Cricket: ଓଡ଼ିଶାକୁ ଘାଇଲା କଲେ ନାରଙ୍ଗ: ୧୯୪ରେ ଅଟକିଲା ସେନାପତି ବାହିନୀ, ସର୍ଭିସେସ୍ ପାଇଁ ଭଲ ସୁଯୋଗ
ଭୁବନେଶ୍ବର: ବାହାରେ ବିଫଳ ହେବାର ଦୁଃଖକୁ ଘରେ ଦୂର କରିବେ ବୋଲି ଆଶା ଥିଲା।
ହେଲେ ଘରୋଇ ପରିବେଶରେ ଓଡ଼ିଶା ରଣଜୀ ଦଳ ଆହୁରି ଶୋଚନୀୟ ବ୍ୟାଟିଂ କଲା।
ପାଗ, ପରିବେଶ ଓ ପିଚ୍ ଅନୁକୂଳ ଥିଲେ ମଧ୍ୟ ଅତି ସାଧାରଣ ବ୍ୟାଟିଂ କରି ମାତ୍ର ୧୯୪ ରନ୍ରେ ଅଲଆଉଟ୍ ହୋଇଗଲା।
ସୋମବାରଠାରୁ ସ୍ଥାନୀୟ କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଆରମ୍ଭ ହୋଇଥିବା ସର୍ଭିସେସ୍ ବିପକ୍ଷ ରଣଜୀ ଟ୍ରଫି ତୃତୀୟ ରାଉଣ୍ଡ ମ୍ୟାଚ୍ରେ ଏଭଳି ଦୟନୀୟ ପ୍ରଦର୍ଶନ ଓଡ଼ିଶା ଦଳରେ ଥିବା ପ୍ରତିଭା ମରୁଡ଼ିର ଆଉ ଏକ ନଗ୍ନ ଉଦାହରଣ ବି ପାଲଟିଛି।
Advertisment Israel: ଇସ୍ରାଏଲରେ ଆଜି ମତଦାନ: ନେତାନ୍ୟାହୁଙ୍କ ପାଇଁ ବଡ଼ ଚାଲେଞ୍ଜ ପ୍ରତିପକ୍ଷ ସ୍ପିନର ପୁଲକିତ ନାରଙ୍ଗଙ୍କ ସ୍ପିନ୍ ଉଚ୍ଚକୋଟୀର ଥିଲା।
ତେବେ ଖରାପ ସଟ୍ ଚୟନ, ରଣନୀତିକୁ ରନ୍ରେ ରୂପାନ୍ତର କରିବାର ବିଫଳତା ତଥା ଚାପରେ ଚାପି ନହୋଇ, ଧୈର୍ଯ୍ୟର ସହ ଖେଳିବାର କଳା, କୌଶଳର ଘୋର ଅଭାବ ପାଇଁ ଆଉ ଏକ ଦୁର୍ବଳ ତଥା ଦୟନୀୟ ପ୍ରଦର୍ଶନରେ ପ୍ରଶଂସକଙ୍କୁ ନିରାଶ କଲା ଶୁଭ୍ରାଂଶୁ ସେନାପତିଙ୍କ କ୍ରିକେଟ୍ ବାହିନୀ।
ଦଳର ସବୁ ଖେଳାଳିଙ୍କ ଆତ୍ମବିଶ୍ବାସ ଯେ ଋତୁ ଆରମ୍ଭରୁ ଦୋହଲି ସାରିଛି, ତାହା ସୋମବାର ଦଳ କରିଥିବା ଅତି ନିମ୍ନ ମାନର ବ୍ୟାଟିଂରୁ ମଧ୍ୟ ଆପାତତଃ ସ୍ପଷ୍ଟ ହୋଇଛି।
ଅନ୍ୟପକ୍ଷରେ ନିୟମିତ ବ୍ୟବଧାନରେ ୱିକେଟ୍ ନେଇ ସାରା ଦିନ ଓଡ଼ିଶା ଖେଳାଳିଙ୍କ କାନ୍ଧ ଉପରୁ ଚାପ ହଟିବାକୁ ଦେଇ ନଥିବା ସର୍ଭିସେସ୍ ଏବେ ଦୃଢ଼ ସ୍ଥିତିରେ ରହିଛି।
ଏହି ଦଳର ତାରକା ସ୍ପିନର ନାରଙ୍ଗ ମଧ୍ୟ ନିଜ ପଦାର୍ପଣ ପଡ଼ିଆରେ ସ୍ମରଣୀୟ ବୋଲିଂ ଚିତ୍ର ଅର୍ଜନ କରି ୬ ୱିକେଟ୍ ସଫଳତା ପାଇଛନ୍ତି।
