Couple Uses Dupatta To Save Biker: ପ୍ରବଳ ସ୍ରୋତରେ ଫସିଥିଲେ ବାଇକ୍‌ ଚାଳକ, ଦେବଦୂତ ସାଜିଲେ ନବବଧୂ

Sep 01, 2026 - 16:35
Couple Uses Dupatta To Save Biker: ପ୍ରବଳ ସ୍ରୋତରେ ଫସିଥିଲେ ବାଇକ୍‌ ଚାଳକ, ଦେବଦୂତ ସାଜିଲେ ନବବଧୂ

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ପରେ ଆସିଥିବା ହଠାତ୍ ବନ୍ୟାରେ ଫସିଗଲେ ଜଣେ ବାଇକ୍‌ ଚାଳକ। ଆଉ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଦୁପଟ୍ଟାକୁ ରଶି ଭଳି ବ୍ୟବହାର କରି ଆଗକୁ ଆସିଲେ ଏକ ପରିବାର। ଏହି ମାନବିକତାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ।

ଘଟଣାଟି ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଭାଟିୟତ ଅଞ୍ଚଳରେ ଘଟିଛି। ସନ୍ଧ୍ୟାରେ ପ୍ରବଳ ବର୍ଷା ହେବା ପରେ କାକିଆରା-ଟୁନୁହାଟ୍ଟି ରାସ୍ତାର ଭରମାଲା ଅଞ୍ଚଳରେ ହଠାତ୍ ପାଣି ମାଡ଼ି ଆସିଥିଲା। ଦେଖୁ ଦେଖୁ ରାସ୍ତାଟି ଏକ ପ୍ରଖର ସ୍ରୋତରେ ପରିଣତ ହୋଇଯାଇଥିଲା।

ଏହି ସମୟରେ ଘଟାଶନୀର ମମଲା ଗାଁର ଜଣେ ବାଇକ୍‌ ଚାଳକ ପ୍ରବଳ ସ୍ରୋତ ମଧ୍ୟରେ ଫସି ଯାଇଥିଲେ। ପାଣିର ସ୍ରୋତ ଏତେ ଜୋର ଥିଲା ଯେ ସେ ନିଜକୁ ସମ୍ଭାଳି ପାରୁନଥିଲେ। ଯେକୌଣସି ମୁହୂର୍ତ୍ତରେ ପାଣି ତାଙ୍କୁ ଭସାଇ ନେବାର ଆଶଙ୍କା ଥିଲା।

ଏହି ସମୟରେ ନିକଟରେ ଥିବା ଏକ ପରିବାର ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଦୁଇ ଜଣ ମହିଳା, ଯାହାଙ୍କ ମଧ୍ୟରେ ଜଣେ ନବବିବାହିତା ମଧ୍ୟ ଥିଲେ, ନିଜ ଦୁପଟ୍ଟାକୁ ରଶି ଭଳି ବ୍ୟବହାର କରି ବାଇକ୍‌ ଚାଳକଙ୍କ ଆଡ଼କୁ ବଢ଼ାଇ ଦେଇଥିଲେ। ବାଇକ୍‌ ଚାଳକ ଦୁପଟ୍ଟାକୁ ଧରିବା ପରେ ପରିବାର ସଦସ୍ୟମାନେ ତାଙ୍କୁ ଧୀରେ ଧୀରେ ସୁରକ୍ଷିତ ସ୍ଥାନକୁ ଟାଣି ଆଣିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ଆଉ ଜଣେ ବ୍ୟକ୍ତି ମଧ୍ୟ ସହଯୋଗ କରିଥିଲେ।

ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଭିଡିଓରେ ପାଣି ଭର୍ତ୍ତି ରାସ୍ତା କଡ଼ରେ ଠିଆ ହୋଇ ମହିଳାମାନେ ଦୁପଟ୍ଟା ଧରି ବାଇକ୍‌ ଚାଳକଙ୍କୁ ବଞ୍ଚାଇବାକୁ କିପରି ଚେଷ୍ଟା କରୁଛନ୍ତି, ତାହା ଦେଖିବାକୁ ମିଳିଛି। ଖସଡ଼ା ରାସ୍ତା ଓ ପ୍ରବଳ ସ୍ରୋତ ମଧ୍ୟରେ ଏହି ଉଦ୍ଧାର କାର୍ଯ୍ୟ ନିଜେ ମଧ୍ୟ ବେଶ୍ ବିପଦପୂର୍ଣ୍ଣ ଥିଲା।

ତଥାପି ନିଜ ସୁରକ୍ଷାକୁ ଖାତିର ନକରି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇବାକୁ ଆଗକୁ ଆସିଥିବା ଏହି ପରିବାରର ସାହସ ଓ ମାନବିକତାକୁ ସବୁଠି ପ୍ରଶଂସା କରାଯାଉଛି। ସମୟୋଚିତ ନିଷ୍ପତ୍ତି ଓ ସାହସିକ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇଛି।

ସୋସିଆଲ ମିଡିଆରେ ଜଣେ ୟୁଜର ଲେଖିଛନ୍ତି, ଭଗବାନ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ଏହି ଦୁନିଆରେ ସହାନୁଭୂତି ଓ ଦୟା ହିଁ ସବୁଠୁ ବଡ଼ କଥା। ଆଉ ଜଣେ ୟୁଜର ନବବିବାହିତ ଦମ୍ପତିଙ୍କ ପ୍ରଶଂସା କରି କହିଛନ୍ତି, ଜଣେ ମାଆଙ୍କ ସନ୍ତାନର ଜୀବନ ବଞ୍ଚାଇବା ପାଇଁ ନବବଧୂଙ୍କ ଦୁପଟ୍ଟା ଜୀବନର ସୁରକ୍ଷା କବଚ ପାଲଟିଗଲା।

ସତରେ, ଦୁପଟ୍ଟାଟି କେବଳ ଏକ କପଡ଼ା ନଥିଲା, ସେହି ମୁହୂର୍ତ୍ତରେ ଏହା ପାଲଟିଥିଲା ଜଣେ ମଣିଷଙ୍କ ପାଇଁ ଜୀବନର ଶେଷ ଆଶା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।