CM Mohan Majhi Reviews Flood Situation: ମାସେ ହେଲା ପାଣି ଘେରରେ! ବିପନ୍ନଙ୍କ ପାଖରେ ପହଞ୍ଚିଲେ ସିଏମ୍
ବୈତରଣୀ ଓ ବ୍ରାହ୍ମଣୀର ବନ୍ୟାରେ ବୁଡିଛି ପୁରା ଯାଜପୁର। ଜଳବନ୍ଦୀ ଶହ ଶହ ଗାଁ.. ପାଣି ଘେରରେ ଲକ୍ଷାଧିକ ଲୋକ। ବନ୍ୟାଂଚଳରେ ସ୍ଥିତି ସମୀକ୍ଷା ସହ ବିପନ୍ନଙ୍କ ଦୁର୍ଦ୍ଦଶା ବୁଝିବାକୁ ସେମାନଙ୍କ ପାଖରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏ ହେଉଛି ଚଳିତ ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ଯାଜପୁରର ଦଶରଥପୁର ବ୍ଲକ୍। ମାସେ ହେଲାଣି ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଛି ରାମଚନ୍ଦ୍ରପୁର ଗାଁ। ଖାଲି ପାଦରେ ପତିରି ଘାଟରୁ ପାୱାର ବୋଟରେ ବାହାରିଥିଲେ ମୁଖ୍ୟମନ୍ତ୍ରୀ। ନଦୀର ବନ୍ୟା ଜଳ ଭିତରେ ୩ କିଲୋମିଟର ଦୂର ଗାଁରେ ପହଁଚିଥିଲେ। ଦୁର୍ଦ୍ଦିନରେ ଥିବା ପ୍ରଭାବିତଙ୍କ ଦୁଆରେ ପହଁଚି ଦୁର୍ଦ୍ଦଶା ବୁଝିଥିଲେ। ସ୍ବାସ୍ଥ୍ୟବସ୍ଥା, ସରକାରୀ ରିଲିଫ୍, ପାନୀୟ ଜଳ ସମସ୍ୟା, ଡାକ୍ତରୀ ଚିକିତ୍ସା, ଏପରିକି ଗୋରୁଗାଈ ରହିବା ବ୍ୟବସ୍ଥା ଏବଂ ଗୋଖାଦ୍ୟ ବାବଦରେ ପଚାରି ବୁଝିଥିଲେ।
ରିଲିଫ୍ କ୍ୟାମ୍ପକୁ ଯାଇ ବିପନ୍ନଙ୍କୁ ଦିଆଯାଉଥିବା ରନ୍ଧା ଖାଦ୍ୟର ଯାଂଚ୍ ବି କରିଥିଲେ। ଇଏ କାଣୀ ନଦୀର ପାଟଣାରେ ହୋଇଥିବା ଘାଇର ଦୃଶ୍ୟ। ଘାଇ ପାଇଁ କେମିତି ପ୍ରତିବର୍ଷ ସେମାନଙ୍କ ଚାଷ ବୁଡୁଛି, ବାସ ଯାଉଛିି, ମୁଖ୍ୟମନ୍ତ୍ରୀଙ୍କ ଆଗରେ ବଖାଣିଥିଲେ ବିପନ୍ନ। ନଦୀବନ୍ଧର ସ୍ଥାୟୀ ମରାମତି କରିବାକୁ ଦାବି ଜଣାଇଥିଲେ। ବନ୍ୟାଂଚଳରେ ରହୁଥିବା ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏଥିସହ ପାଣି ଛାଡିବା ପରେ ତୁରନ୍ତ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବା ସହ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ଯାଜପୁର ପରେ ଚଳିତ ବନ୍ୟାରେ ଅଧିକ ପ୍ରଭାବିତ ଭଦ୍ରକ। ବଢି ପାଣି ଘେରରେ ହଜାର ହଜାର ବିପନ୍ନ। ମାସେ ହେଲାଣି ପାଣି ଘେରରେ କଲବଲ ହେଉଥିବା ଜିଲ୍ଲାର ତିହିଡ଼ି ବ୍ଲକ୍ ବଡ଼କ ପଞ୍ଚାୟତରେ ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ। ଅତି ପାଖରୁ ଦେଖିଛନ୍ତି ବନ୍ୟାର ବୀଭିଷିକା। ରିଲିଫ୍ ଡଙ୍ଗାରେ ବିପନ୍ନଙ୍କ ପାଖକୁ ଯାଇ ଶୁଣିିଛନ୍ତି ସେମାନଙ୍କ ଅପୂରଣୀୟ କ୍ଷୟକ୍ଷତିର କାହାଣୀ। ରେବ ନଦୀର ବନ୍ୟା ଜଳରେ ଘାଇଲା ଶ୍ୟାମସୁନ୍ଦରପୁର ପଂଚାୟତର ଇଶ୍ବରପୁର ଗାଁ। ମୁଖ୍ୟମନ୍ତ୍ରୀ ସେହି ଗାଁକୁ ଯାଇ ସ୍ଥିତି ପରଖିଛନ୍ତି। ଗାଁରେ ସରକାରୀ ସହାୟତା ପହଁଚୁଛି କି ନାହିଁ, ଏବେ ବିପନ୍ନଙ୍କ ଆବଶ୍ୟକତା କଣ, ସେକଥା ପଚାରି ବୁଝିଛନ୍ତି। ପ୍ରଭାବିତଙ୍କୁ ଆଶ୍ବାସନା ଦେଇଛନ୍ତି, ସମସ୍ୟାର ସମାଧାନ ପାଇଁ ସରକାରୀ ଅଧିକାରୀଙ୍କୁ ଦେଇଛନ୍ତି ନିର୍ଦ୍ଦେଶ।
ବନ୍ୟା ସ୍ଥିତି ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ବିଜେପି ସଭାପତି ତଥା ସାଂସଦ ମନମୋହନ ସାମଲ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୁର୍ଯ୍ୟବଂଶୀ ସୂରଜଙ୍କ ସହ ବିଧାୟକ ଓ ଅଧିକାରୀମାନେ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।