା। ହେଲେ ୨୦୦୧ ସେପ୍ଟେମ୍ବର ୧୧ରେ ଆଲ୍କାଏଦାର ଆକ୍ରମଣରେ ପ୍ରାୟ ୩ ହଜାର ଲୋକଙ୍କ ଜୀବନ ଯାଇଥିଲା। ୨୦୧୧ ମେ’ରେ ପାକିସ୍ତାନର ଆବୋଟାବାଦରେ ଆମେରିକୀୟ ଅଭିଯାନରେ ଲାଦେନ୍ ନିହତ ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।