Couple Death: ପିଲା ପାଇଁ ଗୁଣିଆର ଔଷଧ ଖାଇଲେ, ଗୋଟିଏ ଦିନରେ ସ୍ୱାମୀ-ସ୍ତ୍ରୀଙ୍କ ଜୀବନ ଗଲା
ପିଲା ପାଇଁ ଖାଇଲେ ଔଷଧ, ଛଟପଟ ହୋଇ ମରିଗଲେ ଦମ୍ଫତ୍ତି। ବାହାଘରର ଦୀର୍ଘ ବର୍ଷ ପରେ ବି ନଥିଲେ ପିଲାଛୁଆ। ଟାହିଟାପରା କରୁଥିଲେ ପଡ଼ୋଶୀ। ପିଲା ହେବାକୁ ଗୁଣିଆଠାରୁ ଆଣି ପିଇଲେ ଔଷଧ। ଛଟଛଟ ହୋଇ ଚାଲିଗଲା ସ୍ବାମୀ ସ୍ତ୍ରୀଙ୍କ ଜୀବନ (Husband Wife Death)।
କନ୍ଧମାଳ ଜିଲ୍ଲାରେ ଘଟିଛି ଏଭଳି ଏକ ହୃଦୟ ବିଦାରକ ଘଟଣା। ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗା ଗ୍ରାମର ଦଂପତି କାହ୍ନୁ କହଁର ଏବଂ ଲଳିତା କହଁରଙ୍କର ଏଭଳି ଦୁଃଖଦ ମୃତ୍ୟୁ ଘଟିଛି। ପିଲାଛୁଆ ଆଶାରେ ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ଗୁଣିଆଠାରୁ ଜଡିବୁଟି ଖାଇ ଚାଲିଯାଇଛି ସ୍ବାମୀ ସ୍ତ୍ରୀଙ୍କ ଜୀବନ।
ସୂଚନା ଅନୁସାରେ, ବାହାଘରର ବହୁ ବର୍ଷ ପରେ ବି ଲଳିତା ଗର୍ଭବତୀ ହୋଇପାରୁନଥିଲେ। ଏନେଇ ସ୍ବାମୀ ସ୍ତ୍ରୀ ବହୁଆଡ଼ୁ ଔଷଧ ଖାଇବା ସତ୍ତ୍ବେ ସୁଫଳ ପାଇନଥିଲେ। ଏଭଳି ଅବସ୍ଥାରେ ନିକଟରେ ସଂପୃକ୍ତ ଗୁଣିଆ ପାଖକୁ ଯାଇ ଔଷଧ ଆଣିଥିଲେ। ଗୁଣିଆ କହିବା ଅନୁସାରେ ରବିବାର ରାତିରେ ବୈଦ୍ୟ ଦେଇଥିବା ଔଷଧକୁ ପାଣିରେ ଗୋଳାଇ ଉଭୟ ପିଇ ଦେଇଥିଲେ। ଔଷଧ ପିଇବାର କିଛି ସମୟ ପରେ ଉଭୟ କାହ୍ନୁ ଏବଂ ଲଳିତାଙ୍କୁ ଝାଡ଼ାବାନ୍ତି ଆରମ୍ଭ ହୋଇଯାଇଥିଲା। ଘର ଭିତରେ ଦୁହେଁ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ଉଭୟଙ୍କୁ ଦେଖି ହସ୍ପିଟାଲ ନେଇଥିଲେ ପରିବାର ଲୋକ। ରାସ୍ତାରେ ଲଳିତାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ମେଡିକାଲରେ କାହ୍ନୁଙ୍କର ବି ଜୀବନ ଚାଲିଯାଇଥିଲା।
ଏକାଦିନେ ସ୍ବାମୀ ସ୍ତ୍ରୀଙ୍କ ଜୀବନ ଚାଲିଯିବା ପରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁ ଗୁଣିଆଠାରୁ କାହ୍ନୁ ଔଷଧ ଆଣିଲେ ତାଙ୍କୁ ଠାବ କରି କଠୋର ଦଣ୍ଡ ଦେବାକୁ ଦାବି କରାଯାଇଛି। ମୃତ କାହ୍ନୁଙ୍କ ଭଣଜା ଉକ୍ତ ଗୁଣିଆ ପ୍ରତି ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବାକୁ ଦାବି କରିଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ମଧ୍ୟ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ କହିଛନ୍ତି।
ପିଲାଛୁଆ ପାଇଁ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଦୁଇ ଜଣଙ୍କ ଜୀବନ ଅକାଳରେ ଚାଲିଯାଇଥିବା ବେଳେ କେଉଁ ଗୁଣିଆ କି ଔଷଧ ଦେଇଥିଲା ତାକୁ ନେଇ ନାନା ପ୍ରଶ୍ନ ଉଠିଛି। ଗୁଣିଆ ଧରାପଡ଼ିଲେ ସବୁକଥା ସ୍ପଷ୍ଟ ହେବା ଆଶା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।