ଏହି ୩୨ ବର୍ଷୀୟ ସ୍ପିନର ଦିଲ୍ଲୀ ପକ୍ଷରୁ ଖେଳି ୧୧ ବର୍ଷ ତଳେ ଅର୍ଥାତ୍ ୨୦୧୫ ମସିହାରେ କିଟ୍ ପଡ଼ିଆରେ ହିଁ ରଣଜୀ ପଦାର୍ପଣ କରିଥିଲେ।
ଏବେ ସେ ସର୍ଭିସେସ୍ର ମୁଖ୍ୟ ଅସ୍ତ୍ର ପାଲଟିଛନ୍ତି।
ଉଭୟ ଓଡ଼ିଶା ଓ ସର୍ଭିସେସ୍ ଚଳିତ ଋତୁରେ ଖେଳିଥିବା ନିଜ ନିଜର ପ୍ରଥମ ଦୁଇ ମ୍ୟାଚ୍ରେ ପରାଜିତ ହୋଇଛନ୍ତି।
ଏଣୁ କିଟ୍ରେ ପ୍ରଥମ ବିଜୟ ସନ୍ଧାନରେ ରହିଛନ୍ତି।
ଏଭଳି ସ୍ଥିତିରେ ସର୍ଭିସେସ୍ ଅଧିନାୟକ ରଜତ ପାଲିୱାଲ ଆଜି ଟସ୍ ଜିତି ମ୍ୟାଚ୍ ଆରମ୍ଭରୁ ନୈତିକ ବିଜୟ ହାସଲ କରିଥିଲେ।
ଅବଶ୍ୟ ଓଡ଼ିଶାର ଦୁଇ ଓପନର୍ ସ୍ବସ୍ତିକ ସାମଲ ଓ ଗୌରବ ଚୌଧୁରୀ ଲଢ଼ିଥିଲେ।
ଉଭୟ ପ୍ରଥମ ୱିକେଟ୍ରେ ୭୯ ରନ୍ ଯୋଡ଼ି ଭଲ ଆରମ୍ଭ କରିଥିଲେ।
ହେଲେ ସ୍ପିନ୍ ପଡ଼ିବା ଆରମ୍ଭ ହେବା ପରେ ହଠାତ୍ ଓଡ଼ିଶାର ବିପର୍ଯ୍ୟୟ ଘଟିଥିଲା।
ସ୍ବସ୍ତିକଙ୍କୁ ୨୫ତମ ଓଭରରେ ନାରଙ୍ଗ କ୍ଲିନ୍ ବୋଲ୍ଡ କରିବା ପରେ ଓଡ଼ିଶାର ୱିକେଟ୍ ଫାଟକ ଯେମିତି ପୂରା ଖୋଲି ଯାଇଥିଲା।
ଅର୍ଦ୍ଧଶତକର ୯ ରନ୍ ପୂର୍ବରୁ ଗୌରବ ନିଜ ୱିକେଟ୍ ଫିଙ୍ଗି ଦେବା ପରେ ଅଧିନାୟକ ଶୁଭ୍ରାଂଶୁଙ୍କ ସହ ମାତ୍ର ୫୪ ରନ୍ ଭିତରେ ୫ ୱିକେଟ୍ ହରାଇ ଅଚାନକ ଦିଗ ହରାଇ ବସିଥିଲା ଓଡ଼ିଶା।
ଦୁଇ ପେସାଦାର ନିନାଦ ରାଥଭ ଓ ଲଲିତ ଯାଦବ ପୁଣି ଥରେ ନିରାଶ କରିଥିଲେ।
ଶେଷ ଆଡ଼କୁ ଅନିଲ ପରିଡ଼ା ଓ ରାଜେଶ ମହାନ୍ତିଙ୍କ ପ୍ରତି ଆକ୍ରମଣ ପ୍ରୟାସ ମଧ୍ୟ ବିଫଳ ହୋଇଥିଲା।
ଶେଷ ଦୁଇ ୱିକେଟ୍ ଭାବେ ପଦାର୍ପଣକାରୀ ଓମ୍କାର ମହାନ୍ତି ଓ ବାଦଲ ବିଶ୍ବାଳ ଖାତା ଖୋଲି ନ ପାରିବା ପରେ ରାଜେଶ ଗୋଟିଏ ପଟେ ଅପରାଜିତ ରହି ଯାଇଥିଲେ।
ଘରୋଇ ଦଳ ୮୨.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୯୪ ରନ୍ କରିବା ସହ ୨୦୦ ରନ୍ ବି ଛୁଇଁ ପାରି ନଥିଲା।
ଏହାର ଜବାବରେ ସର୍ଭିସେସ୍ ୫ ଓଭର ଖେଳି ବିନା କ୍ଷତିରେ ୧୩ ରନ୍ କରି ନେଇଥିଲା।
