Serious Allegations Of Favouritism: ପକ୍ଷପାତିତା ଅଭିଯୋଗ, ହାଇକୋର୍ଟର ବିଚାରପତିଙ୍କୁ ତୁରନ୍ତ ବଦଳି କରିବାକୁ ସୁପ୍ରିମକୋର୍ଟ...

Aug 26, 2026 - 15:06
Serious Allegations Of Favouritism: ପକ୍ଷପାତିତା ଅଭିଯୋଗ, ହାଇକୋର୍ଟର ବିଚାରପତିଙ୍କୁ ତୁରନ୍ତ ବଦଳି କରିବାକୁ ସୁପ୍ରିମକୋର୍ଟ...

ରାଜସ୍ଥାନ ହାଇକୋର୍ଟର ଭାରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କୁ ନେଇ ସୁପ୍ରିମକୋର୍ଟରେ ଅସନ୍ତୋଷ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ସନ୍ଦୀପ ମେହତା, ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ଚିଠି ଲେଖି ରାଜସ୍ଥାନ ହାଇକୋର୍ଟର ଭାରପ୍ରାପ୍ତ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍.ପି. ଶର୍ମାଙ୍କୁ ଅନ୍ୟ ହାଇକୋର୍ଟକୁ ବଦଳି କରିବା ସହ ଅନ୍ୟ ହାଇକୋର୍ଟରୁ ନୂଆ ମୁଖ୍ୟ ବିଚାରପତି ନିଯୁକ୍ତ କରିବାକୁ ଅନୁରୋଧ କରିଛନ୍ତି।

ତିନୋଟି ଚିଠିରେ ଜଷ୍ଟିସ୍ ମେହତା କ୍ଷମତାର ଦୁରୁପଯୋଗ, ପକ୍ଷପାତିତା ଓ ପ୍ରଶାସନିକ ଅବ୍ୟବସ୍ଥା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁସାରେ, ଜଷ୍ଟିସ୍ ଶର୍ମାଙ୍କ ବିରୋଧରେ ଆସିଥିବା ଅନେକ ଅଭିଯୋଗ ତାଙ୍କ ସତତା ଓ ନିଷ୍ଠା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରୁଛି।

ମାମଲାର ରୋଷ୍ଟର ବଦଳକୁ ନେଇ ମଧ୍ୟ ଜଷ୍ଟିସ୍ ମେହତା ପ୍ରଶ୍ନ ଉଠାଇଛନ୍ତି। ଅଭିଯୋଗ ହେଉଛି, ଅନ୍ୟ ବେଞ୍ଚରେ ତାଲିକାଭୁକ୍ତ କିଛି ମାମଲାକୁ ହଠାତ୍ ହଟାଇ ଜଷ୍ଟିସ୍ ଶର୍ମାଙ୍କ ବେଞ୍ଚକୁ ପଠାଯାଇଥିଲା। ଏହି ନିଷ୍ପତ୍ତିର କାରଣ ନେଇ ମଧ୍ୟ ସେ ଗୁରୁତର ସନ୍ଦେହ ପ୍ରକାଶ କରିଛନ୍ତି।

ଏହାସହ ଜୟପୁରର ଏକ ଆଇନ ସମ୍ମିଳନୀକୁ ନେଇ ମଧ୍ୟ ଜଷ୍ଟିସ୍ ମେହତା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ସହ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କୁ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ନିମନ୍ତ୍ରଣପତ୍ର ଓ କାର୍ଯ୍ୟସୂଚୀରେ ଦୁହିଁଙ୍କ ନାମ ନଥିଲା। ଏହାକୁ ସେ ସୁପ୍ରିମକୋର୍ଟର ବିଚାରପତିଙ୍କୁ ଅପମାନିତ କରିବାର ଏକ ଉଦ୍ଦେଶ୍ୟମୂଳକ ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି।

ଅଗଷ୍ଟ ୧ ତାରିଖରେ ଜୟପୁରରେ ହାଇକୋର୍ଟ ଗେଷ୍ଟ ହାଉସର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ମଧ୍ୟ ଦୁଇ ବିଚାରପତିଙ୍କୁ ଜଣାଯାଇନଥିବା ନେଇ ଜଷ୍ଟିସ୍ ମେହତା ପ୍ରତିବାଦ ଜଣାଇଛନ୍ତି।

ଅନ୍ୟ ଏକ ଚିଠିରେ ଆତ୍ମୀୟତାବାଦ ଓ ପକ୍ଷପାତିତାର ଅଭିଯୋଗ ମଧ୍ୟ ଆଣାଯାଇଛି। ଜୋଧପୁର ଜିଲ୍ଲା କୋର୍ଟର ନୂଆ ଭବନ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହାର ଉଦ୍‌ଘାଟନକୁ ପ୍ରାୟ ଏକ ବର୍ଷ ବିଳମ୍ବ କରାଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ପରେ ଜଷ୍ଟିସ୍ ମେହତା ଓ ଜଷ୍ଟିସ୍ ବିଷ୍ଣୋଇ ମାମଲାଟି CJI ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନଜରକୁ ଆଣିବା ପରେ ସେହି ଭବନର ଉଦ୍‌ଘାଟନ ହୋଇଥିଲା।

ଜଷ୍ଟିସ୍ ମେହତା ଚିଠିରେ ଜଷ୍ଟିସ୍ ଶର୍ମାଙ୍କୁ ରାଜ୍ୟ ବାହାରକୁ ତୁରନ୍ତ ବଦଳି କରିବାକୁ ଅନୁରୋଧ କରିଛନ୍ତି। ତେବେ ଏହି ଅଭିଯୋଗଗୁଡ଼ିକ ଉପରେ ଜଷ୍ଟିସ୍ ଶର୍ମାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ରାଜସ୍ଥାନ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ସହ ଯୋଗାଯୋଗ ଚେଷ୍ଟା ମଧ୍ୟ ସଫଳ ହୋଇନଥିବା ସୂଚନା ମିଳିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।