Pitru Paksha: ପିତୃପକ୍ଷର ଆଧ୍ୟାତ୍ମିକ ଦର୍ଶନ: ପୌରାଣିକ ପୃଷ୍ଠଭୂମି, ଜ୍ୟୋତିଷୀୟ ରହସ୍ୟ

Sep 25, 2026 - 13:30
Pitru Paksha: ପିତୃପକ୍ଷର ଆଧ୍ୟାତ୍ମିକ ଦର୍ଶନ: ପୌରାଣିକ ପୃଷ୍ଠଭୂମି, ଜ୍ୟୋତିଷୀୟ ରହସ୍ୟ

ମାନବ ସଭ୍ୟତାର ଇତିହାସ କେବଳ ବର୍ତ୍ତମାନର ସଫଳତା ନୁହେଁ, ବରଂ ଅତୀତର ଅଦୃଶ୍ୟ ପୂର୍ବପୁରୁଷଙ୍କ ତ୍ୟାଗ ଓ ଆଶୀର୍ବାଦର ଏକ ଶୃଙ୍ଖଳିତ ଧାରା। ସନାତନ ପରମ୍ପରାରେ ଜୀବନର ସାର୍ଥକତା ସେତେବେଳେ ପ୍ରତିଷ୍ଠିତ ହୁଏ, ଯେତେବେଳେ ବ୍ୟକ୍ତି ନିଜ ମୂଳ ସହିତ ଯୋଡ଼ିହୋଇ ରହେ। ଜନ୍ମସୂତ୍ରରୁ ଆମ ଉପରେ ଥିବା ତ୍ରିବିଧ ଋଣ ମଧ୍ୟରୁ ‘ପିତୃଋଣ’ ହେଉଛି ସବୁଠାରୁ ଭାବପୂର୍ଣ୍ଣ ଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ସେହି ଅତୀତର ପିତୃପୁରୁଷଙ୍କ ପ୍ରତି ଅଶେଷ କୃତଜ୍ଞତା ଜଣାଇବାର ଏକ ଅନନ୍ୟ ଆଧ୍ୟାତ୍ମିକ ଅବସର ହେଉଛି ‘ପିତୃପକ୍ଷ’ ବା ‘ଅପରପକ୍ଷ’। 

ଭାଦ୍ରବ ଶୁକ୍ଳ ପୂର୍ଣ୍ଣିମାରୁ (ଉତ୍କଳୀୟ ମତାନ୍ତରରେ ଆଶ୍ୱିନ କୃଷ୍ଣ ପ୍ରତିପଦା) ଠାରୁ ଆରମ୍ଭ ହୋଇ ଆଶ୍ୱିନ କୃଷ୍ଣ ଅମାବାସ୍ୟା (ମହାଳୟା) ପର୍ଯ୍ୟନ୍ତ ଏହି ଷୋହଳ ଦିନ ସମଗ୍ର ବାୟୁମଣ୍ଡଳ ପିତୃପୁରୁଷଙ୍କ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନର ପବିତ୍ର ଭାବରେ ଉଦ୍‌ବେଳିତ ହୋଇଉଠେ। ପୁରୁଷୋତ୍ତମ କ୍ଷେତ୍ରର ବାଇଶି ପାହାଚଠାରୁ ଆରମ୍ଭ କରି ପବିତ୍ର ବିନ୍ଦୁସାଗର ଓ ପ୍ରତ୍ୟେକ ନଦୀ ତଟରେ ଜଳ-ତିଳ ତର୍ପଣ କରିବା ଆମ ସଂସ୍କୃତିର ଏକ ଅବିଚ୍ଛିନ୍ନ ଅଙ୍ଗ।