ଦୁଇ ଓପନର୍ ଶୁଭମ ରୋହିଲା ଓ ନିତିନ ତନୱାର ନିଜ ଦଳର କୌଣସି କ୍ଷତି ଘଟିବାକୁ ଦେଇ ନଥିଲେ।
ସର୍ଭିସେସ୍ ହାତରେ ଏବେ ପୂରା ୧୦ ୱିକେଟ୍ ଥିଲା ବେଳେ ଏହି ଦଳ ଓଡ଼ିଶାଠାରୁ ମାତ୍ର ୧୮୧ ରନ୍ ପଛରେ ରହିଛି।
ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ୨୮ରୁ ବର୍ଷା ହେବାର ଥିବାରୁ ପ୍ରଥମ ପାଳି ଅଗ୍ରଣୀ ଲାଭ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ହେବ ବୋଲି ଅଧିନାୟକ ରଜତ ପାଲିୱାଲ କହିଛନ୍ତି।
ସେପଟେ ଓଡ଼ିଶା ପାଇଁ ଦ୍ବିତୀୟ ଦିନର ଖେଳ ବଡ଼ ପରୀକ୍ଷା ନେଇ ଆସିବାକୁ ଯାଉଛି।
Tribal worker: ରାମ୍କି କେମିକାଲ୍ କୁଣ୍ଡରେ ପଡ଼ି ଶ୍ରମିକ ରୋଗଣା; ଔଷଧ ଓ ପେଟ ଚିନ୍ତାରେ ଦୁର୍ଦ୍ଦଶା ଦୁର୍ବିଷହ ସଂକ୍ଷିପ୍ତ ସ୍କୋର୍: ଓଡ଼ିଶା ପ୍ରଥମ ପାଳି ୮୨.୩ ଓଭରରେ-୧୯୪ (ଗୌରବ ଚୌଧୁରୀ ୪୧, ସ୍ବସ୍ତିକ ସାମଲ ୩୯, ଅନିଲ ପରିଡ଼ା ୩୬, ରାଜେଶ ମହାନ୍ତି ୧୯, ନିନାଦ ରାଥଭ ୧୯, ପୁଲକିତ ନାରଙ୍ଗ ୬/୪୭, ନିତିନ ତନୱାର ୨/୯, ବୀରେନ୍ଦର ଡାଗର ୨/୩୮)।
ସର୍ଭିସେସ୍ ପ୍ରଥମ ପାଳି ୫ ଓଭରରେ-୧୩/୦ ( ନିତିନ ତନୱର ୮*, ଶୁଭମ ରୋହିଲା ୫*)।
'ବ୍ୟାଟର୍ଙ୍କ ଭୁଲ୍ରୁ ଫାଇଦା ଉଠାଇଲୁ' ଆଜିକୁ ୧୧ ବର୍ଷ ତଳେ ଅର୍ଥାତ୍ ୨୦୧୫ରେ ଦିଲ୍ଲୀ ପକ୍ଷରୁ ଖେଳି କିଟ୍ ଷ୍ଟାଡିୟମ୍ରେ ରଣଜୀ ପଦାର୍ପଣ କରିଥିଲେ ସର୍ଭିସେସ୍ ସ୍ପିନର ପୁଲକିତ ନାରଙ୍ଗ।
ଏହି ଷ୍ଟାଡିୟମ୍ରେ ସୋମବାର ନିଜ କ୍ରିକେଟ୍ ଜୀବନର ଅନ୍ୟତମ ସଫଳ ବୋଲିଂ ଚିତ୍ର (୬/୪୭) ପାଇଥିବାରୁ ବେଶ୍ ଖୁସି ଅଛନ୍ତି ସେ।
ସଠିକ୍ ଲୟରେ ବୋଲିଂ କରିବା ସହ ଉଚିତ ସ୍ଥାନରେ ବଲ୍ ପିଚ୍ କରାଇବା ତାଙ୍କ ସଫଳତାର ଅସଲ ରହସ୍ୟ ବୋଲି 'ସମ୍ବାଦ'କୁ କହିଛନ୍ତି ନାରଙ୍ଗ।
ତେବେ ଓଡ଼ିଶା ବ୍ୟାଟର୍ଙ୍କ ଭୁଲ୍ରୁ ତାଙ୍କ ଦଳ ପୂରା ଫାଇଦା ଉଠାଇଲା ବୋଲି କହିବାକୁ ଭୁଲି ନାହାନ୍ତି ସେ।
