Cockpit Fight Between Pilots, Not Hijacking: ମଝି ଆକାଶରେ ହାଇଜାକ୍ ଆତଙ୍କ: ୧୭୪ ଯାତ୍ରୀଙ୍କୁ ନେଇ ଉଡ଼ୁଥିଲା ବିମାନ, ହଠାତ୍….

Sep 30, 2026 - 13:51
Cockpit Fight Between Pilots, Not Hijacking: ମଝି ଆକାଶରେ ହାଇଜାକ୍ ଆତଙ୍କ: ୧୭୪ ଯାତ୍ରୀଙ୍କୁ ନେଇ ଉଡ଼ୁଥିଲା ବିମାନ, ହଠାତ୍….

ମଝି ଆକାଶରେ ବିମାନ ଭିତରେ ହାଇ ଭୋଲ୍ଟେଜ ଡ୍ରାମା। କକପିଟ୍ ଭିତରେ ଦୁଇ ପାଇଲଟଙ୍କ ମଧ୍ୟରେ ସାଂଘାତିକ ଝଗଡା। ଝଗଡା ମଧ୍ୟରେ ଭୁଲ ବଶତଃ ପାଇଲଟ ଦବାଇ ଦେଇଥିଲେ ହାଇଜାକିଂ ସିଗନାଲ। ଏହା ପରେ ଫ୍ଲାଇଦୁବାଇ ବିମାନ ଅପହରଣ ନେଇ ଆତଙ୍କ ସୃଷ୍ଟି ହେବା ପରେ ସତର୍କ ହୋଇଗଲେ ଇସ୍ରାଏଲର ସୁରକ୍ଷା ଏଜେନ୍ସି। 

ଦୁବାଇରୁ ତେଲ ଆଭିଭ୍‌ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ବେଶ୍‌ କିଛି ସମୟ ପାଇଁ ହାଇଜାକ୍‌ ଆଶଙ୍କା ସୃଷ୍ଟି ହୋଇଥିଲା। ବିମାନର କକ୍‌ପିଟ୍‌ ଭିତରେ ଦୁଇ ପାଇଲଟଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ବିମାନରୁ ଜରୁରୀକାଳୀନ ସଙ୍କେତ ପଠାଯାଇଥିଲା। ଏହାପରେ ଇସ୍ରାଏଲ ସମେତ ଅନେକ ସୁରକ୍ଷା ଏଜେନ୍ସି ସତର୍କ ହୋଇଥିଲେ।

ଏହି ବୋଇଂ ବିମାନରେ ୧୭୪ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ୨୭ ଜଣ ଶିଶୁ ଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ବିମାନଟିକୁ ଗନ୍ତବ୍ୟସ୍ଥଳ ତେଲ ଆଭିଭ୍‌ ନ ନେଇ ସାଉଦି ଆରବ ଆଡ଼କୁ ଡାଇଭର୍ଟ କରାଯାଇଥିଲା। ପରେ ବିମାନଟି ସାଉଦି ଆରବରେ ସୁରକ୍ଷିତ ଭାବେ ଅବତରଣ କରିଥିବା ଫ୍ଲାଇଦୁବାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୂଚନା ଅନୁସାରେ, ବିମାନଟି ବୁଧବାର ସକାଳ ପ୍ରାୟ ୭ଟା ୫ ମିନିଟ୍‌ରେ ଦୁବାଇରୁ ଉଡ଼ାଣ ଆରମ୍ଭ କରିଥିଲା। ସକାଳ ପ୍ରାୟ ୯ଟା ୩୦ ମିନିଟ୍‌ରେ ତେଲ ଆଭିଭ୍‌ ନିକଟସ୍ଥ ବେନ୍‌ ଗୁରିଅନ୍‌ ବିମାନବନ୍ଦରରେ ପହଞ୍ଚିବାର ଥିଲା। ତେବେ ଉଡ଼ାଣର ପ୍ରାୟ ୯୦ ମିନିଟ୍‌ ପରେ, ବିମାନଟି ଜୋର୍ଡାନ୍‌ ଆକାଶସୀମାରେ ଥିବା ସମୟରେ ପ୍ରଥମେ ୭୭୦୦ ସ୍କ୍ୱାକ୍‌ କୋଡ୍‌ ପଠାଇଥିଲା। ଏହା ସାଧାରଣ ଜରୁରୀକାଳୀନ ପରିସ୍ଥିତିର ସଙ୍କେତ।