ପୌରାଣିକ ପୃଷ୍ଠଭୂମି: ଦାନବୀର କର୍ଣ୍ଣଙ୍କ ଆଖ୍ୟାନ-

ପିତୃପକ୍ଷ ସମ୍ପର୍କରେ ମହାଭାରତ ତଥା ବିଭିନ୍ନ ପୁରାଣରେ ବର୍ଣ୍ଣିତ ମହାଦାନୀ କର୍ଣ୍ଣଙ୍କ କଥା ସର୍ବବିଦିତ। କୁରୁକ୍ଷେତ୍ର ଯୁଦ୍ଧରେ ମୃତ୍ୟୁବରଣ କରିବା ପରେ କର୍ଣ୍ଣଙ୍କ ପୂଣ୍ୟାତ୍ମା ସ୍ୱର୍ଗଲୋକରେ ପ୍ରବେଶ କଲା। ସେଠାରେ ତାଙ୍କୁ ସ୍ୱର୍ଣ୍ଣ, ରୌପ୍ୟ, ମଣିମୁକ୍ତା ଓ ଅମୂଲ୍ୟ ରତ୍ନ ହିଁ ଖାଦ୍ୟ ରୂପରେ ପରଷି ଦିଆଗଲା। ଭୋକ ଓ ଶୋଷରେ ବ୍ୟାକୁଳ ହୋଇ କର୍ଣ୍ଣ ଦେବରାଜ ଇନ୍ଦ୍ରଙ୍କୁ ଏପରି ଅସ୍ୱାଭାବିକ ଆତିଥ୍ୟର କାରଣ ଜିଜ୍ଞାସା କଲେ।

ଇନ୍ଦ୍ର ଉତ୍ତର ଦେଲେ— “ହେ କର୍ଣ୍ଣ, ତୁମେ ଆଜୀବନ ସୁନା, ରୂପା, ଧନ-ସମ୍ପତ୍ତି ଦାନ କରି ମହାନ ଯଶ ଅର୍ଜନ କରିଛ ସତ, କିନ୍ତୁ କେବେହେଲେ ତୁମର ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଜଳବିନ୍ଦୁଟିଏ କିମ୍ବା ଅନ୍ନମୁଠାଏ ଦାନ କରିନାହଁ।”

କର୍ଣ୍ଣ ଅତ୍ୟନ୍ତ ବିନମ୍ରତାର ସହ ପ୍ରକାଶ କଲେ ଯେ, ସେ ନିଜର ବଂଶ ପରିଚୟ ଏବଂ ପିତୃପୁରୁଷଙ୍କ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ; ତେଣୁ ସେମାନଙ୍କୁ ତର୍ପଣ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇନଥିଲା। ଏହି ତ୍ରୁଟି ସଂଶୋଧନ ପାଇଁ ଇନ୍ଦ୍ର କର୍ଣ୍ଣଙ୍କୁ ଷୋହଳ ଦିନ ପାଇଁ ମର୍ତ୍ତ୍ୟଲୋକକୁ ଫେରିଯିବାକୁ ଅନୁମତି ଦେଇଥିଲେ। ସେହି ଷୋହଳ ଦିନରେ କର୍ଣ୍ଣ ନିଜ ପୂର୍ବଜମାନଙ୍କ ନିମନ୍ତେ ବିଧିବଦ୍ଧ ଭାବେ ଶ୍ରାଦ୍ଧ, ଅନ୍ନଦାନ ଏବଂ ତିଳତର୍ପଣ ସମ୍ପାଦନ କରି ଅକ୍ଷୟ ତୃପ୍ତି ଲାଭ କଲେ ଏବଂ ପିତୃଋଣରୁ ମୁକ୍ତି ପାଇ ସ୍ୱର୍ଗକୁ ପ୍ରତ୍ୟାବର୍ତ୍ତନ କଲେ। ସେହି ପୁଣ୍ୟ ଷୋହଳ ଦିନ ହିଁ ଧରାପୃଷ୍ଠରେ ‘ପିତୃପକ୍ଷ’ ଭାବରେ ପ୍ରତିଷ୍ଠିତ ହେଲା।

କନ୍ୟା ସଂକ୍ରାନ୍ତି ଓ ପିତୃଲୋକର ଆଗମନ: ଏକ ଜ୍ୟୋତିଷୀୟ ଓ ଖଗୋଳୀୟ ବିଶ୍ଳେଷଣ

ଅନେକଙ୍କ ମନରେ ପ୍ରଶ୍ନ ଉଠେ— ସୂର୍ଯ୍ୟ କନ୍ୟା ରାଶିକୁ ଗଲେ ପିତୃଲୋକ ଆମର ନିକଟବର୍ତ୍ତୀ କାହିଁକି ହୁଏ? ଏହାର ପୃଷ୍ଠଭୂମିରେ ଗଭୀର ଖଗୋଳୀୟ, ବୈଦିକ ଓ ଜ୍ୟୋତିଷୀୟ ତତ୍ତ୍ୱ ନିହିତ ରହିଛି।

