CJP's ultimatum to Gyanesh Kumar: ମୁଖ୍ୟ ନିର୍ବାଚନ କମିଶନରଙ୍କ ଇସ୍ତଫା ଦାବି, ଅକ୍ଟୋବର ୨ରୁ ଦେଶବ୍ୟାପୀ ଆନ୍ଦୋଳନ ଚେତାବନୀ
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ବଡ଼ ଆନ୍ଦୋଳନ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (ସିଜେପି)। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜ୍ଞାନେଶ କୁମାର ଇସ୍ତଫା ନଦେଲେ, ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ମୁମ୍ବାଇରୁ ଦେଶବ୍ୟାପୀ ବିକ୍ଷୋଭ ଆରମ୍ଭ କରାଯିବ ବୋଲି ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପ୍କେ ଘୋଷଣା କରିଛନ୍ତି।
ସୋସିଆଲ୍ ମିଡିଆ ପୋଷ୍ଟରେ ଦିପ୍କେ କହିଛନ୍ତି, ଜ୍ଞାନେଶ କୁମାର ଇସ୍ତଫା ନଦେଲେ ଅକ୍ଟୋବର ୨ରୁ ମୁମ୍ବାଇରେ ଆନ୍ଦୋଳନ ଆରମ୍ଭ ହେବ ଏବଂ ପରେ ଦେଶର ବିଭିନ୍ନ ସହରକୁ ଏହାକୁ ବ୍ୟାପକ କରାଯିବ। ଗାନ୍ଧୀ ଜୟନ୍ତୀରେ ଗଣତନ୍ତ୍ର ସୁରକ୍ଷା ପାଇଁ ସଂକଳ୍ପ ନେବାକୁ ସେ ଆହ୍ୱାନ ଦେଇଛନ୍ତି।
ଏହାର ଗୋଟିଏ ଦିନ ପୂର୍ବରୁ ସିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ୪୮ ଘଣ୍ଟାର ଅଲ୍ଟିମେଟମ୍ ଦିଆଯାଇଥିଲା। ଇସ୍ତଫା ନଦେଲେ ଦେଶବ୍ୟାପୀ ଆନ୍ଦୋଳନ ସହ ଦିଲ୍ଲୀରେ ଅନିର୍ଦ୍ଦିଷ୍ଟକାଳୀନ ଧାରଣା ଏବଂ ‘ଜନ୍ତର ମନ୍ତର ୨.୦’ ଭଳି ବିକ୍ଷୋଭ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଥିଲା।
ସିଜେପି ‘ଇଲେକ୍ସନ କମିଶନ ଠିକ୍ କରୋ’ ନାମରେ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଛି। ଏସଆଇଆର ସମୟରେ ୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖସଡ଼ା ଭୋଟର ତାଲିକାରୁ ୧୩ କୋଟିରୁ ଅଧିକ ନାମ ବାଦ ପଡ଼ିଥିବା ଦାବିକୁ ନେଇ ସଂଗଠନ ପ୍ରଶ୍ନ ଉଠାଇଛି।
ସିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଭୋଟର ତାଲିକାରୁ ବ୍ୟାପକ ଭାବେ ନାମ ବାଦ ପଡ଼ିବା ଭୋଟରଙ୍କ ଅଧିକାରକୁ ପ୍ରଭାବିତ କରୁଛି। ଏହି ବିବାଦ ମଧ୍ୟରେ ନିର୍ବାଚନ କମିଶନ ଭିତରେ ଏସଆଇଆର ସମ୍ପର୍କିତ କିଛି ପ୍ରସଙ୍ଗକୁ ନେଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ପ୍ରଶ୍ନ ଉଠାଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା। ସିଜେପି ଏହି ରିପୋର୍ଟକୁ ଆଧାର କରି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଛି।
ଏହା ସହ ଦିପ୍କେ ବିରୋଧୀ ଦଳଗୁଡ଼ିକୁ ମଧ୍ୟ ଟାର୍ଗେଟ କରିଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଥିବା ଦାବି କରୁଥିଲେ, ବିରୋଧୀ ଦଳଗୁଡ଼ିକ ନିର୍ବାଚନରେ ଅଂଶଗ୍ରହଣ ଜାରି ରଖିବା ଉଚିତ କି ନୁହେଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ମତରେ, ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇବା ସହ ନିର୍ବାଚନରେ ଅଂଶଗ୍ରହଣ କରିବା ଦୁଇଟି ବିପରୀତ ଆଭିମୁଖ୍ୟ। ଏଥିସହ ସମସ୍ତ ରାଜ୍ୟରେ ନିର୍ବାଚନ ସମ୍ପର୍କିତ ଅଭିଯୋଗକୁ ସମାନ ଭାବେ ଉଠାଇବାକୁ ସେ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।