କିନ୍ତୁ କିଛି ସମୟ ପରେ ବିମାନରୁ ୭୫୦୦ ସ୍କ୍ୱାକ୍‌ କୋଡ୍‌ ପଠାଯିବା ପରେ ଘଟଣାଟି ଅଧିକ ଗମ୍ଭୀର ମନେ ହୋଇଥିଲା। ୭୫୦୦ କୋଡ୍‌ ସାଧାରଣତଃ ବିମାନରେ ଅବୈଧ ହସ୍ତକ୍ଷେପ କିମ୍ବା ହାଇଜାକ୍‌ ଭଳି ପରିସ୍ଥିତିର ସଙ୍କେତ ଦେଇଥାଏ। ଏହାପରେ ବିମାନଟି ନିଜ ରୁଟ୍‌ ବଦଳାଇ ସାଉଦି ଆରବ ଦିଗକୁ ଫେରିଥିଲା ଏବଂ ଉଚ୍ଚତା କମାଇ ଉଡ଼ାଣ ଜାରି ରଖିଥିଲା।

ଏହି ଅସ୍ୱାଭାବିକ ଘଟଣା ପରେ ଇସ୍ରାଏଲରେ ସୁରକ୍ଷା ବ୍ୟବସ୍ଥା ତୁରନ୍ତ ସକ୍ରିୟ ହୋଇଥିଲା। ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାରୁ ଇସ୍ରାଏଲୀ ବାୟୁସେନାର ଲଢୁଆ ବିମାନକୁ ମଧ୍ୟ ଆକାଶକୁ ପଠାଯାଇଥିଲା। ଅଧିକାରୀମାନେ ବିମାନରେ ପ୍ରକୃତରେ ହାଇଜାକ୍‌ ହୋଇଛି କି ନାହିଁ, ତାହା ନିଶ୍ଚିତ କରିପାରିନଥିଲେ।

ପାଇଲଟଙ୍କ ସହ ଯୋଗାଯୋଗ ନ ହେବାରୁ ସନ୍ଦେହ ଆହୁରି ବଢାଇଥିଲା। ଜଣେ ଇସ୍ରାଏଲୀ ସୁରକ୍ଷା ଅଧିକାରୀ ସେତେବେଳେ କହିଥିଲେ ଯେ ହାଇଜାକ୍‌ ନେଇ କୌଣସି ନିଶ୍ଚିତ ସୂଚନା ନାହିଁ, ତେବେ ପାଇଲଟ ଜରୁରୀ ସଙ୍କେତ ସକ୍ରିୟ କରିଥିବାରୁ ଘଟଣାଟିକୁ ଗମ୍ଭୀରତାର ସହ ନିଆଯାଉଛି।

ପରିସ୍ଥିତିକୁ ନେଇ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏବଂ ପ୍ରତିରକ୍ଷାମନ୍ତ୍ରୀ ଇସ୍ରାଏଲ କାଟ୍ଜଙ୍କ ମଧ୍ୟରେ ଜରୁରୀ ସୁରକ୍ଷା ଆଲୋଚନା ହୋଇଥିଲା। ଇସ୍ରାଏଲ ପୋଲିସର ଅପରେସନ୍‌ସ ଡିଭିଜନ୍‌ ପକ୍ଷରୁ ବିଭିନ୍ନ ସୁରକ୍ଷା ଏଜେନ୍ସିକୁ ନେଇ ଏକ ଯୁଗ୍ମ କମାଣ୍ଡ ସେଣ୍ଟର ମଧ୍ୟ ଗଠନ କରାଯାଇଥିଲା।

ଇସ୍ରାଏଲ ପୋଲିସ କମିଶନର ଡାନି ଲେଭି ଘଟଣାର ସ୍ଥିତି ସମୀକ୍ଷା କରିଥିଲେ। ସେ କହିଥିଲେ, ପରିସ୍ଥିତି ଅନୁଯାୟୀ ସମସ୍ତ ସମ୍ଭାବ୍ୟ ସ୍ଥିତି ପାଇଁ ପ୍ରସ୍ତୁତି ରଖାଯାଉଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ମଧ୍ୟ ଘଟଣାର ସମୀକ୍ଷା କରିଥିଲା।

ପରେ ଜଣାପଡ଼ିଥିଲା ଯେ, ପ୍ରାଥମିକ ଭାବେ ଯେଉଁ ହାଇଜାକ୍‌ ଆଶଙ୍କା ସୃଷ୍ଟି ହୋଇଥିଲା, ତାହା ପଛରେ ଯାତ୍ରୀ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କର ହାତ ନଥିଲା। ବରଂ କକ୍‌ପିଟ୍‌ ଭିତରେ ଦୁଇ ପାଇଲଟଙ୍କ ମଧ୍ୟରେ ଘଟିଥିବା ଗଣ୍ଡଗୋଳ ଯୋଗୁଁ ଜରୁରୀ ସଙ୍କେତ ଆସିଥିଲା।ଳଘଟଣା ପରେ ବିମାନଟି ସାଉଦି ଆରବକୁ ଡାଇଭର୍ଟ ହୋଇଥିଲା ଏବଂ ସେଠାରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।