''ପିଚ୍ର କିଛି ସ୍ଥାନରେ ବଲ୍ ପଡ଼ିବା ପରେ ଘୂରୂଥିଲା।
ହେଲେ ଏଥିରେ ଖେଳିବା ସେତେଟା କଷ୍ଟ ନଥିଲା।
ଘରୋଇ ବ୍ୟାଟର୍ ବଡ଼ ପାଳି ଖେଳିବାର ଆଗ୍ରହ ଏବଂ ଉଦ୍ଦେଶ୍ୟ ଦେଖାଇଥିଲେ କ୍ରିଜ୍ରେ ଜମି ପାରିଥା'ନ୍ତେ।
ସେମାନଙ୍କ କିଛି ସଟ୍ ଚୟନ ମଧ୍ୟ ପରିସ୍ଥିତି ଅନୁକୂଳ ନଥିଲା।
ଯାହା ଫଳରେ ଆମେ ସେମାନଙ୍କୁ ୨୦୦ ରନ୍ ତଳେ ଅଟକାଇ ଦେଲୁ।
ଆଗକୁ ପ୍ରଥମ ପାଳି ଅଗ୍ରଣୀ ଲାଭ କରିବା ଆମର ପ୍ରଥମ ଲକ୍ଷ୍ୟ ହେବ।
ଥରେ ଓଡ଼ିଶା ସ୍କୋର୍ କୁ ଟପିଗଲେ, ପରବର୍ତ୍ତୀ ଲକ୍ଷ୍ୟ ଧାର୍ଯ୍ୟ କରିବା ଆମ ପାଇଁ ସହଜ ହେବ।
ପାଗ ଖରାପ ହେବାର ପୂର୍ବାନୁମାନ ଥିବାରୁ ଏବଂ ପିଚ୍ କ୍ରମଶଃ ବୋଲିଂ ଉପଯୋଗୀ ହେବାର ସମ୍ଭାବନା ଥିବାରୁ ଆମ ଦଳର ବ୍ୟାଟର୍ଙ୍କୁ ଅଧିକ ଏକାଗ୍ରତା ଦେଖାଇବାକୁ ହେବ।'' ବୋଲି ପ୍ରଥମ ଦିନର ଖେଳ ଶେଷ ପରେ ମତ ରଖିଥିଲେ ନାରଙ୍ଗ।
Horoscope 2026 October 27: ଜାଣନ୍ତୁ ଆଜିର ରାଶିଫଳ ଓମ୍କାରଙ୍କ ପଦାର୍ପଣ ଦ୍ରୁତ ବୋଲର ପ୍ରଶାନ୍ତ ରଣା ଆହତ ହେବା ପରେ ତାଙ୍କ ସ୍ଥାନ ନେଇଥିବା ବଲାଙ୍ଗୀରର ଓମ୍କାର ମହାନ୍ତି ସୋମବାର ନିଜ ରଣଜୀ କ୍ୟାରିୟର ଆରମ୍ଭ କରିଛନ୍ତି।
ମ୍ୟାଚ୍ ଆରମ୍ଭ ପୂର୍ବରୁ ତାଙ୍କୁ ଓଡ଼ିଶା ଦଳର ଟୋପି ପ୍ରଦାନ କରାଯାଇଥିଲା।
ବାମହାତୀ ବୋଲର ଏବଂ ଡାହାଣହାତୀ ମଧ୍ୟକ୍ରମ ବ୍ୟାଟର୍ ଓମ୍କାର ନିଜ ପଦାର୍ପଣ ମ୍ୟାଚ୍ରେ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ।
ପଡ଼ିଆରେ ମାତ୍ର ୫ଟି ବଲ୍ ଖେଳି କୌଣସି ରନ୍ କରିବା ପୂର୍ବରୁ ନିତିନ ତନୱାରଙ୍କ ଦ୍ବାରା କ୍ଲିନ୍ ବୋଲ୍ଡ ହୋଇ ଯାଇଥିଲେ।
ଓମ୍କାର ନିଜ ସିକେ ନାଇଡୁ ଟ୍ରଫି ପ୍ରଦର୍ଶନ ଆଧାରରେ ଓଡ଼ିଶା ରଣଜୀ ଦଳରେ ସ୍ଥାନ ପାଇଥିବା ଜଣାପଡ଼ିଛି।
ବ୍ୟାଟିଂରେ ବିଫଳ ହୋଇଥିଲେ ମଧ୍ୟ ବୋଲିଂରେ ସେ କମାଲ କରିବେ ବୋଲି ଦଳ ଆଶା ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।