ଦକ୍ଷିଣାୟନ ଓ ପିତୃଯାନ ମାର୍ଗ:

ବୈଦିକ ଜ୍ୟୋତିଷ ଅନୁସାରେ ବର୍ଷର ଦୁଇଟି ଅୟନ ରହିଛି— ଉତ୍ତରାୟଣ (ଦେବଯାନ) ଏବଂ ଦକ୍ଷିଣାୟନ (ପିତୃଯାନ)। କର୍କଟ ସଂକ୍ରାନ୍ତିରୁ ସୂର୍ଯ୍ୟ ଦକ୍ଷିଣାଭିମୁଖୀ ହୁଅନ୍ତି। ସୂର୍ଯ୍ୟସିଦ୍ଧାନ୍ତ ଓ ମାର୍କଣ୍ଡେୟ ପୁରାଣ ଅନୁଯାୟୀ, ଦକ୍ଷିଣାୟନ ହେଉଛି ଦେବତାମାନଙ୍କର ରାତ୍ରି ଏବଂ ପିତୃଲୋକର ଦିନ। ଭାଦ୍ରବ-ଆଶ୍ୱିନ ମାସ ବେଳକୁ ସୂର୍ଯ୍ୟ ସ୍ୱରାଶି ସିଂହରୁ ପାର ହୋଇ ପୃଥିବୀ ତତ୍ତ୍ୱର ରାଶି ‘କନ୍ୟା’କୁ ସଂକ୍ରମଣ କରନ୍ତି। କନ୍ୟା ରାଶି ହେଉଛି କାଳପୁରୁଷର ଷଷ୍ଠ ଭାବ, ଯାହା ସେବା, ଋଣମୋଚନ ଏବଂ ପ୍ରାୟଶ୍ଚିତ୍ତର ପ୍ରତୀକ।

ଚନ୍ଦ୍ରଲୋକର ଊର୍ଦ୍ଧ୍ୱଭାଗ ଓ ପିତୃଲୋକର ସ୍ଥିତି:

ପ୍ରାଚୀନ ଖଗୋଳ ଶାସ୍ତ୍ର ଅନୁସାରେ, ପିତୃଲୋକ ଚନ୍ଦ୍ରମଣ୍ଡଳର ଊର୍ଦ୍ଧ୍ୱ ଭାଗରେ ଅବସ୍ଥିତ। ଚନ୍ଦ୍ର ହେଉଛନ୍ତି ମନ ଓ ଜଳ ତତ୍ତ୍ୱର କାରକ ଏବଂ ସୂର୍ଯ୍ୟ ହେଉଛନ୍ତି ଆତ୍ମା ଓ ପିତୃକାରକ। ଯେତେବେଳେ ସୂର୍ଯ୍ୟ କନ୍ୟା ରାଶିରେ ଥାଆନ୍ତି ଏବଂ ଚନ୍ଦ୍ର କୃଷ୍ଣପକ୍ଷରେ କ୍ଷୀଣ ହୋଇ ଅମାବାସ୍ୟା ଆଡ଼କୁ ଗତି କରନ୍ତି, ସେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ କୋଣୀୟ ଦୂରତ୍ୱ ଏପରି ଏକ ଆକର୍ଷଣ କ୍ଷେତ୍ର ପ୍ରସ୍ତୁତ କରେ, ଯାହା ମର୍ତ୍ତ୍ୟଲୋକ ଏବଂ ପିତୃଲୋକ ମଧ୍ୟରେ ଥିବା ବ୍ୟବଧାନକୁ ସଂକୁଚିତ କରିଦିଏ।

ପୁରାଣୋକ୍ତ ଶାସ୍ତ୍ର ପ୍ରମାଣ:

ଗରୁଡ଼ ପୁରାଣ ଓ ସୂର୍ଯ୍ୟ ପୁରାଣରେ ସ୍ପଷ୍ଟ ଉଲ୍ଲେଖ ଅଛି:
କନ୍ୟାଂ ଗତେ ସବିତରି ଯୋ ନ ଯଚ୍ଛେତ୍ ସୁତୈର୍ନରଃ।
ତସ୍ୟ ଦୁଃଖେନ ତୃପ୍ୟନ୍ତି ପିତରୋ ଗୃହମେଧିନଃ॥

ଅର୍ଥାତ୍, ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କଲା ବେଳେ ଯମରାଜ ପିତୃଗଣଙ୍କୁ ମୁକ୍ତ କରିଦିଅନ୍ତି ଏବଂ ସେମାନେ ନିଜ ବଂଶଧରମାନଙ୍କଠାରୁ ଅନ୍ନ ଓ ଜଳ ପାଇବା ଆଶାରେ ଭୂଲୋକକୁ ଅବତରଣ କରନ୍ତି। ଏହି ସମୟରେ ସେମାନଙ୍କ ଅଦୃଶ୍ୟ ଆତ୍ମିକ ଉପସ୍ଥିତି ବାୟୁମଣ୍ଡଳରେ ସର୍ବାଧିକ ଅନୁଭୂତ ହୁଏ।

ଜନ୍ମକୁଣ୍ଡଳୀରେ ପିତୃଦୋଷ ଓ ଏହାର ନିରାକରଣ

ଜ୍ୟୋତିଷ ଶାସ୍ତ୍ରରେ ନବମ ଭାବକୁ ପିତୃଭାବ, ଧର୍ମଭାବ ତଥା ଭାଗ୍ୟସ୍ଥାନ କୁହାଯାଏ। ଦଶମ ଭାବ ମଧ୍ୟ କର୍ମ ଓ ପିତୃଗୌରବର ପ୍ରତୀକ। ଯଦି ଜନ୍ମକୁଣ୍ଡଳୀର ନବମ ଭାବରେ ସୂର୍ଯ୍ୟ କିମ୍ବା ବୃହସ୍ପତିଙ୍କ ସହ ରାହୁ କିମ୍ବା କେତୁ ଅବସ୍ଥାନ କରନ୍ତି, କିମ୍ବା ନବମେଶ ତ୍ରିକ ଭାବ (ଷଷ୍ଠ, ଅଷ୍ଟମ, ଦ୍ୱାଦଶ)ରେ ପୀଡ଼ିତ ହୁଅନ୍ତି, କିମ୍ବା ସୂର୍ଯ୍ୟ-ଶନିଙ୍କ ପରସ୍ପର ଶତ୍ରୁତାପୂର୍ଣ୍ଣ ଦୃଷ୍ଟି ରହେ, ତେବେ କୁଣ୍ଡଳୀରେ ‘ପିତୃଦୋଷ’ ସୃଷ୍ଟି ହୁଏ।

ପିତୃଦୋଷ କାରଣରୁ ପରିବାରରେ ସନ୍ତାନ ପ୍ରାପ୍ତିରେ ବିଳମ୍ବ, ଅକାଳ ମୃତ୍ୟୁ, ଗୃହକ୍ଳେଶ, ଦୀର୍ଘସ୍ଥାୟୀ ରୋଗ ଏବଂ ଆର୍ଥିକ ଅବନତି ଭଳି ସମସ୍ୟା ଦେଖାଦିଏ। ପିତୃପକ୍ଷ ହିଁ ଏହି ଦୋଷରୁ ମୁକ୍ତି ପାଇବାର ସର୍ବୋତ୍କୃଷ୍ଟ ସମୟ। ଏହି ସମୟରେ ପିତୃସ୍ତୋତ୍ର ପାଠ, ଭଗବଦ୍ ଗୀତାର ସପ୍ତମ ବା ଏକାଦଶ ଅଧ୍ୟାୟ ପାଠ, କଳା ରାଶି ଓ କୁଶ ଦ୍ୱାରା ତର୍ପଣ, ବ୍ରାହ୍ମଣ ଭୋଜନ ଏବଂ ଗୋ-ମାତାଙ୍କୁ ଗ୍ରାସ ପ୍ରଦାନ କଲେ ପିତୃଦୋଷର ଶାନ୍ତି ଘଟିଥାଏ।

କାକଭୁଶୁଣ୍ଡି ଉପାଖ୍ୟାନ ଓ ପିତୃପକ୍ଷରେ କାକର ସମ୍ପର୍କ-

ପିତୃପକ୍ଷର ଚର୍ଚ୍ଚା କାଉ (କାକ) ଏବଂ ଦିବ୍ୟ କାକଭୁଶୁଣ୍ଡିଙ୍କ ଉପାଖ୍ୟାନ ବିନା ଅଧୁରା। ରାମଚରିତମାନସ ଓ ଆଧ୍ୟାତ୍ମିକ ଗ୍ରନ୍ଥାବଳୀରେ କାକଭୁଶୁଣ୍ଡି ଏକ ଚିରଞ୍ଜୀବୀ ତଥା ପରମ ରାମଭକ୍ତ ଚରିତ୍ର ଭାବରେ ପ୍ରତିଷ୍ଠିତ।

ପୌରାଣିକ ଆଖ୍ୟାନ: ପୂର୍ବଜନ୍ମରେ ଶିବଭକ୍ତ ଥିବା ଜଣେ ବ୍ୟକ୍ତି ଗୁରୁ ଅବଜ୍ଞା କାରଣରୁ ଶାପଗ୍ରସ୍ତ ହୋଇ ଅନେକ ଜନ୍ମ ଲାଭ କରିବା ପରେ, ମହର୍ଷି ଲୋମଶଙ୍କ କ୍ରୋଧରୁ ‘କାକ’ ଶରୀର ଧାରଣ କରିଥିଲେ। ମାତ୍ର କାକ ରୂପରେ ମଧ୍ୟ ତାଙ୍କର ଅବିଚଳିତ ଭଗବତ୍-ଭକ୍ତି ଓ ପ୍ରଶାନ୍ତ ସମର୍ପଣ ଦେଖି ଋଷି ଲୋମଶ ତାଙ୍କୁ ଇଚ୍ଛାମୃତ୍ୟୁ, ଶ୍ରୀରାମଙ୍କ ଅଖଣ୍ଡ ଭକ୍ତି ଏବଂ ସର୍ବକାଳଦର୍ଶୀ ଜ୍ଞାନର ବର ପ୍ରଦାନ କଲେ। ଏହି କାକଭୁଶୁଣ୍ଡି ହିଁ ନୀଳଗିରି ପର୍ବତରେ ପକ୍ଷୀରାଜ ଗରୁଡ଼ଙ୍କ ମୋହ ଓ ସଂଶୟ ଭଞ୍ଜନ କରି ସମଗ୍ର ରାମକଥା ଶୁଣାଇଥିଲେ।

ପିତୃଲୋକ ସହ ସଂଯୋଗ: ଶାସ୍ତ୍ର ମତରେ କାକ ହେଉଛି ଏକମାତ୍ର ପ୍ରାଣୀ ଯାହାର ଦୃଷ୍ଟି ଏକାସାଙ୍ଗରେ ସ୍ଥୂଳ ଜଗତ ଓ ସୂକ୍ଷ୍ମ ଲୋକାନ୍ତର (ପିତୃଲୋକ) ମଧ୍ୟରେ ଯୋଗସୂତ୍ର ରକ୍ଷା କରିପାରେ। ଯମରାଜଙ୍କ ବରଦାନ ଅନୁସାରେ, ମର୍ତ୍ତ୍ୟରେ କାଉ ଯେଉଁ ଅନ୍ନ ଗ୍ରହଣ କରେ, ତାହା ପିତୃଲୋକରେ ଥିବା ଆତ୍ମାମାନଙ୍କୁ କ୍ଷୁଧାରୁ ମୁକ୍ତି ଦିଏ। କାକଭୁଶୁଣ୍ଡିଙ୍କ ପବିତ୍ର ସ୍ମୃତି ଏବଂ ଯମ-ଦୂତତ୍ୱ କାରଣରୁ କାଉକୁ ପିତୃପକ୍ଷରେ ପୂର୍ବପୁରୁଷଙ୍କ ସାକ୍ଷାତ୍ ପ୍ରତିନିଧି ବା ବାର୍ତ୍ତାବହ ଭାବେ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି।

ପଞ୍ଚବଳି ଓ ସାମାଜିକ ଦାୟିତ୍ୱବୋଧ

ପିତୃପକ୍ଷରେ କେବଳ ମନ୍ତ୍ରୋଚ୍ଚାରଣ ପର୍ଯ୍ୟାପ୍ତ ନୁହେଁ; ଏଥିରେ ‘ପଞ୍ଚବଳି’ ବା ପାଞ୍ଚଟି ବିଶେଷ ପ୍ରାଣୀଙ୍କୁ ଖାଦ୍ୟ ପ୍ରଦାନର ବ୍ୟବସ୍ଥା ରହିଛି। ସେମାନେ ହେଲେ—

୧. ଗୋ-ବଳି (ଗାଈ): ସମସ୍ତ ଦେବଦେବୀଙ୍କ ଆବାସସ୍ଥଳୀ ଭାବେ ଗୋମାତାଙ୍କୁ ଗ୍ରାସ।
୨. ଶ୍ୱାନ-ବଳି (କୁକୁର): ଭୈରବ ଓ ଯମଙ୍କ ଦ୍ୱାରପାଳ ରୂପେ ଭୋଜନ।
୩. କାକ-ବଳି (କାଉ): କାକଭୁଶୁଣ୍ଡିଙ୍କ ସ୍ମୃତି ତଥା ପିତୃପୁରୁଷଙ୍କ ପ୍ରତ୍ୟକ୍ଷ ବାହକ ରୂପେ ଅନ୍ନଦାନ।
୪. ଦେବାଦି-ବଳି: ସମସ୍ତ ଅଦୃଶ୍ୟ ଦିବ୍ୟ ଶକ୍ତିଙ୍କ ଉଦ୍ଦେଶ୍ୟରେ ଆହୂତି।
୫. ପିପୀଲିକାଦି-ବଳି (ପିମ୍ପୁଡ଼ି/କୀଟପତଙ୍ଗ): କ୍ଷୁଦ୍ରାତିକ୍ଷୁଦ୍ର ଜୀବଙ୍କ ତୃପ୍ତି ନିମନ୍ତେ ଖାଦ୍ୟ।

ଏହା ପ୍ରମାଣ କରେ ଯେ, ସନାତନ ପରମ୍ପରାରେ ପିତୃକର୍ମ କେବଳ ପୂର୍ବପୁରୁଷଙ୍କ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ସମଗ୍ର ପ୍ରକୃତି, ପରିବେଶ ଓ ଜୀବଜଗତ ପ୍ରତି ସମ୍ବେଦନଶୀଳ ହେବାର ଏକ ଅନନ୍ୟ ଶିକ୍ଷା ଦିଏ।

ବାସ୍ତବରେ, ପିତୃପକ୍ଷ କୌଣସି ଅନ୍ଧବିଶ୍ୱାସ ବା ଶୁଷ୍କ କର୍ମକାଣ୍ଡ ନୁହେଁ; ଏହା ହେଉଛି ବଂଶଗତ ସ୍ମୃତି, ଆଧ୍ୟାତ୍ମିକ ଚେତନା ଏବଂ ପ୍ରକୃତି ସହ ମଣିଷର ଅନ୍ତରଙ୍ଗ ସମ୍ପର୍କର ଏକ ଜୀବନ୍ତ ପର୍ବ। ସୂକ୍ଷ୍ମ ଜଗତରେ ବିଚରଣ କରୁଥିବା ଆମର ପୂର୍ବଜମାନେ କେବଳ ଗୋଟିଏ ବିନ୍ଦୁ ତିଳ-ଜଳ ଓ ଶ୍ରଦ୍ଧାପୂର୍ଣ୍ଣ ସ୍ମରଣରେ ସନ୍ତୁଷ୍ଟ ହୋଇଯାଆନ୍ତି।

ଯେତେବେଳେ ଜଣେ ବ୍ୟକ୍ତି ଅହଂକାର ତ୍ୟାଗ କରି ନିଜ ପୂର୍ବପୁରୁଷ ତଥା ପରିବେଶର ଜୀବଜନ୍ତୁଙ୍କ ଆଗରେ ନତମସ୍ତକ ହୁଏ, ସେତେବେଳେ ତା’ର ଜୀବନର ସମସ୍ତ ଅଦୃଶ୍ୟ ବାଧାବିଘ୍ନ ଅପସାରିତ ହୋଇଥାଏ। ପିତୃପୁରୁଷଙ୍କ ଆଶୀର୍ବାଦ ହିଁ ଏକ ପରିବାରକୁ ଆୟୁ, ବଂଶବୃଦ୍ଧି ଏବଂ ଆଧ୍ୟାତ୍ମିକ ସୁରକ୍ଷା ପ୍ରଦାନ କରେ— ଏହା ହିଁ ଏହି ମହାନ୍ ପକ୍ଷର ପ୍ରକୃତ ବାର୍ତ୍ତା।

ଲେଖକ ଜ୍ୟୋତିର୍ବିଦ୍ ବିଭୁଦାନନ୍ଦ ଶତପଥୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।